ପ୍ରମୂଖ ଖବର

ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ

ଭୁବନେଶ୍ଵର, ୨୯/୦୨ : ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ଅପରାଜିତା ଷଡ଼ଙ୍ଗୀ, ସମୀର ମହାନ୍ତି, ପୃଥ୍ଵୀରାଜ ହରିଚନ୍ଦନ ଓ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। 

ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି ଯେ, 'ବିଜେପିରେ ମିଶି ମୁଁ ବହୁତ ଖୁସି ଅଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ରନେତୃତ୍ଵ ମୋତେ ପ୍ରେରଣା ଦେଇଛି। ବିଜେଡିରେ ଥିଲା ବେଳୁ ମୁଁ ମୋଦିଙ୍କୁ ସମ୍ମାନ ଜଣାଉଥିଲି। ଏଭଳି ପ୍ରଧାନମନ୍ତ୍ରୀଙ୍କ ସୈନିକ ଭାବେ କାମ କରିବି।' 

ଖୋର୍ଦ୍ଧାର ଜଣେ ଟାଣୁଆ ନେତା ହେଉଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଛାତ୍ର ଜୀବନରୁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ କ୍ୟାରିଅର। ସେ ବିଜେଡିରୁ ୨ ଥରର ବିଧାୟକ ହୋଇଥିଲେ। ୨୦୦୪ରେ ଜାନକୀଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ। ଏହାପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ପରେ ବିଧାୟକ ହୋଇଥିଲେ। ୨୦୧୪ରେ ବେଗୁନିଆରୁ ବିଧାୟକ ହୋଇଥିଲେ। ଏହାପରେ ୨୦୧୯ରେ ଚିଲିକାରୁ ବିଧାୟକ ହୋଇଥିଲେ। 

ସୂଚନାଯୋଗ୍ୟ ଯେ, ଗତବର୍ଷ ମାର୍ଚ୍ଚ ୧୨ ତାରିଖ ଦିନ ବାଣପୁର ବ୍ଲକ୍‌ରେ ଅଧ୍ୟକ୍ଷ ପଦବି ପାଇଁ ନିର୍ବାଚନ ଚାଲିଥିଲା। ଏଥିପାଇଁ ବାଣପୁର ବ୍ଲକ୍‌ ଆଗରେ ଲୋକଙ୍କ ଭିଡ ଲାଗିଥିଲା। ଏହି ସମୟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିତରକୁ ଗାଡ଼ି ଚଳାଇ ପଶି ଆସିଥିଲେ। ଫଳରେ ବିଜେପି ସମର୍ଥକଙ୍କ ସମେତ ପୁଲିସ ଅଧିକାରୀ ତଥା କେତେକ ସାଧାରଣ ଲୋକ ମଧ୍ୟ ଗୁରୁତର ହୋଇଥିଲେ। ବାଣପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ମାର୍ଚ୍ଚ ୨୨ ତାରିଖରେ ବାଣପୁର ପୁଲିସ ଭୁବନେଶ୍ବରରୁ ବିଧାୟକଙ୍କୁ ଗିରଫ କରିଥିଲା । ପରେ କୋର୍ଟରୁ ଜାମିନ ମଧ୍ୟ ପାଇଥିଲେ ଚିଲିକା ବିଧାୟକ । ତେବେ ଏଭଳି ଘଟଣା ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.