ପୁରୀ, ୧୪/୦୯ : ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ ଥିବା ପଥର ଖଣିଗୁଡିକରୁ ଧାର୍ଯ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ପରିମାଣର ଉତ୍ତୋଳନ ଏବଂ ବେଆଇନ ଉତ୍ତୋଳନ ଘଟଣା। ଖଣି ଲିଜ୍ଧାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁଙ୍କ ଜମି ଉପରେ ଥିବା ନିର୍ମାଣ ପଥର ଏବଂ ମାଙ୍କଡ଼ା ପଥର ଖଣି ଲିଜଧାରୀମାନଙ୍କୁ ଧାର୍ଯ୍ୟ ପରିମାଣଠାରୁ ଅଧିକ ଉତ୍ତୋଳନ ସଂକ୍ରାନ୍ତରେ ଏହା ପୂର୍ବରୁ ନୋଟିସ୍ କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ କେତେକ ଲିଜଧାରୀ ଜରିମାନା ଦାଖଲ କରିନାହାଁନ୍ତି। ଏଥିରୁ ଜଣାପଡୁଛି ଯେ, ସେମାନେ ସ୍ଥାନୀୟ ମାଫିଆଙ୍କ ସହ ହାତ ମିଳାଇ ବେଆଇନ୍ ଉତ୍ତୋଳନ କରୁଛନ୍ତି। ଏହାଦ୍ଵାରା ମହାପ୍ରଭୁଙ୍କ ରାଜସ୍ଵ କ୍ଷତି ହେଉଥିବା ମୁଖ୍ୟ ପ୍ରଶାସକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ସମ୍ପୃକ୍ତ ଲିଜଧାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ, ମହାପ୍ରଭୁଙ୍କ ଜମି ଉପରେ ଆଖି ପକାଉଥିବା ଆଇନ୍ ଉଲ୍ଲଙ୍ଘନକାରୀ ଏବଂ ମାଫିଆଙ୍କ ମଧ୍ୟରେ ଭୟ ସଂଚାର ହେବା ସହ ବେଆଇନ୍ ଖଣି ଉତ୍ତୋଳନକୁ ରୋକାଯାଇ ପାରିବ। ରାଜସ୍ଵ ହାନି ହେବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ନିଜ ଚିଠିରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇଛନ୍ତି।
ଏହା ଭିତରେ କ୍ଷମତା ସମ୍ପନ୍ନ ଅଧିକାରୀ, ସମ୍ପୃକ୍ତ ଖିଲାପି ଲିଜଧାରୀଙ୍କ ଲିଜ୍ ରଦ୍ଦ କରିଛନ୍ତି ଏବଂ ଭବିଷ୍ୟତରେ କୌଣସି ନିଲାମରୁ ବାଦ୍ ଦେବା ପାଇଁ ସେମାନଙ୍କୁ କଳା ତାଲିକାଭୁକ୍ତ ମଧ୍ୟ କରିଛନ୍ତି । ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୃକ୍ତି ଖିଲାପି ଲିଜଧାରୀଙ୍କ ବିରୋଧରେ ଖୋର୍ଦ୍ଧା ସଦର ଥାନାରେ ଏତଲା ଦାୟର କରାଯାଇଛି।