ନୂଆଦିଲ୍ଲୀ,୦୧/୦୯:ଆଜିଠୁ ବଦଳିଲା ନିୟମ। ଚଳିତ ମାସରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଆଧାର କାର୍ଡ, କ୍ରେଡିଟ୍ କାର୍ଡ, ଏଲପିଜି ସିଲିଣ୍ଡର ଏବଂ ଏଫଡି ସହ ଯୋଡି ହୋଇଥିବା ନିୟମ ପରିବର୍ତ୍ତନ ହେଉଛି। ଫଳରେ ଏହା ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇବ। ଚଳିତ ମାସରେ ପୁଣି ବଢ଼ିଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର। କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦରରେ ବୃଦ୍ଧି ପାଇଛି। ସିଲିଣ୍ଡର ପିଛା ୩୯ ଟଙ୍କା ବଢ଼ିଛି। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର ଦର ୧୬୯୧.୫୦ ପଇସାକୁ ବୃଦ୍ଧି ହୋଇଛି। ସେହିପରି କୋଲକାତାରେ ନୂଆ ଦର ଲାଗୁ ହେବା ପରେ ସିଲିଣ୍ଡର ଦାମ୍ ୧୮୦୨.୫୦ ଟଙ୍କା, ମୁମ୍ବାଇରେ ୧୬୪୪ଟଙ୍କା ଓ ଚେନ୍ନାଇରେ ୧୮୫୫ ଟଙ୍କାରେ ପହଞ୍ଚିଛି।ଗତମାସରେ ମଧ୍ୟ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବଢ଼ିଥିଲା। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ସେହିପରି ଆଧାରକାର୍ଡ ଅପଡେଟ୍ କରିବାର ସମୟସୀମାକୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟ ଅବଧି ମଧ୍ୟରେ ବିନା କୌଣସି ମୂଲ୍ୟରେ ନିଜର ଆଧାରକାର୍ଡ ଅପଡେଟ୍ କରିପାରିବେ। ହେଲେ ସେପ୍ଟେମ୍ବର ୧୪ ତାରିଖ ପରେ ଅପଡେଟ୍ କରିବାକୁ ହେଲେ ଏଥିପାଇଁ ଧାର୍ଯ୍ୟ ପରିମାଣର ଟଙ୍କା ଦେବାକୁ ପଡ଼ିବ। ଏଥିସହ ଆଜିଠାରୁ ଲାଗୁ ହେଉଛି ନୂଆ ଟେଲିକମ ଗାଇଡଲାଇନ। ଯାହାକି ଫେକ୍ କଲ ଓ ମେସେଜରୁ ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିବ। ଟେଲିକମ ରେଗୁଲେଟୋରୀ ଅଥୋରିଟି ଅଫ୍ ଇଣ୍ଡିଆ (TRAI) ଏନେଇ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।
ଆଜିଠୁ କ୍ରେଡିଟ୍ କାର୍ଡ ନିୟମାବଳୀରେ ମଧ୍ୟ ପରିବର୍ତ୍ତନ ହେଉଛି। ୟୁଟିଲିଟି ଟ୍ରାଞ୍ଜାକସନ୍ ଉପରେ HDFC ବ୍ୟାଙ୍କ ରିୱାର୍ଡ ପଏଣ୍ଟ ହ୍ରାସ କରିବ। ଥାର୍ଡ ପାର୍ଟି ଆପରେ ଏଜୁକେସନାଲ ପେମେଣ୍ଟ କଲେ HDFC ବ୍ୟାଙ୍କ କୌଣସି ରିୱାର୍ଡ ପଏଣ୍ଟ ଦେବନାହିଁ । ସେହିପରି IDFC ବ୍ୟାଙ୍କ ମଧ୍ୟ ସର୍ବନିମ୍ନ ଦେୟ ରାଶି ପରିବର୍ତ୍ତନ କରିବ। ଯାହାର ଧାର୍ଯ୍ୟ ସମୟ ପୂର୍ବରୁ ୧୮ରୁ କମାଇ ୧୫ ଦିନ କରାଯିବ। ତେବେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିବାର ସମ୍ଭାବନା ରହିଛି। ୩% ପର୍ଯ୍ୟନ୍ତ DA ବଢାଇପାରନ୍ତି ସରକାର। ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦% ଥିବାବେଳେ ଏହା ବୃଦ୍ଧି ପାଇ ୫୩%ରେ ପହଞ୍ଚିପାରେ ବୋଲି ସୂଚନା ମିଳିଛି।