ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସେବା ଭାବନାର ବାସ୍ନା କାହିଁ ?

ଭୁବନେଶ୍ୱର: ପ୍ରାୟ ଅଧିକାଂଶ ଲୋକ କ୍ଷମତା ଭଲ ପାଆନ୍ତି । ସେଥିରେ କିଛି ତ୍ରୁଟି ନାହିଁ । ଆମକୁ ବି କ୍ଷମତା ମିଳିଲେ ଆମେ ଗ୍ରହଣ କରିବୁ। କାରଣ କ୍ଷମତା ଥିଲେ ଲୋକ ସମ୍ମାନ ଦେବେ, ସବୁ କାର୍ଯ୍ୟ ସହଜରେ ହୋଇଯିବ, ବିଭିନ୍ନ ବଡ଼ ବଡ଼ ମଞ୍ଚରେ ବସିବାକୁ ଓ କହିବାକୁ ସୁଯୋଗ ମିଳିବ । ସବୁ ପ୍ରକାର ଲୋକଙ୍କ ସହିତ ମିଶିବାକୁ ସୁଯୋଗ ମିଳିବ । ଅନ୍ୟମାନଙ୍କ ପାଇଁ ମଧ୍ୟ କିଛି କରିବାର ସୁଯୋଗ ମିଳିବ । ପୁନଶ୍ଚ ମଣିଷ ଉଚ୍ଚାଭିଳାଷୀ ହେବା ଆବଶ୍ୟକ, କାରଣ ଆଜି ଯେଉଁସବୁ ବୈଜ୍ଞାନିକ ଉଦ୍ଭାବନ ଓ ଆବିଷ୍କାର ହୋଇଛି, ଜୀବନ ସରସ ଓ ସୁନ୍ଦର ହୋଇଛି, ତାହା ସମ୍ଭବ ହୋଇଛି ମଣିଷର, ଅଭିଳାଷ, ଆଶା ଓ ଆକାଂକ୍ଷା ଯୋଗୁଁ । ଏଣୁ କ୍ଷମତା ହାସଲ କରିବା ପାଇଁ ଚେଷ୍ଟା କରିବା ବା ବିଧାୟକ, ସାଂସଦ ବା ମନ୍ତ୍ରୀ ହେବାପାଇଁ ଚେଷ୍ଟା କରିବା କିଛି ଭୁଲ୍‌ ନୁହେଁ । କିନ୍ତୁ ଏହା ହାସଲ ପାଇଁ ଅସତ୍‌, ଅନ୍ୟାୟ, ହିଂସାତ୍ମକ ପଥ ଅବଲମ୍ବନ କରିବା ଅନୁଚିତ । ନୈତିକତା, ମାନବିକତାକୁ ଜଳାଞ୍ଜଳି ଦେବା ଏବଂ ସମ୍ବେଦନହୀନ ହେବା ଅନୁଚିତ । ଅବଶ୍ୟ ସବୁ ମଣିଷ ଖରାପ ନୁହଁନ୍ତି, କି ସବୁ ରାଜନେତା ମଧ୍ୟ ଖରାପ ନୁହଁନ୍ତି ।

ଜନପ୍ରତିନିଧି ଗଣତନ୍ତ୍ର ପ୍ରକ୍ରିୟାର ଏକ ମୁଖ୍ୟ ଅଂଶ । କିନ୍ତୁ କ୍ଷମତା ହାସଲ ପାଇଁ ଚେଷ୍ଟା କରିବାବେଳେ ଦେଶ, ରାଜ୍ୟ ଓ ଜନତାଙ୍କ ସେବା କରିବାପାଇଁ ଚାହୁଁଛୁ ବୋଲି କହିବା ସଂପୂର୍ଣ୍ଣ ଭୁଲ୍‌ । କାରଣ ଦେଶ ଓ ଜନତାଙ୍କ ସେବା କରିବା ପାଇଁ ଅନେକ ମାଧ୍ୟମ ଅଛି । ଯଦି ବିଧାୟକ, ସାଂସଦ ବା ମନ୍ତ୍ରୀ ହେବା ସେବା ପାଇଁ, ତେବେ ନିର୍ବାଚନବେଳେ ଏତେ ଉଗ୍ର ପ୍ରଚାର ଓ ହିଂସାତ୍ମକ କାର୍ଯ୍ୟକଳାପ, ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୁଦ୍ଧରେ ଅପନିନ୍ଦା, କୁତ୍ସାରଟନା କାହିଁକି? ସଭା, ସମିତି, ରୋଡ୍‌ ଶୋ’ରେ କୋଟି କୋଟି ଟଙ୍କା କାହିଁକି ବ୍ୟୟ କରାଯାଉଛି? ଯୁବକ ଓ ଯୁବତୀମାନଙ୍କୁ କାହିଁକି ନିୟୋଜିତ କରାଯାଉଛି । ଏତେମାତ୍ରାରେ ଦଳବଦଳ କାହିଁକି ଘଟୁଛି । ହଜାର ହଜାର କୋଟି କଳାଟଙ୍କା ବ୍ୟୟ କରାଯାଇ ଭୋଟରଙ୍କୁ ପ୍ରଭାବିତ କରାଯାଉଛି । ମଦ ପିଇବା, ମାଂସଭୋଜି ପ୍ରବଳ ମାତ୍ରାରେ ନିର୍ବାଚନବେଳେ ଦେଖିବାକୁ ମିଳୁଛି । ଯଦି ସେବା ମନୋବୃତ୍ତି ହୋଇଥାନ୍ତା, ଭାରତୀୟ ନିର୍ବାଚନ ସର୍ବାଧିକ ବ୍ୟୟବହୁଳ ହୋଇନଥାନ୍ତା କି ଅପରାଧର ପୃଷ୍ଠଭୂମି ଥିବା ଲୋକ ବେଶୀ ନିର୍ବାଚନରେ ଅବତୀର୍ଣ୍ଣ ହୁଅନ୍ତେ ନାହିଁ କି ଜିତନ୍ତେ ନାହିଁ । ଆଜି ଜଣେ ଅନ୍ୟ ଦଳର ନେତାର ଦୁର୍ନୀତି, କୁକାର୍ଯ୍ୟକୁ ତୀବ୍ର ବିରୋଧ କଲାବେଳେ, ନିଜ ଦଳର କୌଣସି ନେତାର ଦୁର୍ନୀତି ଓ କୁକାର୍ଯ୍ୟକୁ ସମର୍ଥନ କରୁଛନ୍ତି? ଆଜି ରାଜନୀତି ସେବାପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଆଦର୍ଶହୀନ, ନୀତିହୀନ ହୋଇଯାଇଛି।

ରାଜନୀତି ଆଦର୍ଶହୀନ ହୋଇନଥିଲେ ଏତେମାତ୍ରାରେ ବ୍ୟୟ ହୁଅନ୍ତା ନାହିଁ । ସେଣ୍ଟର ଫର୍‌ ମିଡିଆ ଷ୍ଟଡିଜ୍‌ (ସିଏମ୍‌ଏସ୍‌)ର ତଥ୍ୟ ଅନୁସାରେ ୨୦୧୯ ନିର୍ବାଚନରେ ୬୦,୦୦୦ କୋଟି ଟଙ୍କା ବ୍ୟୟ ହୋଇଥିଲାବେଳେ ୨୦୨୪ ନିର୍ବାଚନରେ ଏହି ପରିମାଣ ୧.୩୫ଲକ୍ଷ କୋଟି ଟଙ୍କା ହେବ । ହାରାହାରି ଭୋଟ ପିଛା ୧୪୦୦ ଟଙ୍କା । ଆମେରିକାର ୨୦୨୦ ନିର୍ବାଚନରେ ୧.୨୦ଲକ୍ଷ କୋଟି ଟଙ୍କା ବ୍ୟୟ ହୋଇଥିଲା । ଏଥିରେ ଦଳୀୟ ବ୍ୟୟ ଓ ପ୍ରାର୍ଥୀଙ୍କ ହାରାହାରି ବ୍ୟୟ କ୍ରମଶଃ ହ୍ରାସ ପାଇଲାବେଳେ କର୍ପୋରେଟମାନଙ୍କ ବ୍ୟୟ ବୃଦ୍ଧି ପାଉଛି । ୨୦୧୪ରେ କର୍ପାରେଟମାନଙ୍କ ବ୍ୟୟ ମୋଟ୍‌ ବ୍ୟୟର ୩୩% ହୋଇଥିଲାବେଳେ, ୨୦୧୯ରେ ଏହା ୭୦% ହୋଇଥିଲା । ସେବା ପାଇଁ କ’ଣ ଏମିତି ଅର୍ଥ ବ୍ୟୟ କରାଯାଏ । କର୍ପୋରେଟମାନେ କାହିଁକି ବ୍ୟୟ କରୁଛନ୍ତି? ପୁନଶ୍ଚ ଯଦି ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ପୃଷ୍ଠଭୂମି ସମୀକ୍ଷା କରାଯାଏ, ତେବେ ନିର୍ବାଚନ ଅଧିକାଂଶ ଧନୀ ଓ ଅପରାଧୀଙ୍କ ଖେଳ ସାଜିଛି ବା କ୍ଷମତା ହାସଲ କରିବାର ଏକ ବଡ଼ ମାଧ୍ୟମ ସାଜିଛି । ସେବା ମନୋବୃତ୍ତିର ଟିକେ ବାସ୍ନା ନାହିଁ । କେବଳ ପ୍ରଚୁର ଅର୍ଥ ବ୍ୟୟ ଦୃଷ୍ଟିରୁ ନୁହେଁ ବରଂ ରାଜନୈତିକ ଆଚରଣ ଉପରେ ଅର୍ଥର ସୁଦୂରପ୍ରସାରୀ ପ୍ରଭାବ ପଡୁଛି । କ୍ଷମତା ଓ ପ୍ରଚୁର ଅର୍ଥ (କଳା ବା ଧଳା) ଥିଲେ, ସେଲିବ୍ରିଟି ଷ୍ଟାଟସ ହାସଲ ପରେ କିମ୍ବା କୌଣସି ରାଜନୈତିକ ପରିବାରରୁ ଆସିଥିଲେ ପୁନଶ୍ଚ କ୍ଷମତା ହାସଲ ପାଇଁ କିଛି ସକ୍ରିୟ ରାଜନୀତିକୁ ଆଦରି ନେଉଛନ୍ତି । ସେବା କଥା କେବଳ ଭାଷଣରେ ।

୨୦୨୪ ଲୋକସଭା ନିର୍ବାଚନରେ କେବଳ ଭୋଟରଙ୍କ ସଂଖ୍ୟା ୬୪.୨ କୋଟି ଥିଲା ଯାହା ଐତିହାସିକ । ସେହିପରି ଲୋକସଭା ନିର୍ବାଚନରେ ୮୩୬୦ ଲୋକ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । କେବଳ ୧୯୯୬ରେ ଏହାଠାରୁ ଅଧିକ ବା ୧୩୯୫୨ଜଣ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆରଏସ୍‌) ଏବଂ ନ୍ୟାସନାଲ ଇଲେକ୍ସନ ୱାଚ୍‌ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କ ଆଫିଡେଭିଟ୍‌ ବା ଆତ୍ମ-ଶପଥପତ୍ରକୁ ବିଶ୍ଳେଷଣ କରି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଓ ନିର୍ବାଚିତ ପ୍ରାର୍ଥୀଙ୍କ ସମ୍ପତ୍ତି ଓ ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥାଏ । ବାସ୍ତବରେ ସମ୍ପଦ ଦୃଷ୍ଟିରୁ ତାହା ଅଧିକ ହେବ । ଅତ୍ୟନ୍ତ  ଚିନ୍ତା ଓ ଉଦ୍‌ବେଗର ବିଷୟ ହେଉଛି, ପ୍ରତ୍ୟେକ ନିର୍ବାଚନରେ ଅପରାଧିକ ମାମଲା ସହିତ ଜଡ଼ିତ ନିର୍ବାଚିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଉଦାହରଣ ସ୍ୱରୂପ ନିର୍ବାଚିତ ୫୪୩ଜଣ ଲୋକସଭା ସାଂସଦ ମଧ୍ୟରୁ ୨୦୦୪ରେ ୧୨୫ (୨୩%)ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିଲାବେଳେ, ଏହା ୨୦୦୯ରେ ୧୬୨ (୩୦%), ୨୦୧୪ରେ ୧୮୫ (୩୪%), ୨୦୧୯ରେ ୨୩୩ (୪୩%)କୁ ବୃଦ୍ଧିପାଇଛି । ୨୦୨୪ ନିର୍ବାଚନରେ ୫୪୩ଜଣ ନବନିର୍ବାଚିତ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୨୫୧ଜଣ (୪୬%)ଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ଏବଂ ସେମାନଙ୍କ ମଧ୍ୟରୁ ୨୭ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୧୯ଜଣ ବା (୨୭%)ଙ୍କ ବିରୋଧରେ ଗୁରୁତର ଅପରାଧ ଏବଂ ମହିଳାଙ୍କ ବିରୋଧରେ ଅପରାଧ କରିବାର ଅଭିଯୋଗ ରହିଛି । ଜିତିବାର ସମ୍ଭାବନା ୨୦୨୪ ଲୋକସଭା ନିର୍ବାଚନରେ ଘୋଷିତ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ପାଇଁ ୧୫.୩% ରହିଥିଲା । ସେହିପରି ୫୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୨୦୧୪ ଲୋକସଭା ନିର୍ବାଚନରେ ଜିତିଥିବା କୋଟିପତିଙ୍କ ସଂଖ୍ୟା ୮୨% ଥିଲାବେଳେ ୨୦୧୯ ନିର୍ବାଚନରେ ୮୮% ବା ୪୭୫କୁ ବୃଦ୍ଧି ପାଇଥିଲା । ସେହିପରି ଏହା ୨୦୨୪ରେ ୯୩%କୁ ବୃଦ୍ଧି ପାଇଛି । ଅର୍ଥାତ୍‌ ୫୪୩ ବିଜେତା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ୫୦୪ଜଣ କୋଟିପତି । ସଂସଦର ସଦସ୍ୟଙ୍କ ସମ୍ପଦ କେବଳ ଗୋଟିଏ ନିର୍ବାଚନରୁ ଆଉ ଗୋଟିଏ ନିର୍ବାଚନକୁ ବୃଦ୍ଧିପାଇଛି । ଗତ ୧୫ବର୍ଷ ମଧ୍ୟରେ ସେମାନଙ୍କର ହାରାହାରି ସମ୍ପଦ ସାତଗୁଣରୁ ଅଧିକ ବୃଦ୍ଧିପାଇଛି । ଏହା ୨୦୦୯ରେ ୫.୩୫ କୋଟି ଟଙ୍କାରୁ ୨୦୧୯ରେ ୧୪.୭ କୋଟି ଟଙ୍କା, ୨୦୧୯ରେ ୨୦.୯ କୋଟି ଟଙ୍କା ଏବଂ ୨୦୨୪ରେ ୪୬.୩୪ କୋଟି ଟଙ୍କାକୁ ବୃଦ୍ଧିପାଇଛି । ସର୍ବାଧିକ ୧୦ଜଣ ଧନୀଙ୍କ ସମ୍ପତ୍ତି ପରିମାଣ ମୋଟ୍‌ ଉପରେ ୧୪୩୧୦ କୋଟି ଟଙ୍କା । ୨୦୧୯ରେ ଜିତି ୨୦୨୪ ଲୋକସଭା ନିର୍ବାଚନରେ ପୁନଃ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩୨୪ ସାଂସଦଙ୍କ ହାରାହାରି ସମ୍ପତ୍ତି ପ୍ରାୟ ୨୧.୫୫ କୋଟି ଟଙ୍କାରୁ "ଉଲ୍ଲେଖନୀୟ’ ବୃଦ୍ଧି ହୋଇ ୩୦.୮୮ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥାତ୍‌ ଗତ ପାଞ୍ଚବର୍ଷ ମଧ୍ୟରେ ୪୩% ବା ୯.୩୩ କୋଟି ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରାଜ୍ୟସଭା ଯାହା ପ୍ରତିଭାସମ୍ପନ୍ନ, ସୃଜନାତ୍ମକ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସେଥିରେ ମଧ୍ୟ ଧନୀ ଓ ଅପରାଧିକ ମାମଲା ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧିପାଇଛି । ୨୨୫ଟି ରାଜ୍ୟସଭା ସାଂସଦଙ୍କ ହାରାହାରି ସମ୍ପତ୍ତି ୮୦.୯୩ କୋଟି ଟଙ୍କା ଥିଲାବେଳେ ୭୫ଜଣ ନିଜ ବିରୋଧରେ ଅପରାଧିକ ମାମଲା କଥା ଘୋଷଣା କରିଛନ୍ତି । ଚାରିଜଣ ମହିଳାଙ୍କ ବିରୋଧରେ ଅପରାଧ କରିଥିବାର ମଧ୍ୟ ସ୍ୱୀକାର କରିଛନ୍ତି । ପୁନଶ୍ଚ ମନ୍ତ୍ରିମଣ୍ଡଳରେ ଯେଉଁମାନେ ସ୍ଥାନ ପାଇଛନ୍ତି, ସେମାନେ ମଧ୍ୟ ଏଥିରୁ ମୁକ୍ତ ନୁହଁନ୍ତି । ନୂତନ ମନ୍ତ୍ରୀଙ୍କ ମଧ୍ୟରୁ ୯୯% କୋଟିପତି । ହାରାହାରି ସମ୍ପତ୍ତି ୧୦୭.୯୪ କୋଟି ଟଙ୍କା । ପୁନଶ୍ଚ ସେମାନଙ୍କ ମଧ୍ୟରୁ ୧୯ଜଣ (୨୭%)ଙ୍କ ବିରୋଧରେ ଗୁରୁତର ଅପରାଧ ଏବଂ ମହିଳାଙ୍କ ବିରୋଧରେ ଅପରାଧ କରିବାର ଅଭିଯୋଗ ରହିଛି । ୨୪୦ଟି ସିଟ୍‌ ଜିତିଥିବା ସର୍ବବୃହତ ଦଳ ଭାବରେ ଉଭା ହୋଇଥିବା ବିଜେପିର ସର୍ବାଧିକ ସଂଖ୍ୟକ କୋଟିପତି ଅଛନ୍ତି । ୨୪୦ ବିଜେତା ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ ୯୫% ଅର୍ଥାତ୍‌ ୨୪୦ ମଧ୍ୟରୁ ୨୨୭ଜଣ କୋଟିପତି । ହାରାହାରି ସମ୍ପତ୍ତି ହେଉଛି ୫୦.୦୪ କୋଟି ଟଙ୍କା ଥିବାବେଳେ ୩୯% ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି । ଅକ୍ଟୋବର ୨୦୨୩ ସୁଦ୍ଧା ମୋଟ୍‌ ୧୦୭ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଘୃଣା ବକ୍ତବ୍ୟର ଅଭିଯୋଗ ରହିଛି ।

ଯଦି ଓଡ଼ିଶା ବିଧାନସଭା କଥା ବିଚାର କରାଯାଏ, ତେବେ ୧୪୭ ବିଧାନସଭା ଆସନ ମଧ୍ୟରୁ ୭୮ଟି ହାସଲ କରି ବିଜେପି କ୍ଷମତାକୁ ଆସିଥିବାବେଳେ ବିଜେଡି ମାତ୍ର ୫୧ଟି ଆସନ ଜିତିବାରେ ସଫଳ ହୋଇଛି । କଂଗ୍ରେସ କେବଳ ୧୪ଟିରେ ଜିତିଛି ଏବଂ ସିପିଆଇ-ଏମ୍‌ ଗୋଟିଏ ଓ ତିନିଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ବିଜୟୀ ହୋଇଛନ୍ତି । ୧୪୭ ବିଜେତା ପ୍ରାର୍ଥୀଙ୍କ ମଧ୍ୟରୁ ୫୮% କିମ୍ବା ୮୫ ପ୍ରାର୍ଥୀ ନିଜ ବିରୋଧରେ ଥିବା ଅପରାଧିକ ମାମଲା ଘୋଷଣା କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୭ଜଣ ବା (୪୬%) ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି । ୨୦୧୯ ବିଧାନସଭା ନିର୍ବାଚନରେ ୪୯(୩୪%) ବିଧାୟକ ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଥିଲେ । ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେତା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୭.୩୭ କୋଟି ଟଙ୍କା ହୋଇଥିବାବେଳେ ୨୦୧୯ ବିଧାନସଭା ନିର୍ବାଚନରେ ଏହା ୪.୪୧ କୋଟି ଟଙ୍କା ଥିଲା । ଓଡ଼ିଶାରେ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୭୩% ଲୋକ ହେଉଛନ୍ତି କୋଟିପତି ।

ଆଜି ଯେଉଁ ଅପରାଧ, ହିଂସା, ଦୁର୍ନୀତି, କଳାବଜାରୀ, ସାମାଜିକ ଅସ୍ଥିରତା ବୃଦ୍ଧିପାଉଛି, ତାହାର ସୃଷ୍ଟି ରାଜନୀତି ଓ ନିର୍ବାଚନ ପ୍ରକ୍ରିୟାରୁ । ରାଜନୀତି ସର୍ବଶ୍ରେଷ୍ଠ ନୀତି । ରାଜନୈତିକ ନେତା ଗଣତନ୍ତ୍ର ଓ ନିର୍ବାଚନର ଏକ ମୁଖ୍ୟ ଅଂଶ । କିନ୍ତୁ ନିର୍ବାଚନରେ ଅବତୀର୍ଣ୍ଣ ହେଲାବେଳେ ଏତେ ପ୍ରଚାର, ଅପପ୍ରଚାର, ପରନିନ୍ଦାରେ ଲିପ୍ତ ରହିବା ଦୁଃଖଦାୟକ । ବାସ୍ତବ ସମସ୍ୟାର ସମାଧାନ ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ ସହଜରେ କିପରି ଲୋକଙ୍କୁ ପ୍ରାପ୍ତ ହେବ ସେ କଥା ଆଲୋଚନା କରିବାକୁ କାହାର ସମୟ ନାହିଁ!

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.