ନୂଆଦିଲ୍ଲୀ: ଦେଶରେ ପୁଣି ଫେରିଛି ଚାଷୀ ଆନ୍ଦୋଳନ । ଲୋକସଭା ନିର୍ବାଚନ ପୂର୍ବରୁ ଚାଷୀ ଆନ୍ଦୋଳନ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଦିଲ୍ଲୀ ଚଲୋ ବିରୋଧ ମାର୍ଚ୍ଚରେ ସାମିଲ ହୋଇଥିବା ପ୍ରଦର୍ଶନକାରୀମାନେ ଅମ୍ବାଲାର ଶମ୍ଭୁ ବର୍ଡରରେ ପୋଲିସର ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହା ପରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସ୍ ସ୍ପ୍ରେ କରିଥିଲା ।
ଦିଲ୍ଲୀ ପହଞ୍ଚିବାକୁ ଚାଷୀମାନଙ୍କ ଉଗ୍ର ଆନ୍ଦୋଳନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହ ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ‘ଚାଷୀ ଭାଇ ଆଜି ଐତିହାସିକ ଦିନ । କଂଗ୍ରେସ ସମସ୍ତ ଚାଷୀଙ୍କ ଫସଲ ଲାଗି ସ୍ବାମୀନାଥନ କମିଶନଙ୍କ ଅନୁସାରେ ଏମଏସ୍ପି ଦେବାକୁ ଗ୍ୟାରେଣ୍ଟି ଦେଉଛି । ଏହି ନିଷ୍ପତ୍ତି ୧୫ କୋଟି କୃଷକ ପରିବାରର ସ୍ଥିତି ବଦଳାଇ ଦେବ । ନ୍ୟାୟର ରାସ୍ତାରେ ଏହା କଂଗ୍ରେସର ପ୍ରଥମ ଗ୍ୟାରେଣ୍ଟି।’
ଏହା ସହ ଛତିଶଗଡ଼ରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ସରକାର ଆସିଲେ ଆମେ କୃଷକଙ୍କୁ ଏମଏସପି ଗ୍ୟାରେଣ୍ଟି ଦେବୁ । ବର୍ତ୍ତମାନ କୃଷକମାନେ ଦିଲ୍ଲୀକୁ ଅଗ୍ରସର ହେଉଛନ୍ତି । ସେମାନଙ୍କୁ ରୋକିବାକୁ ଚେଷ୍ଟା କରାଯାଉଛି । ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ଛଡ଼ାଯାଉଛି। କୃଷକମାନେ କେବଳ ନିଜର ପରିଶ୍ରମର ଫଳ ମାଗୁଛନ୍ତି ବୋଲି ରାହୁଲ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ସରକାର ଏମଏସ୍ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛି । ହେଲେ ସ୍ବାମୀନାଥନ କହିଥିବା କଥା ଲାଗୁ କରିବାକୁ ବିଜେପି ସରକାର ପ୍ରସ୍ତୁତ ନାହିଁ । କୃଷକଙ୍କୁ ଏମଏସପି ନେଇ ଆଇନଗତ ଗ୍ୟାରେଣ୍ଟି ଦିଆଯିବା ଦରକାର ବୋଲି ସ୍ବାମୀନାଥନ କହିଥିଲେ । ଇଣ୍ଡିଆ ସରକାର ଆସିଲେ ଆମେ ସ୍ବାମୀନାଥନଙ୍କ କହିବା ଅନୁଯାୟୀ ସବୁକିଛି ଲାଗୁ କରିବୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।