ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଆତ୍ମସମୀକ୍ଷା ଆଉ କରିବା କେବେ ?

ଭୁବନେଶ୍ୱର, ୩।୭/(ଡ. ସାରଦା ପ୍ରସାଦ କର): ମଣିଷ ମାତ୍ରେ ହିଁ ଭୁଲ୍‌ । ଭୁଲ୍‌ କିଏ ନକରେ? ଜୀବନ ପଥରେ ପାଦ ବଢ଼ାଇଲା ବେଳେ, ବେଳେବେଳେ ଅମଡ଼ା ବାଟ ଆଡ଼େ ମାଡ଼ିଯାଏ ମଣିଷ । ଜ୍ଞାତସାରରେ ବା ଅଜ୍ଞାତରେ ହେଉ, ଛୋଟ ବଡ଼ ଭୁଲ୍‌ ସେ କରିବସେ । ତେଣୁ ଭୁଲ୍‌ଟିଏ କରିବା ଯେତେ ବଡ଼ ଅପରାଧ ନୁହେଁ, ତା’ଠାରୁ ବଡ଼ ଅପରାଧ ହେଉଛି ସେ ଭୁଲ୍‌କୁ ସ୍ୱୀକାର ନକରିବା । ନିଜ ଭୁଲ୍‌କୁ ସ୍ୱୀକାର କରି ଯେ ଅନୁତପ୍ତ ହୁଏ ଓ ଏହାର ପୁନରାବୃତ୍ତି ନହେବାପାଇଁ ମନରେ ଦୃଢ଼ ସଂକଳ୍ପ କରି ପ୍ରଭୁଙ୍କ ଆଶ୍ରିତ ହୋଇଯାଏ, ସେ ମଣିଷ ହେଲେ ମଧ୍ୟ ଦେବତାର ଆସନକୁ ଉନ୍ନୀତ ହୁଏ । ଅପରପକ୍ଷରେ ଯେ ନିଜର ଭୁଲ୍‌କୁ ସ୍ୱୀକାର କରିବା ଜାଣେନା କି ଅନୁଶୋଚନା କରେନା, ସେ ଦେବତା ହେଲେ ବି ଦାନବ ସ୍ତରକୁ ଖସିଆସେ । ଏହା ହେଉଛି ଦେବତା ଓ ଦାନବ ଭିତରେ ଥିବା ପାର୍ଥକ୍ୟ । ଏହି ପ୍ରସଙ୍ଗରେ ରାମାୟଣର ଦୁଇଟି ଚରିତ୍ରକୁ ବିଶ୍ଳେଷଣ କରାଯାଇପାରେ । ପ୍ରଭୁ ଶ୍ରୀରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣଙ୍କ ସହ ପଞ୍ଚବଟୀରେ ଅବସ୍ଥାନ କରୁଥିବାବେଳେ ଦୁଷ୍ଟ ରାବଣ ନିଜର ବେଶ ବଦଳାଇ ସାଧୁ ବେଶରେ ଆସି ସୀତାଙ୍କୁ ଅପହରଣ କଲା । 

ଠିକ୍‌ ସେହିପରି ପ୍ରଭୁ ଚିତ୍ରକୂଟରେ ଥିବାବେଳେ ଦେବରାଜ ଇନ୍ଦ୍ରଙ୍କ ପୁଅ ଜୟନ୍ତ କାକ ବେଶରେ ଆସି ଚଞ୍ଚୁରେ ସୀତାଙ୍କ ଚରଣ ଆଘାତ କଲା³ ଯାହା ଦୈତ୍ୟ ରାବଣ କଲା ତାହା ଦେବପୁତ୍ର ଜୟନ୍ତ ବି କଲା । ଉଭୟଙ୍କର କର୍ମ ଥିଲା ମନ୍ଦ, କିନ୍ତୁ ପ୍ରଭେଦ ମାତ୍ର ଏତିକି ଯେ ବିକଳ ଜୟନ୍ତ ଦେବର୍ଷି ନାରଦଙ୍କ ଶରଣାପନ୍ନ ହୋଇ ଅନୁତାପପୂର୍ବକ ନିଜେ କରିଥିବା ଭୁଲ୍‌କୁ ସ୍ୱୀକାର କଲା ଓ ତଦନୁସାରେ ପ୍ରଭୁଙ୍କ ପାଦପଦ୍ମରେ ଶରଣ ଗଲା । କିନ୍ତୁ ମୂଢ଼ ରାବଣର ନା ଥିଲା ଅନୁତାପ ନା ଶରଣାଗତି । ନିଜେ ଗୁରୁ ଶଙ୍କର ହନୁମାନ ରୂପରେ ଯାଇ ବୁଝେଇଲେ । ବିଭୀଷଣ ପାଦ ଧରି ନେହୁରା ହେଲା । ଅଙ୍ଗଦ ଭୟ ଦେଖାଇଲା । ମନ୍ଦୋଦରୀ କେତେ ଅଳି କଲା । କିନ୍ତୁ ରାବଣ ଉପରେ ଏସବୁର ସାମାନ୍ୟ ପ୍ରଭାବ ମଧ୍ୟ ପଡ଼ିଲା ନାହିଁ । ପ୍ରଭୁ ଶରଣ କଥା ପଚାରେ କିଏ? ଭୁଲ୍‌ କାମ ଦୁଇଜଣ କଲେ । କିନ୍ତୁ ଜଣେ ତରିଗଲା ଆଉ ଜଣେ ମରିଗଲା । ଜଣେ ନିଜର କୃତକର୍ମରେ ଅନୁତପ୍ତ ହୋଇ ତଦନୁସାରେ ନିଜକୁ ଗଢ଼ିପାରିଲା । ତେଣୁ ସେ ହେଲା ଦେବତା । ଆଉ ଜଣେ ଏତେ ଜ୍ଞାନୀ ହୋଇ ମଧ୍ୟ ନିଜର ମୂର୍ଖତା ଓ ମନ୍ଦସ୍ୱଭାବ ଯୋଗୁଁ ଅଶାନ୍ତି ନଈରେ ବୁଡ଼ି ମରିଲା । ଆମ ସମାଜର ଚିତ୍ର ମଧ୍ୟ ଠିକ୍‌ ଏହିପରି । ଏଠି ମଣିଷ ନିଜର ହାମ୍‌ବଡ଼ା ଆଉ ସବ୍‌ଜାନତା ଗୁଣ ଯୋଗୁଁ ଜାଣି ଜାଣି ଅଶାନ୍ତି ନିଆଁରେ ଜଳୁଛି । ତା’ ପାଖରେ ବିଦ୍ୟା ଅଛି, କିନ୍ତୁ ବିନମ୍ରତା ନାହିଁ । ତା’ ପାଖରେ ବଡ଼ ବଡ଼ ଗୁରୁ ଅଛନ୍ତି, କିନ୍ତୁ ସେ ଗୁରୁଙ୍କର ଗୁରୁତ୍ୱ କିଛି ନାହିଁ । ପାଖରେ ଧନର ଅଭାବ ନାହିଁ, କିନ୍ତୁ ଦାନର ଅଭାବ ଅଛି । ମଣିଷ ଅଛି, କିନ୍ତୁ ମଣିଷପଣିଆ ମରିଯାଇଛି । ଅଶାନ୍ତିର ଜଉଘରେ ବିଚରା ସନ୍ତୁଳି ହୋଇଯାଉଛି ମଣିଷ । ତେଣୁ ସୁଖ କାହିଁ ? ଅଶାନ୍ତସ୍ୟ କୁତଃ ସୁଖମ୍‌ ? 

ତେଣୁ ଗଭୀର ଭାବରେ ଅନୁଶୀଳନ କଲେ ଜଣାଯାଏ, ଏ ଦୁଃଖ ଓ ଅଶାନ୍ତିର କାରଣ ହେଉଛି ମଣିଷ ପାଖରେ ଆଜି ଆତ୍ମସମୀକ୍ଷାର ଅଭାବ । ଆମେ ସମସ୍ତଙ୍କୁ ସମୀକ୍ଷା କରୁଛେ, ଅନ୍ୟର ଦୋଷ ତ୍ରୁଟି ବି ଦେଖୁଛେ, କିନ୍ତୁ ନିଜେ କରୁଥିବା ଦୋଷଦୁର୍ଗୁଣ ପ୍ରତି କେତେ ସଚେତନ ହେଲେଣି? ସେଥିପାଇଁ ତ ଦୁଃଖର ଜନ୍ମ । ଗୀତାରେ କୁହାଗଲା: "ମମୈବାଂଶ ଜୀବଲୋକ ଜୀବଭୂତ ସନାତନଃ’ । ଅର୍ଥାତ୍‌- ପ୍ରଭୁ ଅଂଶୀ ଓ ଆମେ ସମସ୍ତେ ତାଙ୍କର ଅଂଶ । ତେଣୁ ଆମେ ସ୍ୱରୂପରେ ସିନା ସୁଖୀ, ହେଲେ ସ୍ୱଭାବରେ ବଡ଼ ଦୁଃଖୀ । ଥରେ ବିଚାର କରୁନାହାନ୍ତି! ଜଣେ ବ୍ୟକ୍ତି ଚବିଶି ଘଣ୍ଟା କେବେହେଲେ କ୍ରୋଧ କରି ରହିପାରିବ ନାହିଁ, କିନ୍ତୁ ଚବିଶି ଘଣ୍ଟା ନିଃସନ୍ଦେହରେ ସେ ଶାନ୍ତିରେ ରହିପାରିବ । କାରଣ କ୍ରୋଧ ହେଉଛି ଆଗନ୍ତୁକ, ମାତ୍ର ଶାନ୍ତି ଜୀବନର ସ୍ୱରୂପ । ପାଣିକୁ ସିନା ଗରମ କରିବାକୁ ପଡ଼େ, କିନ୍ତୁ ତାହା ତ ଆପେ ଆପେ ଥଣ୍ଡା ହୋଇଯାଏ । ଯେପରି ଥଣ୍ଡା ହେବା ପାଣିର ସ୍ୱରୂପ, ଅନୁରୂପ ଭାବରେ ସଦା ଶାନ୍ତ ରହିବା ମଧ୍ୟ ଆମ ଜୀବନର ସ୍ୱରୂପ । 

ଏହି ସ୍ୱରୂପ ଆମେ ଯେଉଁଦିନ ବୁଝିଯିବା ସେଦିନ ଆମ ଭିତରେ ଉପଦ୍ରବ କରୁଥିବା ଅହଙ୍କାର ଆପେ ଆପେ ଶୁଖିଯିବ । ଆମ ମାର୍ଗ ହେଉଛି ମନ୍ଦ, ତେଣୁ ଆମ ଭାଗ୍ୟ ବି ହୋଇଛି ମନ୍ଦ । ଏଥିରେ ଦୋଷ ଦେବା କାହାକୁ? ବିଶ୍ୱବିଜୟୀ ସିକନ୍ଦର ଥରେ ପ୍ରଖ୍ୟାତ ଗୁରୁ ଡାୟଜିନିସ୍‌ଙ୍କ ପାଖରେ ନିଜର ସମ୍ପତ୍ତି, ପ୍ରତିପତ୍ତି କଥା ବଖାଣନ୍ତେ, ଗୁରୁ କହିଲେ- ଧରାଯାଉ ତୁମେ ଗୋଟିଏ ବିସ୍ତୀର୍ଣ୍ଣ ମରୁଭୂମିରେ ଥିବ ଓ ଡହଳବିକଳ ହେଉଥିବ ମୁନ୍ଦାଏ ପାଣି ପାଇଁ । ସେ ସମୟରେ ଯଦି କେହି ଗିଲାସେ ପାଣି ଦେଇ ତୁମ ଜୀବନ ରକ୍ଷାକରେ, ତେବେ ତୁମେ ତାକୁ ପ୍ରତିଦାନରେ କ’ଣ ଦେବ? ତତ୍‌କ୍ଷଣାତ୍‌ ବିଶ୍ୱବିଜୟୀ ଉତ୍ତର ଦେଲେ- ମୁଁ ତାକୁ ପ୍ରତିବଦଳରେ ମୋର ସମସ୍ତ ସମ୍ପତ୍ତି ଦେଇଦେବି । ଏ ଉତ୍ତର ଶୁଣି ହସି ହସି ଡାୟଜିନିସ୍‌ ପଚାରିଲେ- ତେବେ ତୁମର ଏତେ ପ୍ରତିଷ୍ଠା, ପରିଶ୍ରମ, ପ୍ରତିପତ୍ତିର ମୂଲ୍ୟ ମାତ୍ର ଗୋଟିଏ ଗ୍ଲାସ ପାଣି । ଏଇ କଥା ପଦକରେ ଆରମ୍ଭ ହେଲା ସିକନ୍ଦରଙ୍କ ଆତ୍ମସମୀକ୍ଷାର ପର୍ବ । ମାଟିରେ ମିଶିଗଲା ବିଶ୍ୱବିଜୟୀଙ୍କ ମନରେ ଥିବା ମହଣ ମହଣ ମୋହ । ମହାମୋହରେ ଜୁଡ଼ୁବୁଡ଼ୁ ଥିବା ଜଣେ ସମ୍ରାଟଙ୍କ ଜୀବନରେ ଆସିଲା ଅଭୂତପୂର୍ବ ପରିବର୍ତ୍ତନ । ଏହାର ନାମ ହିଁ ଆତ୍ମସମୀକ୍ଷା ବା ସ୍ୱଧ୍ୟାୟ । ସ୍ୱ ଅର୍ଥ- ଆତ୍ମା । ଏହି ଅନ୍ତରାତ୍ମାକୁ ଯେ ସଠିକ୍‌ ଅନୁଶୀଳନ କରେ, ପାପ- ପୁଣ୍ୟର ଅଙ୍କ କଷେ ତାହା ହିଁ ପ୍ରକୃତ ସ୍ୱାଧ୍ୟାୟ । 

ଏହା ହିଁ ମଣିଷ ଭିତରେ ଥିବା ଅଶାନ୍ତ ଉପଦ୍ରବକୁ ପୋଛିଦେଇ ଦେବତ୍ୱର ସନ୍ଧାନ ଦିଏ । ଗୀତା, ଭାଗବତ, କୋରାନ, ବାଇବେଲ୍‌ ପଢ଼ି ଯଦି ଆମ ସ୍ୱଭାବରେ ପରିବର୍ତ୍ତନ ହେଲାନାହିଁ ତେବେ ସେ ପାଠ କେଉଁ କାମକୁ? ବିବେକାନନ୍ଦଙ୍କୁ କେହି ଜଣେ ପଚାରିଲେ- ସ୍ୱାମୀଜୀ! ସ୍ୱାଧ୍ୟାୟ କରି ଆପଣ କ’ଣ ପାଆନ୍ତି? ବିବେକାନନ୍ଦ ଉତ୍ତରରେ କହିଲେ- ମୁଁ ପାଏନାହିଁ, ବରଂ କିଛି ହରାଏ । ଏ ମନରେ ଥିବା ଦୁର୍ବାସନା, ଅଜ୍ଞାନ ଓ ଅହଙ୍କାରକୁ ହରାଇ ଦେଇ ମୋ ସ୍ୱରୂପରେ ମୁଁ ସ୍ଥିତ ରହେ, ତେଣୁ ସୁସ୍ଥ । ସ୍ୱସ୍ମିନ୍‌ ତିଷ୍ଠତି ଇତି ସ୍ୱସ୍ଥଃ । ଆଜିର ଦୁନିଆରେ ଯେତେବେଳେ ଆତ୍ମସମୀକ୍ଷାର ମରୁଡ଼ି ପଡ଼ିଛି, ସେହି ସମୟରେ ଆମର ଏହି ଆତ୍ମଚିନ୍ତନ ଯଦି ଚିରସ୍ରୋତା ପରି ଚିରନ୍ତନ ରହିପାରନ୍ତା, ତେବେ ଯାଇ ଘୃଣାର ଘୋଷଣାନାମା, ବର୍ବରତାର ବିସ୍ଫୋରଣ ପ୍ରଶମିତ ହୋଇ ଉଇଁ ଆସନ୍ତା ଯବା କୁସୁମାର୍ଚ୍ଚିତ ସ୍ୱର୍ଣ୍ଣିଳ ସକାଳ³ ଆଉ ଗୁଞ୍ଜରିଉଠନ୍ତା "ସର୍ବେ ଭବନ୍ତୁ ସୁଖିନଃ’ର ଶାଶ୍ୱତ ଶାନ୍ତି ପାଠ ।

 

  

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.