ନୂଆଦିଲ୍ଲୀ ୦୬/୧୧: ଦକ୍ଷିଣ ଭାରତୀୟ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ଅମଲା ପଲ୍ ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅତି ନିରାଡମ୍ବର ଉତ୍ସବରେ ବୟଫ୍ରେଣ୍ଡ ଜଗତ ଦେଶାଇଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ସେ । ଉଭୟ ଅମଲା ଏବଂ ଜଗତ ଦେଶାଇ ନିଜ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ଫଟୋ ପୋଷ୍ଟ କରିବା ପରେ ନବଦମ୍ପତିଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି ।
ଏହି ବିବାହର ଥିମ୍ ଥିଲା ବାଇଗଣୀ ରଙ୍ଗ । ବ୍ରାଇଡାଲ ଲୁକ୍ ପାଇଁ ଅମଲା ହାଲ୍କା ବାଇଗଣୀ ରଙ୍ଗର ୱେଷ୍ଟର୍ଣ୍ଣ ଲେହେଙ୍ଗା ସହ ବେକରେ ନେକଲେସ୍ ପିନ୍ଧିଥିଲେ । ଜଗତ ଦେଶାଇ ଧଳା ଏବଂ ହାଲ୍କା ବାଇଗଣୀ ରଙ୍ଗର ଶେରୱାନି ପରିଧାନ କରିଥିଲେ । ଅମଲାଙ୍କର ଏହା ଦ୍ୱିତୀୟ ବିବାହ । ୨୦୧୪ରେ ତାମିଲ ନିର୍ଦ୍ଦେଶକ ଏଏଲ୍ ବିଜୟଙ୍କୁ ସେ ବାହା ହୋଇଥିଲେ । ତେବେ ଏହି ବିବାହ ଅଧିକ ଦିନ ଧରି ତିଷ୍ଠି ନଥିଲା । ୨୦୧୭ରେ ଉଭୟଙ୍କର ବିବାହବିଚ୍ଛେଦ ହୋଇଥିଲା । ତା’ର ବହୁବର୍ଷ ପରେ ନିକଟରେ ଅମଲା ପୁଣି ପ୍ରେମରେ ପଡି଼ଥିବା କଥା ସାର୍ବଜନୀନ କରିଥିଲେ ।
ଅମଲାଙ୍କର ଦ୍ୱିତୀୟ ସ୍ୱାମୀ ଜଗତ ଦେଶାଇ ଗୋଆ ବାସିନ୍ଦା ହୋଇଥିବାବେଳେ ସେଠାକାର ଏକ ବିଳାସବହୁଳ ଭିଲ୍ଲାରେ ମ୍ୟାନେଜର ଭାବେ କାମ କରନ୍ତି । ସୂଚନାଥାଉକି, ଅମଲା ଅନେକଗୁଡିଏ ତାମିଲ, ମାଲାୟଲମ ଏବଂ ତେଲଗୁ ଫିଲ୍ମରେ କାମ କରିଛନ୍ତି । ଚଳିତବର୍ଷ ବଲିଉଡ୍ ଡେବ୍ୟୁ କରିଥିଲେ ସେ । ଅଜୟ ଦେବଗନଙ୍କର ଫିଲ୍ମ ‘ଭୋଲା’ରେ ତାଙ୍କୁ ଦେଖିବାକୁ ମିଳିଥିଲା ।