ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭକ୍ତଙ୍କୁ ପରିକ୍ରମାର ଦିବ୍ୟ ଅନୁଭୂତି: ଆଜି ୫ ଜିଲ୍ଲାରୁ ଆସିବେ ୧୦ ହଜାର ଶ୍ରଦ୍ଧାଳୁ, ଫେବ୍ରୁଆରୀ ୨୨ ଯାଏଁ ଦୈନିକ ଆସିବେ

ପୁରୀ,୨୯/୦୧: ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭବ ସାଉଁଟିବେ ସାରା ରାଜ୍ୟର ଭକ୍ତ । ସୋମବାରଠାରୁ ବିଭିନ୍ନ ଜିଲ୍ଲାରୁ ଭକ୍ତମାନଙ୍କୁ ବସ୍‌ରେ ପୁରୀ ଆସିବେ । ସମସ୍ତ ବସ୍‌ ଆସି ସମଙ୍ଗ ପାର୍କିଂରେ ଲାଗିବ । ସେଠାରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର୍‌ ବସ୍‌ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ପର୍ଯ୍ୟନ୍ତ ନିଆଯିବ । ପିଲିଗ୍ରିମ ସେଣ୍ଟରରୁ ଶ୍ରୀଦାଣ୍ଡ ଦେଇ ଭକ୍ତମାନେ ଶ୍ରୀମନ୍ଦିର ଯିବେ ଓ ପରିକ୍ରମା ପ୍ରକଳ୍ପରେ ପ୍ରଦକ୍ଷିଣ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଶ୍ରଦ୍ଧାଳୁଙ୍କ ରହଣୀ, ଖାଦ୍ୟ, ପାନୀୟ, ସ୍ନାନ ଶୌଚ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ରବିବାରଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖାଦ୍ୟ ରୋଷେଇ ଆରମ୍ଭ ହୋଇସାରିଛି । ଆସନ୍ତା ଫେବ୍ରୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଶ୍ରଦ୍ଧାଳୁଙ୍କୁ ଅଣାଯିବ । 

ପ୍ରଥମ ଦିନରେ ଗଞ୍ଜାମ, ମୟୁରଭଞ୍ଜ, ବାଲେଶ୍ୱର, କଟକ, କେନ୍ଦ୍ରାପଡ଼ାରୁ ୯୯୮୦ ଭକ୍ତଙ୍କୁ ଆଣିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ସୋମବାର ସକାଳ ୯ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସମସ୍ତ ବସ୍‌ ସମଙ୍ଗ ପାର୍କିଂରେ ଲାଗିବ । ପ୍ରଥମ ଦିନରେ ସମୁଦାୟ ୫୦୦ଟି ବସ୍‌ ଆସିବ। ବସ୍‌ଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବା ସହ ବ୍ୟବସ୍ଥିତ ଢଙ୍ଗରେ ଟ୍ରାଫିକ ପରିଚାଳନା ପାଇଁ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ସମଙ୍ଗ ପାର୍କିଂ ପରିସରରେ ୨ଟି ଯାତ୍ରୀ ସହାୟତା କେନ୍ଦ୍ର ଖୋଲାଯାଇଛି । ରବିବାର ରାତିରୁ ମୟୁରଭଞ୍ଜ ଓ ବାଲେଶ୍ୱରରୁ ଭକ୍ତଙ୍କୁ ନେଇ ବସ୍‌ ଯାତ୍ରା ଆରମ୍ଭ କରିଥିବା ବେଳେ ଅନ୍ୟ ଜିଲ୍ଲାରୁ ଶ୍ରଦ୍ଧାଳୁ ସୋମବାରଠାରୁ ଯାତ୍ରା ଆରମ୍ଭ କରିବେ । ରାଜ୍ୟର ୮୮୫୨ ପଞ୍ଚାୟତ ଏବଂ ୱାର୍ଡରୁ  ସମୁଦାୟ ୧,୭୭,୦୪୦ ଭକ୍ତ ୩୯୧୦ ବସ୍‌ରେ  ଆସିବେ ବୋଲି ଜଣାପଡିଛି ।

ଗଞ୍ଜାମର ଶେରଗଡ଼, ହିଞ୍ଜିଳିକାଟୁ, ଭଞ୍ଜନଗର, ଜେଏନ୍‌ ପ୍ରସାଦ, ବି.ନଗର ଆଦି ଅଞ୍ଚଳରୁ ଶ୍ରଦ୍ଧାଳୁ ଆସିବେ । ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାରୁ ୨୭୮୦ ଭକ୍ତଙ୍କୁ ଅଣାଯିବ । ଗଞ୍ଜାମରୁ ସୋମବାର ସମୁଦାୟ ୬୩ଟି ବସ୍‌ ଆସିବ । ସେହିଭଳି ମୟୁରଭଞ୍ଜର ବାଙ୍ଗିରିପୋଶି, କୁଲିଆନା, କରଞ୍ଜିଆ, କପ୍ତିପଦା ଆଦି ଅଞ୍ଚଳରୁ ଭକ୍ତଙ୍କୁ ପୁରୀ ଅଣାଯିବ । ମୟୁରଭଞ୍ଜ ଜିଲ୍ଲାରୁ ୪୯ଟି ବସ୍‌ରେ ୨୧୨୦ ଲୋକଙ୍କୁ ଅଣାଯିବ। ବାଲେଶ୍ୱର ଜିଲ୍ଲାରୁ ପ୍ରଥମ ଦିନରେ ୨୨୬୦ ଲୋକଙ୍କୁ ୫୦ଟି ବସ୍‌ରେ ଅଣାଯିବ । କଟକ ଜିଲ୍ଲାରୁ ପ୍ରଥମ ଦିନରେ ୪୨ଟି ବସ୍‌ରେ ୧୮୬୦ ଲୋକ ଆସିବେ । ସେହିଭଳି କେନ୍ଦ୍ରାପଡ଼ାରୁ ପ୍ରଥମ ଦିନରେ ୯୪୦ ଶ୍ରଦ୍ଧାଳୁ ୨୧ଟି ବସ୍‌ରେ ଆସିବେ । 

ଶ୍ରଦ୍ଧାଳୁମାନଙ୍କୁ ସୁଖଦ ଅନୁଭୂତି ଦେବାକୁ ବିଭିନ୍ନ ଅଧିକାରୀ, କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ପଞ୍ଚାୟତରାଜ ବିଭାଗ ଓ ଜିଲ୍ଲା ପ୍ରଶାସନ ତାରିଖ ଅନୁଯାୟୀ ନୋଡାଲ ଅଫିସରମାନଙ୍କୁ ନିୟୋଜିତ କରିଛନ୍ତି । ପ୍ରତ୍ୟେକ ପଞ୍ଚାୟତରୁ ଆସୁଥିବା ବସ୍‌ଗୁଡ଼ିକରେ ସେଠାକାର ଜଣେ ଲେଖାଏଁ ନୋଡାଲ ଅଧିକାରୀ ଆସିବେ । ଏହି ଅଧିକାରୀମାନେ ସେହି ବସ୍‌ରେ ଆସିଥିବା ଶ୍ରଦ୍ଧାଳୁଙ୍କ ଦାୟିତ୍ୱ ନେବେ । 

ସୂଚନାଥାଉକି, ସମଙ୍ଗ ପାର୍କିଂରେ ଶ୍ରଦ୍ଧାଳୁଙ୍କ ପାଇଁ ବିଶାଳକାୟ ୨ଟି ଟେଣ୍ଟ ବନ୍ଧାଯାଇଛି । ଗୋଟିଏ ଟେଣ୍ଟ ତଳେ ପାଖାପାଖି ୫୦୦୦ ଲୋକ ବସି ଖାଦ୍ୟ ଖାଇପାରିବେ । ଏଠାରେ ଚେୟାର ଓ ଡାଇନିଂ ଟେବୁଲ ମଧ୍ୟ ପକାଯାଇଛି । ଖାଦ୍ୟ ରୋଷେଇ ପାଇଁ ମଧ୍ୟ ପାର୍କିଂ ପରିସରରେ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ପାର୍କିଂ ପରିସରରେ ପାଖାପାଖି ୩୫ଟି ଉଠା ଶୌଚାଳୟ ବ୍ୟବସ୍ଥା ହୋଇଛି । ପାନୀୟ ଜଳ ପାଇଁ ୫୦ରୁ ୬୦ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ପାଣି ଟାଙ୍କି ରଖାଯାଇଛି । ଦୂର ଜାଗାରୁ ଯାତ୍ରା କରି ଆସିଥିବା ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ପହଞ୍ଚି ଆରାମ ନେବାକୁ ଚାହିଁଲେ ପାର୍କିଂ ପରିସରରେ ୩ଟି ଅସ୍ଥାୟୀ ସେଡ୍‌ ପ୍ରସ୍ତୁତ କରାଯାଇଛି । ଗୋଟିଏ ସେଡ୍‌ ତଳେ ପାଖାପାଖି ୧୦୦ ସେଟ୍‌ ଗଦି, ତକିଆ ଓ ବେଡ୍‌ ସିଟ୍‌ ଆଦି ରହିଛି । 

ଶ୍ରଦ୍ଧାଳୁ ଏଠାରେ ଆରାମ ନେଇପାରିବେ । ବସ୍‌ଗୁଡ଼ିକ ସମଙ୍ଗ ପାର୍କିଂରେ ଲାଗିବା ପରେ ଏଥିରେ ଆସିଥିବା ଭକ୍ତମାନଙ୍କୁ ଜଳଖିଆ ଖାଇବାକୁ ଦେଇ ସ୍ନାନ ଶୌଚ ପାଇଁ ସମୟ ଦିଆଯିବ । ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଯିବା ରାସ୍ତାରେ ଶ୍ରୀଦାଣ୍ଡରେ ନିର୍ମିତ ସ୍ୱତନ୍ତ୍ର କକ୍ଷରେ ସଂଗୃହିତ ଅର୍ପଣ ଚାଉଳ ପ୍ରଦାନ କରିପାରିବେ । ପ୍ରଦର୍ଶନୀ ବୁଲି ଜଗନ୍ନାଥଙ୍କର ୨୫ଟି ବେଶ, ପରିକ୍ରମା ପ୍ରକଳ୍ପ ପ୍ରତିକୃତି, ରଥଯାତ୍ରା ପ୍ରତିକୃତିର ଦର୍ଶନ କରିବା ସହ ଜଗନ୍ନାଥ ସଂସ୍କୃତି ସଂପର୍କିତ ଜ୍ଞାନ ଅର୍ଜନ କରିବେ । ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ମଧ୍ୟାହ୍ନ ଭୋଜନ କରି ଶ୍ରଦ୍ଧାଳୁ ନିଜନିଜ ଅଞ୍ଚଳକୁ ଫେରିବାର ବ୍ୟବସ୍ଥା ହୋଇଛି ।

  • prameyanews
  • PrameyaOdia
  • prameya
  • Srimandir Parikrama Project
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.