ସାନଖେମୁଣ୍ଡି, ୨୧/୧୧ : ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଟ୍ରାକ୍ଟର ଓଲଟି ୨ମୃତ, ୨୫ରୁ ଉର୍ଦ୍ଧ୍ବ ଆହତ। ବିଜେପି ବ୍ଲକ ଘେରାଉ ପାଇଁ ଆସୁଥିବା ବେଳେ ଅଘଟଣ । ମଞ୍ଜୁସା ଥାନା ଅନ୍ତର୍ଗତ ତାଳଗୁରାଣ୍ଠି ନିକଟରେ ଏହି ଦୁର୍ଘଟଣା ଘଟିଛି।
ପାତ୍ରପୁର-ଚିକିଟି ବ୍ଲକ ଘେରାଉ ପାଇଁ ମଙ୍ଗଳବାର ବିଜେପିର ଡାକରା ଥିଲା। ସେଥି ପାଇଁ ପାତ୍ରପୁର ବ୍ଲକ ପାହାଡ଼ ଉପରୁ ଏକ ଟ୍ରାକ୍ଟର ଯୋଗେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ କର୍ମକାର୍ତ୍ତାଙ୍କୁ ନେଇ ଚିକିଟି ଅଭିମୁଖେ ଆସୁଥିଲେ। ଏତିକି ବେଳେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମଞ୍ଜୁସା ଥାନା ଅନ୍ତର୍ଗତ ତାଳଗୁରାଣ୍ଠି ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଜରଡ଼ା ଥାନା ବୁରଟତାଳ ପଞ୍ଚାୟତ ଗୁଡିପଦର ଗ୍ରାମର ଈଶ୍ୱର ଶବର (ଡେରା) ଏବଂ କୁସମଳା ଗ୍ରାମର ଜଗନ୍ନାଥ ଭୂୟାଁ ।
ଟ୍ରାକ୍ଟର ଓଲଟିବା ପରେ ଡାଲା ଭାଗ ଏକ କେନାଲରେ ପଡିଯିବା ବେଳେ ସମ୍ମୁଖ ଭାଗ ରାସ୍ତାରେ ପିଟି ହୋଇଥିଲା । ଉଭୟ ମୃତକ ଗାଡିର ଡ୍ରାଇଭର ପାଖରେ ବସିଥିଲେ । ଦୁର୍ଘଟଣା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ସହ ଉଭୟ ପଲାସା ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ମଞ୍ଜୁସା ମେଡ଼ିକାଲ ପଠାଇବା ସହିତ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।