ପୁରୀ,୦୬/୧୧: ପୁରୀ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଆଇସିୟୁରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ରବିବାର ଅପରାହ୍ଣରେ ମିଳିଥିବା ଖବର ମୁତାବକ ତାଙ୍କ ସ୍ଥିତି ଗମ୍ଭୀର ରହିଛି । ଡାକ୍ତରମାନଙ୍କ ବହୁ ଚେଷ୍ଟା ସତ୍ତେ୍ୱ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନି । ସେପଟେ ହସ୍ପିଟାଲ ଯାଇ ରାଜନୀତି ଗୁରୁ ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଏବେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି ମହେଶ୍ୱର । ବ୍ରେନ୍ ଷ୍ଟ୍ରୋକ୍ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୬ଦିନ ବିତିଥିଲେ ମଧ୍ୟ ସ୍ଥିତିରେ କୌଣସି ଉନ୍ନତି ଆସିନି ।
ଗତକାଲି ଅପରାହ୍ଣରେ ତାଙ୍କ ସ୍ଥିତି ଦେଖିବାକୁ ଯାଇଥିଲେ ଜୟନ୍ତ । ଏହି ସମୟରେ ମହେଶ୍ୱରଙ୍କ ପୁଅ ସୁନୀଲ ମହାନ୍ତି ଓ ଅନ୍ୟ ପରିଜନଙ୍କୁ ଭେଟିଥିଲେ । ମହେଶ୍ୱରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ତେବେ ଆଇସିୟୁକୁ ଯାଇ ମହେଶ୍ୱରଙ୍କୁ ଦେଖିବାର ସୁଯୋଗ ଜୟନ୍ତଙ୍କୁ ମିଳିନଥିଲା । ମହେଶ୍ୱରଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କୁ ପୁରୀ ଫେରିବାକୁ ପଡ଼ିଥିଲା ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ମହେଶ୍ୱରଙ୍କ ବେନ୍ ଷ୍ଟ୍ରୋକ୍ ହୋଇଥିଲା । ରାତାରାତି ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ତାଙ୍କ ମୁଣ୍ଡର ଏକ ସ୍ଥାନରେ ସୃଷ୍ଟି ହୋଇଥିବା ରକ୍ତ ଜମାଟ ହଟାଇବା ଏବେ ଡାକ୍ତରଙ୍କ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହାକୁ ଅପରେସନ କରିବା ମଧ୍ୟ ଜୀବନପ୍ରତି ବିପଦ ଆଣିପାରେ । ଏପରି ସ୍ଥିତିରେ ପୁରୀ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି କେତେ ଶୀଘ୍ର ସୁସ୍ଥ ହୋଇ ଫେରିବେ ସେନେଇ ସମସ୍ତ ଶୁଭେଚ୍ଛୁଙ୍କ ଅପେକ୍ଷା ରହିଛି ।