ବାଲେଶ୍ୱର,୦୩/୦୮: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କ ଗିରଫ କଲା ଭିଜିଲାନ୍ସ।ଆଜି ଶ୍ରୀ ପ୍ରଧାନଙ୍କୁ କୋର୍ଟ ଚାଲାଣ କରିବ ଭିଜିଲାନ୍ସ। ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ବେଳେ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କ ଅସଲ ମୁଖା ଖୋଲିଦେଇଛି । ଅଧିକାରୀ ଜଣକ କ୍ଷମତାର ଦୂରୁପଯୋଗ କରି ଠୁଳ କରିଥିଲେ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଛି। ଓଡ଼ିଶା ସମେତ ପଶ୍ଚମବଙ୍ଗରେ ୮୫ଟି ପ୍ଲଟ୍ ରହିଛି । ଚଢ଼ଉ ବେଳେ ଶ୍ରୀ ପ୍ରଧାନଙ୍କ ଏଭଳି ଅଚଳାଚଳ ସମ୍ପତ୍ତି ଦେଖି ଚକିତ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ । ଚାକିରି କାଳରେ ଜଣେ ସରକାରୀ ଅଧିକାରୀ କୁବେର ଭଳି ସମ୍ପତ୍ତିର ମାଲିକ ହେବା ଆଲୋଡ଼ନ ସୃଷ୍ଟି ହୋଇଥିଲା।
ସୂଚନା ମୁତାବିକ, ଶ୍ରୀ ପ୍ରଧାନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆସିବା ପରେ ବାଲେଶ୍ୱର ଭିଜିଲାନ୍ସ ଏସ୍ପି ନରହରି ବେହେରାଙ୍କ ନେତୃତ୍ୱରେ ୭ଟି ଟିମ୍ ଗଠନ କରାଯାଇଥିଲା । ଟିମ୍ ସଦସ୍ୟମାନେ ଶୁକ୍ରବାର ସକାଳ ୫ଟାରେ ଶ୍ରୀ ପ୍ରଧାନଙ୍କ ଜଳେଶ୍ୱରସ୍ଥିତ ପୈତୃକ ଘର, ଜଳେଶ୍ୱର ବଡ଼ବଜାରରେ ନବନିର୍ମିତ ୫ ମହଲା କୋଠା ଓ ମାର୍କେଟ କମ୍ପେ୍ଲକ୍ସ, ବାଲିଆପାଳ ଅନ୍ତର୍ଗତ ମଇଷାମୁଣ୍ଡାସ୍ଥିତ ଶ୍ୱଶୁର ଘର, ଆଇଟିଆଇ ଛକ ନିକଟରେ ଥିବା ସରକାରୀ କାର୍ଯ୍ୟାଳୟ, ଅଫିସ୍ ଚାମ୍ବର, ଜଳେଶ୍ୱରର ଶାନ୍ତିଆସ୍ଥିତ ଘନିଷ୍ଠ ସମ୍ପର୍କୀୟଙ୍କ ତଥା ଜଣେ ଠିକାଦାରଙ୍କ ଘରେ ଏକକାଳୀନ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଶ୍ରୀ ପ୍ରଧାନଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ କର୍ମଚାରୀ ଚକିତ ହୋଇଥିଲେ । ସମୟ ବିତିବା ସହ ଲମ୍ବି ଚାଲିଥିଲା ସମ୍ପତ୍ତି ତାଲିକା ।
ଭିଜିଲାନ୍ସର ତଥ୍ୟ ମୁତାବକ, ଶ୍ରୀ ପ୍ରଧାନଙ୍କ ପାଖରେ ୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୮୫ଟି ପ୍ଲଟ୍ ଅଛି । ସେଥିମଧ୍ୟରୁ କେବଳ ଜଳେଶ୍ୱରରେ ୮୦ଟି ପ୍ଲଟ୍ ରହିଛି । ଏହାକୁ ବାଦ୍ ଦେଲେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗରେ ୪ଟି ଏବଂ ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ୍ ରହିଛି । କେବଳ ଏତିକି ନୁହେଁ, ଶ୍ରୀ ପ୍ରଧାନଙ୍କ ନାମରେ ଜଳେଶ୍ୱରରବଡ଼ବଜାରରେ ପାଖାପାଖି ୧୨,୫୦୦ ବର୍ଗଫୁଟରେ ନୂଆ କରି ନିର୍ମାଣ ହୋଇଥିବା ୫ ମହଲା କୋଠା ଓ ୬୧୫୧ ବର୍ଗଫୁଟ୍ର ମାର୍କେଟ କମ୍ପେ୍ଲକ୍ସ ଅଛି । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ । ଏହା ବ୍ୟତୀତ ଶ୍ରୀ ପ୍ରଧାନଙ୍କ ଘରୁ ନଗଦ ୧୧ଲକ୍ଷ ୭୦ ହଜାର ୯୮୦ ଟଙ୍କା ଓ ୩୩୪.୫୫ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ଜବତ ସୁନା ଅଳଙ୍କାର ମଧ୍ୟରେ ଗୋଟିଏ ସୁନା ବିସ୍କୁଟ ଅଛି । ସେହିଭଳି ବ୍ୟାଙ୍କ୍, ପୋଷ୍ଟାଲ୍ ଓ ବିଭିନ୍ନ ବୀମାରେ ୭୮ଲକ୍ଷ ୨ହଜାର ୭୭୯ ଟଙ୍କା ଜମା ରହିଛି । ତାଙ୍କ ଘରେ ଥିବା ଆସବାବପତ୍ରର ଆନୁମାନିକ ମୂଲ୍ୟ ୬ ଲକ୍ଷ ୬୩ ହଜାର ଟଙ୍କା । ତାଙ୍କ ନିକଟରେ ଗୋଟିଏ ଟାଟା ଇଣ୍ଡିକା କାର୍, ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି ଅଛି । ଶ୍ରୀ ପ୍ରଧାନ ଚତୁରତାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ । ଭିଜିଲାନ୍ସ ନଜରରୁ ବର୍ତ୍ତିବା ପାଇଁ ସମ୍ପର୍କୀୟଙ୍କ ନାମରେ ଜମି କିଣୁଥିଲେ । ବିଶେଷ କରି କେତେଜଣ ଠିକାଦାର, ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ଅଧିକାଂଶ ସମ୍ପତ୍ତି ଅଛି । ଶ୍ରୀ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହେବା ପରେ ଏବେ ସମ୍ପୃକ୍ତ ଠିକାଦାର, ବିଭାଗୀୟ ଯନ୍ତ୍ରୀ ଭିଜିଲାନ୍ସ ସ୍କାନର୍କୁ ଆସିଛନ୍ତି । ସେପଟେ ଚଢ଼ଉ ବେଳେ ଭିଜିଲାନ୍ସ ଟିମ୍ର ଅଜାଣତରେ ଚତୁରତାର ସହ ଟଙ୍କା ଆଟାଚିକୁ ବହାରକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି । ଚଢ଼ଉ ଶେଷ ପରେ ଶ୍ରୀ ପ୍ରଧାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଚଢ଼ଉରେ ୨ ଅତିରିକ୍ତ ଏସ୍ପି, ୪ ଡିଏସପି, ୬ ଇନ୍ସିପେକ୍ଟର, ୭ ଏଏସଆଇ ସାମିଲ ଥିଲେ ।
ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନ ବାଲେଶ୍ୱର ଜଳସେଚନ ବିଭାଗରେ ଦୀର୍ଘ ଦିନ ଧରି କାମ କରି ଆସୁଛନ୍ତି। ୨୦୦୭ ପର୍ଯ୍ୟନ୍ତ ସେ ବାଲେଶ୍ୱର ଜଳସେଚନ ବିଭାଗର ଏସ୍ଡିଓ ଥିଲେ । ପରେ ପଦୋନ୍ନତି ପାଇ ଜଳ ସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ହୋଇଥିଲେ । ୨୦୨୦-୨୧ ମସିହାରୁ ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା । ତେବେ ଦୁଇ ଦିନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟର କନ୍ଷ୍ଟ୍ରକ୍ସନ ଇଞ୍ଜିନିୟର ଭାବେ ଶ୍ରୀ ପ୍ରଧାନଙ୍କ ପଦୋନ୍ନତି ହୋଇଥିଲା ।