ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଘନେଇଲା ଏଲିଅନ୍‌ ରହସ୍ୟ, ଅନୁସନ୍ଧାନ ଲାଗି ନାସାର ନୂଆ ଟିମ୍‌ ଗଠନ

ୱାଶିଂଟନ୍, ୧୫।୯: ଦୀର୍ଘ ବର୍ଷ ଧରି ଏଲିଅନ୍‌ ଓ ୟୁଏଫ୍‌ଓ (ଅନ୍‌ଆଇଡେଣ୍ଟିଫାଏଡ୍‌ ଅବ୍‌ଜେକ୍ଟସ)କୁ ନେଇ ଅନେକ ତଥ୍ୟ ବିଶ୍ୱର ଧ୍ୟାନ ଆକର୍ଷଣ କରୁଛି । ଏଲିଅନ୍‌ ଦୁନିଆ ଅଛି କି ନାହିଁ, ତାକୁ ନେଇ ନାସା ଏବେ ବଡ଼ ଖୁଲାସା କରିଛି । ଏଲିଅନ୍‌ ଓ ୟୁଏଫ୍‌ଓକୁ ନେଇ କରିଥିବା ଦୀର୍ଘ ୧ ବର୍ଷର ଅଧ୍ୟୟନ ପରେ ନାସା ମୁଖ୍ୟ ବିଲ୍‌ ନେଲ୍‌ସନ ୩୩ ପୃଷ୍ଠାର ଏକ ରିପୋର୍ଟ ଜାରି କରିଛନ୍ତି । ସେ କହିଛନ୍ତି, ତାଙ୍କର ବିଶ୍ୱାସ ଯେ ବ୍ରହ୍ମାଣ୍ଡରେ ଏଲିଅନ୍‌ ଦୁନିଆ ଅଛି । ଏହାର ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ଲାଗି ନୂଆ ବୈଜ୍ଞାନିକ ଟେକ୍ନୋଲୋଜି, ଅତ୍ୟାଧୁନିକ ସାଟେଲାଇଟ୍‌ ଏବଂ ଏହି ଅପରିଚିତ ଉଡ଼ନ୍ତା ବସ୍ତୁଗୁଡ଼ିକୁ ଦେଖିବାର ଧାରଣାରେ ପରିବର୍ତ୍ତନ କରିବାକୁ ପଡ଼ିବ । ୧୦୦୦ ବର୍ଷ ପୁରୁଣା ଅନୁମାନ କରାଯାଉଥିବା ଦୁଇଟି ଏଲିଅନ୍‌ ମମିକୁ ଗତ ମଙ୍ଗଳବାର ମେକ୍ସିକୋ ସଂସଦରେ ପ୍ରଦର୍ଶିତ କରିବାର ଦିନକ ପରେ ନାସା ପକ୍ଷରୁ ଏହି ଖୁଲାସା କରାଯାଇଛି । ମେକ୍ସିକୋ ୟୁଏଫ୍‌ଓଲୋଜିଷ୍ଟ୍‌ ଜେମ୍‌ ମୋସାନ କହିଥିଲେ ଯେ ଏହି ଶବ ପେରୁର ଏକ ଖଣିରୁ ମିଳିଥିଲା । 

ତେବେ ଏହି ଦାବିକୁ ନାସା ମୁଖ୍ୟ ଖଣ୍ଡନ କରିଛନ୍ତି । କାରଣ ଏହା ପୂର୍ବରୁ ମଧ୍ୟ ମୋସାନ ଏ ପ୍ରକାର ଦାବି କରିଥିଲେ, ଯାହା ମିଛ ପ୍ରମାଣିତ ହୋଇଥିଲା । ବିଶେଷଜ୍ଞମାନଙ୍କର ଏକ ପ୍ୟାନେଲ୍‌ ନାସାକୁ ଏଲିଅନ୍‌ ଓ ୟୁଏଫ୍‌ଓ ସମ୍ପର୍କରେ ବ୍ୟାପକ ଅନୁସନ୍ଧାନ ପାଇଁ ଅନୁରୋଧ କରିବା ପରେ ନାସା ଜଣେ ନୂଆ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରିଛି । ନାସା ପାଖରେ ଯେତିକି ଟେକ୍ନୋଲୋଜି ଅଛି, ତାହା ମାଧ୍ୟମରେ ଏଲିଅନ୍‌କୁ ନେଇ କୌଣସି ନିଷ୍କର୍ଷରେ ପହଞ୍ଚିବା ସମ୍ଭବ ନୁହେଁ । ୟୁଏଫ୍‌ଓ ଏବଂ ଏଲିଅନ୍‌ ସମ୍ପର୍କରେ ଅସଂଖ୍ୟ ତଥ୍ୟ ଓ ଦୃଶ୍ୟ ରହିଥିଲେ ମଧ୍ୟ ଉପଯୁକ୍ତ ପ୍ରମାଣ ଅଭାବରୁ ସେଥିରେ ମୋହର ବାଜିପାରୁ ନାହିଁ । ୧୯୪୭ ମସିହା, ଜୁନ୍‌ ୨୪ ତାରିଖରେ ପ୍ରସିଦ୍ଧ ଉଦ୍ୟୋଗପତି ଓ ପାଇଲଟ୍‌ କେନେଥ୍‌ ଆର୍ନୋଲ୍ଡ ୱାଶିଂଟନ୍‌ର ମାଉଣ୍ଟ୍‌ ରେନିୟର ନିକଟରେ ଉଡ଼ାଣ ଭରୁଥିଲେ । ହଠାତ୍‌ ୯ ଚମକଦାର ବସ୍ତୁକୁ ଏକସଙ୍ଗେ ଇଂରୀଜୀ ଅକ୍ଷର ‘ଭି’ ପ୍ୟାଟର୍ନରେ ଆକାଶରେ ଉଡୁଥିବା ଦେଖିବାକୁ ପାଇଥିଲେ । ସେଗୁଡ଼ିକର ବେଗ ଘଣ୍ଟା ପ୍ରତି ହାରାହାରି ୨୭୦୦ କିମି ଥିଲା, ଯାହା ସେ ସମୟର ଯେକୌଣସି ଟେକ୍ନୋଲୋଜିଠାରୁ ୩ ଗୁଣ ଅଧିକ ଦ୍ରୁତ ଥିଲା । ପରଦିନ ଏହି ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏହା ପରେ ୟୁଏଫ୍‌ଓ ଦେଖିବା ଘଟଣା ବଢ଼ିଥିଲା । ୨୦୨୦ ମସିହାରେ ୟୁଏଫ୍‌ଓର ଯାଞ୍ଚ ପାଇଁ ଗଠିତ ଆମେରିକୀୟ ଟାସ୍କ ଫୋର୍ସ ଏକ ରିପୋର୍ଟ ଜାରି କରିଥିଲା । 

ଏହି ରିପୋର୍ଟରେ ଆମେରିକୀୟ ସରକାରଙ୍କ ସୂତ୍ର ମାଧ୍ୟମରେ ୨୦୦୪ରୁ ୨୦୨୧ ମଧ୍ୟରେ ୧୪୪ ୟୁଏଫ୍‌ଓ ବିଷୟରେ ତଥ୍ୟ ଦିଆଯାଇଥିଲା । ପେଣ୍ଟାଗନ୍‌ ଏହାକୁ ଅନ୍‌ଆଇଡେଣ୍ଟିଫାଏଡ୍‌ ଏରିଅଲ ଫେନମିନା ଅର୍ଥାତ୍‌ ୟୁଏପି ନାମ ଦେଇଛି । ୧୯୪୭ରୁ ୧୯୬୯ ପର୍ଯ୍ୟନ୍ତ ଆମେରିକୀୟ ବାୟୁସେନା ‘ପ୍ରୋଜେକ୍ଟ ବ୍ଲୁ ବୁକ୍‌’ ନାମକ ଯାଞ୍ଚ ଅଭିଯାନ ଚଳାଇଥିଲା । ଏଥିରେ ମୋଟ୍‌ ୧୨,୬୧୮ ରିପୋର୍ଟର ଯାଞ୍ଚରୁ ଜଣାପଡ଼ିଲା ଯେ ଏଗୁଡ଼ିକ ସାଧାରଣ ଘଟଣା ଥିଲା । ଅନ୍ୟପକ୍ଷରେ ୭୦୧ ରିପୋର୍ଟ ବିଷୟରେ ଅଧିକ ତଥ୍ୟ ମିଳିପାରି ନ ଥିଲା । ଗତ ଜୁଲାଇରେ ଆମେରିକୀୟ ସଂସଦରେ ଏଲିଅନ୍‌ଙ୍କୁ ନେଇ ଚର୍ଚ୍ଚା ହୋଇଥିଲା । ଏହି ସମୟରେ ଆମେରିକୀୟ ନୌବାହିନୀର ପୂର୍ବ ଇଣ୍ଟେଲିଜେନ୍ସ ଅଫିସର ଅବସରପ୍ରାପ୍ତ ଡେଭିଡ୍‌ ଗ୍ରଶ୍‌ ଦାବି କରିଥିଲେ, ଆମେରିକା ଅନେକ ବର୍ଷ ହେଲା ୟୁଏଫ୍‌ଓ ଏବଂ ଏଲିଅନ୍‌ ସମ୍ପର୍କିତ ତଥ୍ୟ ଲୁଚାଉଛି । ୟୁଏଫ୍‌ଓର ରିଭର୍ସ ଇଞ୍ଜିନିୟରିଂ ଉପରେ ମଧ୍ୟ ଏହା କାମ କରୁଛି ବୋଲି ସେ ଦାବି କରିଥିଲେ । ସେ ୨୦୨୨ ମସିହା ଶେଷ ପର୍ଯ୍ୟନ୍ତ ଆମେରିକାର ପ୍ରତିରକ୍ଷା ଏଜେନ୍ସି ପାଇଁ ୟୁଏପି (ୟୁଏଫ୍‌ଓ ସମ୍ପର୍କିତ ସନ୍ଦିଗ୍ଧ ଘଟଣା) ଉପରେ ବିଶ୍ଳେଷଣ କରୁଥିଲେ । ସଂସଦରେ ଶୁଣାଣି ସମୟରେ ସେ କହିଥିଲେ, ସରକାର ଏଲିଅନ୍‌ ଚିହ୍ନଟ କରି ସେମାନଙ୍କ ଯାନ ଉପରେ ଗୁପ୍ତ ଅନୁସନ୍ଧାନ ଚଳାଇଛନ୍ତି । କାମ ସମୟରେ ଦୀର୍ଘ ବର୍ଷରୁ ଦୁର୍ଘଟଣାର ଶିକାର ହୋଇଥିବା ୟୁଏଫ୍‌ଓଗୁଡ଼ିକ ଉପରେ ସରକାରଙ୍କ ରିଭର୍ସ ଇଞ୍ଜିନିୟରିଂ ବିଷୟରେ ସେ ଜାଣିବାକୁ ପାଇଥିଲେ । କିନ୍ତୁ ତାହା ଦେଖିବାକୁ ତାଙ୍କୁ ଅନୁମତି ମିଳିଲା ନାହିଁ । ତେବେ ଆମେରିକୀୟ ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ ତାଙ୍କର ସମସ୍ତ ଦାବିକୁ ଖଣ୍ଡନ କରିଥିଲା ।

PrameyaOdia

Copyright © 2022 - Summa Real Media Private Limited. All Rights Reserved.