ପ୍ରମୂଖ ଖବର

ରଥଖଳା ହାଲ୍‌ଚାଲ୍‌..୨୪ଟି ଚକ ନିର୍ମାଣ ଶେଷ, ଗୁଜ ତିଆରିରେ ନିମଗ୍ନ ରୂପକାର, ନିରାଡ଼ି କାମ ଆରମ୍ଭ କଲେ ବିଶ୍ୱକର୍ମା

ପୁରୀ,୩୧/୦୫: ଭଉଁରୀରେ ଚକ ଅଖ ସଂଯୁକ୍ତ ହେଲା । ଏବେ ରଥରେ ଚାରି ନାହାକା ଉଠାଇବା ଲକ୍ଷ୍ୟ । ସମସ୍ତ ଚକ ଅଖ ସଂଯୁକ୍ତ ହେଲେ ଦଣ୍ଡା ପଡ଼ି ରଥର ଚାରି ନାହାକା ଉଠିବ । ମୁଖ୍ୟ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ । ଗୁରୁବାର ସୁଦ୍ଧା ଆପାତତଃ ୨୪ଟି ଚକ ନିର୍ମାଣ ଶେଷ ହୋଇଥିବା ସୂଚନା ରହିଛି । ଗୁରୁବାର ରଥର ନିରାଡ଼ି କାମ ଆରମ୍ଭ ହୋଇଛି । ଧଉରା ଓ ଫାସୀ କାଠକୁ ବାରିସିରେ ହାଣି  ନିରାଡ଼ି ପ୍ରସ୍ତୁତ କରୁଛନ୍ତି ବିଶ୍ୱକର୍ମା । କୋଣ ଗୁଜରେ  ସିଂହବିରାଳ ମୂର୍ତ୍ତି ଖୋଦେଇରେ ନିମଗ୍ନ ରହିଛନ୍ତି  ରୂପକାର। ଏଥିସହ ରେଢାଖୋଲ ଡିଭିଜନ୍‌ରୁ ରଥ କାଠ ବଡ଼ଦାଣ୍ଡରେ ପହଞ୍ଚିଛି ।  

ରଥ ଖଳାରେ ଏବେ ଚକ କାମ ଶେଷ କରିବାକୁ ଯୋର ଦିଆଯାଉଛି । ତାଳଧ୍ୱଜ ରଥ,ଦର୍ପଦଳନ ରଥ ଓ ନନ୍ଦିଘୋଷ ରଥର ମୋଟ ୪୨ ଚକରୁ ୨୪ ଚକ ପ୍ରାୟ ଶେଷ । ସିଙ୍ଗଡ଼ା ବାଡ଼ିଆ କରି  ତୁମ୍ବ ସହ ଅର ଯୋଡ଼ି ରଥଖଳାକୁ ବୋହି ନେଉଛନ୍ତି  ଭୋଇ ସେବକ । ସେଠାରେ ବିଲେଇ ବାଡ଼ିଆ  ପଦ୍ଧତିରେ ଚକ ପ୍ରସ୍ତୁତ ହେଉଛି। ଚକ ମଝିରେ ଥାଇ  ଉପଯୁକ୍ତ ନିର୍ଦ୍ଦେଶ ଦେଉଛନ୍ତି ମୁଖ୍ୟ ବିଶ୍ୱକର୍ମା । ଓଝା ସେବକମାନେ ମାପ  ଅନୁସାରେ ପନ୍ଦାରି ଓ  ବଳା ଯୋଗାଇଦେବାରେ  ଚକରେ ସେସବୁ ଫିଟିଂ  କରାଯାଉଛି । ତିନି  ରଥର ୧ଟି ଲେଖାଏଁ  ନାହାକା ଅଖ କାମ  ସରିଥିଲା । ଅନ୍ୟ ୧୮ଟି  ଅଖ ତିଆରି ପାଇଁ ଚାଲିଛି  ପ୍ରସ୍ତୁତି । 

ଗୁରୁବାର ରଥର ନିରାଡ଼ି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରତି ରଥର ୪ଟି କରି ନିରାଡ଼ି କାର୍ଯ୍ୟ ଜାରି ରଖିଛନ୍ତି  ବିଶ୍ୱକର୍ମା । ଏପଟେ କୋଣଗୁଜରେ ରୂପ ଖୋଦନରେ  ନିମଗ୍ନ ରହିଛନ୍ତି ରୂପକାର ସେବକ। ଗୁଜରେ ସିଂହ  ବିରାଳ ମୂର୍ତ୍ତି ଶୋଭାପାଉଛି । ବିଶ୍ୱକର୍ମାମାନେ ଧଉରା  କାଠ ଚଉପଟ କରି ଯୋଗାଉଛନ୍ତି । ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ  ଲୁହା ସାମଗ୍ରୀ ନିର୍ମାଣ କରୁଛନ୍ତି।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.