ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ସହର ଭିତର ପ୍ଲାଏ ଓଭର ବନ୍ଦ, ରାତି ୧୦ରୁ ଗାଡ଼ି ଚଳାଚଳ ଉପରେ କଟକଣା

ସମ୍ବଲପୁର ୧୦/୦୬: ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କିଭଳି ଭାବେ ସୁରୁଖୁରୁରେ ଯାତ୍ରା ସମାପନ ହେବ  ସେନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।  ସୋମବାର ରାତିରୁ  ବରଯାତ୍ରୀ ଶୋଭାଯାତ୍ରାରୁ ନେଇ ୧୨ ତାରିଖରେ ଦେବ ଦେବ ମହାଦେବ ଓ  ମାତା ପାର୍ବତୀଙ୍କର ମନ୍ଦିର ପ୍ରବେଶ ଯାଏ  ସହରରେ ଗାଡ଼ିମଟର ଚଳାଚଳ ଉପରେ  ଆଂଶିକ କଟକଣା ବଳବତ୍ତର ରହିବ ।  ଏହି ସମୟରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ମୋଟ ୩୨ ପ୍ଲାଟୁନ୍‌  ଫୋର୍ସ ମୁତୟନ ହେବେ । ଏଥିସହ ୨୨୫  ଜଣ ଅଫିସର ମଧ୍ୟରେ ଜଣେ ଏସ୍‌ପି,  ୪ ଅତିରିକ୍ତ ଏସ୍‌ପି, ୧୫ଡ଼ିଏସ୍‌ପି,  ୪୪ ଇନିସ୍ପେକ୍ଟର, ୧୬୧ ଏଏସ୍‌ଆଇ ଓ  ଏସ୍‌ଆଇ ରହିଛନ୍ତି । ଏଥିସହ ୩୫ ଜଣ  ହାବିଲଦାର, ୨୦୪ ଜଣ କଷ୍ଟେବଲ, ୬୬  ଜଣ ମହିଳା କନଷ୍ଟେବଲ, ୪୫୫ ଜଣ  ହୋମଗାର୍ଡ଼ ରହିଥିବା ବେଳେ ୫୧ ଜଣ  ଟ୍ରାଫିକ୍‌ କନଷ୍ଟେବଲ ରହିଛନ୍ତି ବୋଲି  ଡିଆଇବି ଡିଏସ୍‌ପି ବାଲେଶ୍ୱର ଗିଧି  ସୂଚନା ଦେଇଛନ୍ତି ।   

ସମ୍ବଲୁପୁର ସହରରେ ଗତ ବର୍ଷ କର୍ଫ୍ୟୁ  ହୋଇଥିବା ବେଳେ ଏହି ସମୟରେ  ରେକର୍ଡ଼ ସଂଖ୍ୟକ ପୁଲିସ ମୁତୟନ  ହୋଇଥିଲା । ଚଳିତ ବର୍ଷ ସମ୍ବଲପୁର  ଶାନ୍ତ ରହିଥିବାରୁ ବିଗତ ବର୍ଷରେ ଯେମିତି  ପୁଲିସ ମୁତୟ କରାଯାଏ ଠିକ ସେହିପରି  କରାଯାଇଛି । ଷଷ୍ଠୀ ଶୋଭାଯାତ୍ରା ସହରର  ଅନେକ ଗଳି ଦେଇ ଯାଇଥାଏ । ଏହି  ଶୋଭାଯାତ୍ରାରେ ଏଥର ଉଭୟ ଏସ୍‌ପି ଓ  ଜିଲ୍ଲାପାଳ ନୂତନ ରହିଥିବା ବେଳେ ଏହାକୁ ସୁରୁଖୁରୁରେ କରିବାକୁ ପ୍ରଶାସନ ପାଇଁ  କାଠିକର ପାଠ ହେବ ବୋଲି କୁହାଯାଉଛି ।  ଅନେକ ସମୟରେ ପ୍ଲାଏ ଓଭରେ ଛୋଟ  ବଡ଼ ଘଟଣା ଘଟିଯାଏ । ତେଣୁ ଏହାକୁ  ଦୃଷ୍ଟିରେ ରଖି ଆଜି ଠାରୁ ଫ୍ଲାଏ ଓଭରକୁ  ବେରିଗେଟିଂ ଦ୍ୱାରା ବନ୍ଦ କରିଦିଆଯାଇଛି ।   

ଚଳିତ ବର୍ଷ ସମ୍ବଲପୁର ସହରରେ  ୨୨ଟି କମିଟି ପକ୍ଷରୁ ଶୀତଳଷଷ୍ଠୀ ଯାତ୍ରା  ହେଉଛି । ଯାହା ମଧ୍ୟରେ ନନ୍ଦପଡ଼ା,  ଝାଡ଼ୁଆପଡ଼ା, ମୁଦିପଡ଼ା, ଗୁଦଲିଆବନ୍ଧ,  ବାଲିବନ୍ଧା, ଦେଉଳବନ୍ଧ, ବାଲିବନ୍ଧା,  ଶାଲିଆବଗିଚା, ଦଲେଇପଡ଼ା, ବଡ଼ବଜାର,  ଠାକୁରପଡ଼ା, ଦୁର୍ଗାପାଲି, ବୁଢ଼ାରଜା,  କଟରଧୂଆ, ବରେଇପାଲି, ସିନ୍ଦୁରପଙ୍କ,  ମାନେଶ୍ୱର, ଭତରା, ସାକ୍ଷୀପଡ଼ା,  କୁଲୁଥକାନି ପଡ଼ା ରହିଛି । ଏହାକୁ ବାଦ୍‌  ଦେଇ ବୁର୍ଲା, ହୀରାକୁଦ ବିଭିନ୍ନ ସ୍ଥାନରେ  ମଧ୍ୟ ଷଷ୍ଠୀ ଯାତ୍ରା ହେଉଛି । ଏମାନଙ୍କ  ମଧ୍ୟରେ ୫ଟି କମିଟି ଗ୍ରାଣ୍ଡ ଶୋଭାଯାତ୍ରା  କରୁଛନ୍ତି ।

ସେପଟେ, ଷଷ୍ଠୀ ପାଇଁ  ସହରରେ ୨ଟି ମୀନାବଜାର ମଧ୍ୟ ଲାଗିଛି ।  ଗୋଟିଏ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ  ଓ ଅନ୍ୟଟି ଧନୁପାଲି ଥାନା ଅନ୍ତର୍ଗତ  ଚାରଭାଟି ପାଖରେ ରହିଛି । ଫଳରେ ଯାତ୍ରା  ସମୟରେ ବିପୁଳ ଜନସମାଗମ ହେବାର  ସମ୍ଭାବନା ରହିଥିବାରୁ ଗାଡ଼ି ମଟର ଚଳାଚଳ  ଉପରେ ଆଂଶିକ କଟକଣା ଲାଗୁ ହୋଇଛି । ୧୦ ତାରିଖରେ ବରାତ ଥିବା ରୁଟ୍‌ରେ ଗାଡ଼ି ମଟର ବନ୍ଦ ଥିବା ବେଳେ ୧୧ ଓ ୧୨ ତାରିଖ  ସହର ମଧ୍ୟକୁ ଚାରି ଚକିଆ ଯାନ ଛଡ଼ାଯିବ  ନାହିଁ । ସହରକୁ ରେମେଡ଼, ପଞ୍ଚଗୋଛିଆ  ଓ କାବେରୀ ହୋଟେଲ ଦେଇ ପସିବା ପାଇଁ  ବ୍ୟବସ୍ଥା ରହିଛି । ବିଶେଷକରି ଶୋଭାଯାତ୍ରା  ସମୟରେ ଅଇଁଠାପାଲି ବୁଢ଼ାରଜା ପଟରୁ  ଚର୍ଚ୍ଚ ଛକ ଦେଇ ଲକ୍ଷ୍ମୀଟକିଜ ଯାଏ  ରାସ୍ତାରେ ପ୍ରବେଶ ଦିଆଯିବ ନାହିଁ ।, ଜେଲ୍‌  ଛକରୁ ଜିଲ୍ଲା ସ୍କୁଲ ଛକ ଦେଇ ଲକ୍ଷ୍ମୀଟକିଜ  ଓ ଗୋଲବଜାର ରାସ୍ତା, ସରଲାକାନିରୁ  ଶକ୍ତି ମିଷ୍ଠାନ୍ନ ଭଣ୍ଡାର ରାସ୍ତା, ମୁଦିପଡ଼ା-ଲକ୍ଷ୍ମୀଟକିଜ ରାସ୍ତାରେ କଟକଣା ଲାଗୁ  କରାଯାଇଛି । ଧନୁପାଲି ପଟରୁ ଜେଲ୍‌  ଛକକୁ ଆସୁଥିବା ଚାରିଚକିଆ ଗାଡ଼ିଗୁଡ଼ିକୁ  ରିଂ ରୋଡ୍‌ ଦେଇ ବାହାରକୁ ଛଡ଼ାଯିବ  ବୋଲି ସୂଚନା ମିଳିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.