ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦେଶରେ ପୁଣି ଏନଡିଏ ରାଜ୍, ତୃତୀୟ ଥର ବିଜେପି ସରକାର ପାଇଁ ସ୍ପଷ୍ଟ ବହୁମତ, ଇଣ୍ଡି ମେଣ୍ଟ ବି ଦେଇଛି ଟକ୍କର

ନୂଆଦିଲ୍ଲୀ, ୦୫/୦୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ତୃତୀୟଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ହ୍ୟାଟ୍ରିକ୍‌ ସ୍ପଷ୍ଟ ହୋଇଯାଇଛି । ଲୋକସଭା ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି । ଫଳାଫଳ ଅନୁସାରେ ଏନ୍‌ଡିଏ ୨୯୦ ଆସନରେ ବିଜୟୀ/ଅଗ୍ରଣୀ ହୋଇଛି । ଅନ୍ୟପକ୍ଷରେ ବିରୋଧୀ ଦଳଙ୍କୁ ନେଇ ଗଠିତ ଇଣ୍ଡିଆ ମେଣ୍ଟ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରିବା ସହ ୨୩୫ ଆସନ ପାଇବାକୁ ଯାଉଛି । ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ୧୮ ଆସନ ଯାଇଛି । ତେବେ ଫଳାଫଳ ବିଜେପି କିମ୍ବା ଏନ୍‌ଡିଏର ଆଶାଜନକ ହୋଇନାହିଁ । ଏନ୍‌ଡିଏ ଏଥର ୪୦୦ ପାର୍‌ କରିବ ବୋଲି ଆଶା ରଖିଥିଲା । ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ଦୃଢ଼ ଦାବି କରିଆସିଥିଲେ । ସେହିଭଳି ବିଜେପି ମଧ୍ୟ ଅତିକମ୍‌ରେ ୩୭୦ ଆସନ ହାସଲ କରିବ ବୋଲି ଟାର୍ଗେଟ ରଖିଥିଲା । କିନ୍ତୁ ୩୭୦ ମିଳିବା ତ ଦୂରର କଥା ବହୁମତ (୨୭୨)ଠାରୁ ବହୁ ଦୂରରେ ରହିଛି । ବିଜେପିକୁ ମୋଟ ୨୩୯ ଆସନ ମିଳିଛି । ଯାହାକି ଗତ ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ବହୁତ କମ୍‌ । 

୨୦୧୯ରେ କେବଳ ବିଜେପି ୩୦୩ ଆସନ ଜିତିଥିଲା । ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ କଂଗ୍ରେସ ୯୯ ଆସନ ପାଇଥିଲା ବେଳେ ସମାଜବାଦୀ ପାର୍ଟି ୩୮, ଟିଏମ୍‌ସି ୨୯, ଡିଏମ୍‌କେ ୨୧, ଟିଡିପି ୧୬, ଜେଡିୟୁ ୧୫, ଶିବସେନା (ୟୁବିଟି) ୯, ଏନ୍‌ସିପି (ଶରଦ) ୭, ଶିବସେନା (ସିନ୍ଦେ)୬, ଏଲ୍‌ଜେପି ୫ ଓ ଆରଜେଡିକୁ ୪ ଆସନ ମିଳିଛି । ସେହିଭଳି ଅନ୍ୟାନ୍ୟ ଛୋଟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ଅନ୍ୟ କେତେକ ଆସନରେ ଜିତିଛନ୍ତି । ନିର୍ବାଚନରେ ଏନ୍‌ଡିଏର ସଫଳତା ପରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟ ବାହାରେ ଦଳୀୟ ନେତା ଓ କର୍ମୀମାନେ ଏକାଠି ହୋଇ ବାଣଫୁଟାଇ ଉତ୍ସବ ମନାଇଛନ୍ତି । ଆଜିର ଫଳାଫଳ ଘୋଷଣା ସହ ପ୍ରାୟ ୮୦ ଦିନ ଧରି ଚାଲିଥିବା ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ନିର୍ବାଚନ କମିଶନ ମାର୍ଚ୍ଚ ୧୬ ତାରିଖରେ ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ । ଦେଶରେ ଏପ୍ରିଲ ୧୯ ତାରିଖରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ୫୪୩ ଆସନରେ ଭୋଟ ଗ୍ରହଣ ହୋଇଥିଲା । ନିର୍ବାଚନରେ କମ୍‌ ଆସନ ପାଇବା ସହ ଏନ୍‌ଡିଏର ଭୋଟ ସେୟାର ମଧ୍ୟ ହ୍ରାସ ପାଇଛି । ୨୦୧୯ରେ ଭୋଟ ହାର ପ୍ରାୟ ୫୦ ପ୍ରତିଶତ ଥିଲା ବେଳେ ବର୍ତ୍ତମାନ ତାହା ୪୬ ପ୍ରତିଶତକୁ ଖସି ଆସିଛି । 

ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟର ଭୋଟ ସେୟାର ୪୧ ପ୍ରତିଶତକୁ ବଢ଼ିଛି । ବିଜେପି ପାଇଁ ସବୁଠାରୁ ବଡ ଝଟକା ଦେଇଛି ଉତ୍ତରପ୍ରଦେଶ । ରାଜ୍ୟର ୮୦ ଆସନରୁ ଇଣ୍ଡିଆ ବ୍ଲକ୍‌ ୪୪ଟିରେ ବିଜୟୀ/ଅଗ୍ରଣୀ ଥିବା ବେଳେ ବିଜେପି ମାତ୍ର ୩୫ଟିରେ ବିଜୟୀ/ଅଗ୍ରଣୀ ରହିଛି । ମହାରାଷ୍ଟ୍ରର ୪୮ ଆସନରୁ ଇଣ୍ଡିଆ ମେଣ୍ଟ ୩୦ଟିରେ ଆଗରେ ରହିଥିବା ବେଳେ ଏନ୍‌ଡିଏ ପଛରେ ପଡିଯାଇଛି । ବିଜେପି ଏଠାରେ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନ୍‌ସିପି ସହ ମେଣ୍ଟ କରିଥିଲେ ମଧ୍ୟ ମାତ୍ର ୧୭ଟିରେ ଆଗୁଆ ରହିଛି । ଏନଡିଏ ଏଠାରେ ୪୫ରୁ ଅଧିକ ଆସନ ପାଇବାକୁ ଲକ୍ଷ୍ୟ ରଖିଥିଲା । ପଶ୍ଚିମବଙ୍ଗରେ ମଧ୍ୟ ପ୍ରାରମ୍ଭିକ ଗଣନାରେ ବିଜେପି ଓ ଟିଏମ୍‌ସି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଟିଏମ୍‌ସି ୩୨ ଆସନରେ ବିଜୟୀ/ଅଗ୍ରଣୀ ରହିଥିଲା ବେଳେ ବିଜେପି ୯ଟିରେ ବିଜୟୀ/ଅଗ୍ରଣୀ ହୋଇଥିଲା । 

ସେହିଭଳି ରାଜସ୍ଥାନ, ହରିଆଣା, ବିହାର ଓ ଝାଡଖଣ୍ଡରେ ମଧ୍ୟ ବିଜେପିକୁ ଗତଥର ଭଳି ସଫଳତା ମିଳି ନାହିଁ । ୨୦୧୯ ତୁଳନାରେ ଚଳିତଥର କମ୍‌ ଆସନ ମିଳିଛି । ଏନ୍‌ଡିଏ ତୃତୀୟଥର ପାଇଁ କ୍ଷମତାସୀନ ହେବ ଏବଂ ପ୍ରଧାନମନ୍ତ୍ରୀ ଭାବେ ମୋଦି ହ୍ୟାଟ୍ରିକ କରିବେ ବୋଲି ଅନେକ ସଂସ୍ଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ସେମାନଙ୍କ ଏଗ୍‌ଜିଟ ପୋଲରେ ଆକଳନ କରିଥିଲେ । ତାହା ସଫଳ ହୋଇଛି । ହେଲେ ସେମାନେ ଏନ୍‌ଡିଏ ୩୫୦ରୁ ଅଧିକ ଆସନ ପାଇବ ବୋଲି ଯେଉଁ ଅନୁମାନ ଲଗାଇଥିଲେ ତାହା ଭୁଲ ପ୍ରମାଣିତ ହୋଇଛି । ଇଣ୍ଡିଆ ମେଣ୍ଟର ଏଭଳି ଅପ୍ରତ୍ୟାଶିତ ପ୍ରତ୍ୟାବର୍ତ୍ତନ ଫଳରେ ଏନ୍‌ଡିଏର ବହୁ ବଡ଼ବଡ଼ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କୁ ନିଜ ନିଜ ଆସନରେ ପରାଜିତ ହେବାକୁ ପଡିଛି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଉତ୍ତରପ୍ରଦେଶରେ ଆମେଥିରେ କଂଗ୍ରେସର କିଶୋରୀଲାଲଙ୍କ ଠାରୁ ପରାଜିତ ହୋଇଛନ୍ତି ।

କେରଳର ତିରୁଅନନ୍ତପୁରମ ଆସନରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କଂଗ୍ରେସ ପ୍ରାର୍ଥୀ ତଥା ସାଂସଦ ଶଶୀ ଥରୁରଙ୍କ ଠାରୁ ହାରିଯାଇଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପାରମ୍ପରିକ ଆସନ ବାରାଣସୀରୁ ତୃତୀୟଥର ପାଇଁ ବିଜୟୀ ହୋଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ୧ ଲକ୍ଷ ୫୨ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି । ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ବିଜୟୀ ହୋଇଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉଭୟ ଉତ୍ତରପ୍ରଦେଶର ରାୟବରେଲି ଓ କେରଳର ୱାୟନାଡ ଆସନରୁ ଜିତିଛନ୍ତି । ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ୫୪୩ ଆସନରୁ ଏନ୍‌ଡିଏ ୩୫୩ ଆସନ ଜିତିବାରେ ସକ୍ଷମ ହୋଇଥିଲା । ସେଥିମଧ୍ୟରୁ ବିଜେପି ୩୦୩ ଆସନ ପାଇଥିଲା । ଯାହାକି ମ୍ୟାଜିକ ନମ୍ବର ୨୭୨ ଠାରୁ ଢେର ଅଧିକ । ଏପରିକି ୨୦୧୪ ନିର୍ବାଚନ ତୁଳନାରେ ମଧ୍ୟ ଅଧିକ ଆସନଲାଭ କରିଥିଲା । ୨୦୧୪ରେ ବିଜେପି ୨୮୨ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ୨୦୧୪ରେ ମାତ୍ର ୪୪ ଆସନ ପାଇଥିଲା ବେଳେ ୨୦୧୯ରେ ସାମାନ୍ୟ ବଢ଼ି ୫୨ ଆସନ ପର୍ଯ୍ୟନ୍ତ ଯାଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.