ନୂଆଦିଲ୍ଲୀ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଷ୍ଟାଲିନ ଏବଂ ଡିଏମକେ ସାଂସଦ ଏ ରାଜାଙ୍କ ବିରୋଧରେ ଆଜି (ଗୁରୁବାର) ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଆବେଦନକାରୀ ବିନୀତ ଜିନ୍ଦଲ କହିଛନ୍ତି ଯେ, ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ଧ୍ୱଂସ କରିବା ପାଇଁ ଏକ ବୟାନ ଦେଇଛନ୍ତି, କିନ୍ତୁ ତାମିଲନାଡୁ ପୋଲିସ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ଆବେଦନକାରୀ ଆହୁରି କହିଛନ୍ତି ଯେ,ଏହି ମାମଲାରେ ଦିଲ୍ଲୀ ପୋଲିସ ନିକଟରେ ଏକ ଅଭିଯୋଗ କରାଯାଇଥିଲା, କିନ୍ତୁ ସେମାନେ ମଧ୍ୟ ଏକ ଏଫ୍ଆଇଆର୍ ପଂଜିକରଣ କରିନାହାଁନ୍ତି, ଯେତେବେଳେ କି, ହିଂସା ସୃଷ୍ଟି କରୁଥିବା ବୟାନ ଉପରେ ମାମଲା ପଂଜିକରଣ କରିବାକୁ ସମସ୍ତ ରାଜ୍ୟର ପୋଲିସକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି କାରଣରୁ, ଡିଏମକେ ନେତା ଉଦୟନିଧିଙ୍କ ବିରୋଧରେ ମାମଲା ପଞ୍ଜିକରଣ ନକରି ତାମିଲନାଡୁ ଏବଂ ଦିଲ୍ଲୀ ପୋଲିସ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି । ପିଟିସନରେ ଉଦୟନିଧି ଷ୍ଟାଲିନଙ୍କ ବ୍ୟତୀତ ଏ ରାଜାଙ୍କ ବିବୃତ୍ତି ଉପରେ ମଧ୍ୟ ଉଲ୍ଲେଖ କରାଯାଇଛି । ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ହୋଇଛି ।
ସୂଚନାଥାଉକି, ଡିଏମକେ ନେତା ଏ ରାଜା କହିଛନ୍ତି ଯେ ସନାତନ ଧର୍ମକୁ ଏଡ୍ସ ସହିତ ତୁଳନା କରାଯିବା ଉଚିତ, ଯେଉଁଥିରେ ସାମାଜିକ କଳଙ୍କ ଯୋଡି ହୋଇ ରହିଛି । ତେବେ ଚେନ୍ନାଇରେ ତାମିଲନାଡୁ ପ୍ରଗତିଶୀଳ ଲେଖକ ଏବଂ କଳାକାର ସଂଘର ଏକ ବୈଠକରେ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ମ୍ୟାଲେରିଆ ଏବଂ ଡେଙ୍ଗୁ ସହିତ ତୁଳନା କରିଥିଲେ । ସେ କହିଥିଲେ ଯେ ଏହି କାରଣରୁ ସମାଜରେ ଭେଦଭାବ ରହିଛି।
ତାମିଲନାଡୁର ସରକାରଙ୍କ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ କହିଛନ୍ତି ଯେ, ତାଙ୍କ ବିବୃତ୍ତିକୁ ବିକୃତ କରି ଉପସ୍ଥାପନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ମଣିପୁର ହିଂସାକୁ ନେଇ ସାରାଦେଶରେ ଉଠୁଥିବା ପ୍ରଶ୍ନକୁ ଏଡାଇବା ପାଇଁ ସେ (ପିଏମ ମୋଦୀ) ସାରା ବିଶ୍ୱରେ ବୁଲୁଛନ୍ତି ।