ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ରାଜ୍ୟରେ ସୁଧୁରୁନି ଦରଦାମ୍, ଅନ୍ୟ ରାଜ୍ୟ ଉପରେ ନିର୍ଭରତା ଯୋଗୁ ଚାପ, ୧୦୦% ବଢ଼ିଛି ଡାଲି ଦର

ଭୁବନେଶ୍ୱର, ୧୫/୧୧ : ଓଡ଼ିଶାର ଖୁଚୁରା ବଜାରରେ ଦରଦାମ ସ୍ଥିତି ଅଣାୟତ୍ତ । ରାଜ୍ୟରେ ଦରବୃଦ୍ଧି ସ୍ତର ଦେଶର ଅନ୍ୟ ପ୍ରାନ୍ତଗୁଡିକଠାରୁ ଅଧିକ ରହିଛି । ଏବେ ଖାଉଟିଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶ ଛୁଆଁ ହୋଇ ରହିଛି । ଦରଦାମ ଚାପରେ ଖାଉଟି ତଉଳି ହେଉଛନ୍ତି । ବଜାର ବିଶେଷଜ୍ଞଙ୍କ କହିବା ମୁତାବକ, ବିଭିନ୍ନ ସାମଗ୍ରୀ ପାଇଁ ରାଜ୍ୟ ଦେଶର ବିଭିନ୍ନ ପ୍ରାନ୍ତ ଉପରେ ନିର୍ଭର କରୁଛି । ପରିବହନ ସହ ଆନୁଷଙ୍ଗିକ ଖର୍ଚ୍ଚ ରହୁଛି । ସେହିଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ବଜାରରେ ଯୋଗାଣ ଏବଂ ଚାହିଦା ସମସ୍ୟା ରହିଲେ ଖାଉଟିଙ୍କ ଉପରେ ଏହାର ତ୍ୱରିତ ପ୍ରଭାବ ପଡୁଛି । 

ରାଜ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ବର୍ଷ ଡାଲି କିଲୋ ପ୍ରତି ଦର ୯୦ ଟଙ୍କା ଥିବା ବେଳେ ଏବେ ୧୮୦ ଟଙ୍କାକୁ ବଢ଼ିଛି । ସେହିଭଳି ଚାଉଳ, ଅଟା, ସୁଜି, ମଇଦା ଭଳି ଗହମଜାତ ପଦାର୍ଥ ସହ ଅନ୍ୟ ପ୍ରାୟ ସାମଗ୍ରୀର ଦର ବଢ଼ିବା ଯୋଗୁ ଖାଉଟି ନାହିଁ ନ ଥିବା ସମସ୍ୟାର ସାମ୍ନା କରୁଛନ୍ତି । ଗତ ବର୍ଷ ୨୮ ଟଙ୍କାରେ ବିକ୍ରି ହେଉଥିବା ଚାଉଳ ଏବେ ୪୦ ଟଙ୍କାକୁ ବଢ଼ିଛି । ୨୯ ଟଙ୍କାରେ ବିକ୍ରି ହେଉଥିବା ଅଟା କିଲୋ ୪୨ରୁ ୪୫ ଟଙ୍କା ଛୁଇଁଛି । ଖାଇବା ତେଲ କିଲୋ ପିଛା ଦର ୧୨୦ରୁ ବଢ଼ି ୨୧୫ ଛୁଇଁଲାଣି । ପେଟ୍ରୋଲ ଡିଜେଲ ଦର ୭୫ ଟଙ୍କାରୁ ବଢ଼ି ଯଥାକ୍ରମେ ୯୭ ଟଙ୍କା ଏବଂ ୧୦୩ ଟଙ୍କା ରହିଛି । ଅକ୍ଟୋବର ମାସରେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହାର ଜାତୀୟ ସ୍ତର ତୁଳନାରେ ଅଧିକ ଅର୍ଥାତ ୬.୪୭% ରହିଛି । ରାଜ୍ୟର ଗ୍ରାମାଞ୍ଚଳରେ ଏହି ହାର ୯.୨୮% ଥିବା ବେଳେ ସହରାଞ୍ଚଳରେ ରହିଛି ୬.୯୬% । ଗତ କିଛି ଦିନ ତଳେ ପିଆଜ ଦର କିଲୋ ପିଛା ୨୦ ଟଙ୍କା ଥିବା ବେଳେ ଏହା ଏବେ ୬୦ ଟଙ୍କା । ଚଳିତ ବର୍ଷ ପରିବା ବଜାର ସରଗରମ ହୋଇଥିଲା । ଅଧିକାଂଶ ପରିବା ଦର ଶତକ ଛୁଇଁଥିଲା । ଟମାଟୋ ଦର ୧୫୦ ଟଙ୍କା ଛୁଇଁଥିଲା । ଏହା ଏବେ ୬୦ ଟଙ୍କାକୁ ଖସିଲାଣି । ଏବେ ଯାଏ ପରିବା ବଜାର ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନାହିଁ । କାର୍ତ୍ତିକ ପାଇଁ ପରିବା ଚଢ଼ାରେ ବିକ୍ରି ହେଉଛି । 

ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରର ୟୁନିଟ ୧ ପରିବା ମାର୍କେଟରେ ଅଧିକାଂଶ ପରିବା ଦର ୫୦ରୁ ୬୦ ଟଙ୍କା ସ୍ତରରେ ରହିଛି । ଧନିଆ ପତ୍ର କିଲୋ ୨୫୦ ଟଙ୍କା ଥିବା ବେଳେ ଅଦା ୧୪୦, ପିଆଜ ୬୦ , ବିନ୍ସ ୧୦୦, ପୋଟଳ ୬୦, ଗାଜର ୪୦, ବନ୍ଧା କୋବି ୩୦, ଜହ୍ନି ୪୦, ଭେଣ୍ଡି ୪୦, ଆଳୁ ୨୦, ବାଇଗଣ ୫୦ ଏବଂ କଲରା କିଲୋ ପିଛା ଦର ୫୦ ଟଙ୍କା ରହିଛି । ସ୍ଥାନୀୟ ଜୟଦେବ ବିହାରର ସ୍ମାରକୀ ପଟ୍ଟନାୟକ କହିଛନ୍ତି, ଦରଦାମ ଚାପ ବଜେଟ ବିଗାଡିଛି । ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ଏହି ପରିପ୍ରେକ୍ଷୀରେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି, ସରକାର କେବଳ ପ୍ରଚାର ସର୍ବସ୍ୱ କାମ କରୁଛନ୍ତି । ଦେଶବାସୀ ଦରଦାମ ଚାପରେ ଥିବା ବେଳେ ଏହାର ନିୟନ୍ତ୍ରଣରେ ସରକାର ବିଫଳ । କର୍ପୋରେଟଗୁଡିକର ମନମାନି ଯୋଗୁ ଦରଦାମ ଅନିୟନ୍ତ୍ରିତ । ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ୱାଇଁ କହିଛନ୍ତି, କାର୍ତ୍ତିକରେ ସାଧାରଣତଃ ପରିବା ଦର ଉଚ୍ଚ ରହିଥାଏ । ମଙ୍ଗଳବାର ଅଧିକାଂଶ ପରିବା ଦର ପ୍ରାୟ ୬୦ ଟଙ୍କାରେ ବିକ୍ରି ହେଉଛି । ପିଆଜ, ଟମାଟୋ ସହ ଅନ୍ୟ କିଛି ବର୍ଗର ପରିବା ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭର କରୁଛି । 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.