ନୂଆଦିଲ୍ଲୀ, ୨୦।୨: ବିଶ୍ୱରେ ଏଭଳି ଅନେକ ଦ୍ୱୀପ ରହିଛି, ଯାହା ଦେଖିବାକୁ ଖୁବ୍ ସୁନ୍ଦର । ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଏହି ଦ୍ୱୀପଗୁଡ଼ିକର ସୁନ୍ଦରତା ଉପଭୋଗ କରିବା ଲାଗି ଦୂର ଦୂରାନ୍ତରୁ ଧାଇଁ ଆସନ୍ତି । ବର୍ତ୍ତମାନ ଅନେକ ଲୋକ ଦ୍ୱୀପକୁ ମ୍ୟାରେଜ୍ ଡେସଟିନେସ୍ ପ୍ଲେସ୍ ଭାବେ ବାଛୁଛନ୍ତି । ହେଲେ ଏକ ଏଭଳି ଆଇଲାଣ୍ଡ ଅଛି, ଯାହା ଆଦୌ ଲୋକପ୍ରିୟ ନୁହେଁ, କି ସେଠାରେ କୌଣସି ଆକର୍ଷଣୀୟ ଜିନିଷ ମଧ୍ୟ ନାହିଁ । ତଥାପି ସେହି ଆଇଲାଣ୍ଡକୁ ଯିବା ପାଇଁ ଲୋକଙ୍କ ଆଗ୍ରହ ଥାଏ ।
ଜାଣି ଆଶ୍ଚର୍ଯ୍ୟ ହେବେ, ବର୍ଷରେ କେବଳ ୬ ଥର ସର୍ବସାଧାରଣଙ୍କ ପାଇଁ ଖୋଲିଥାଏ ଏହି ଆଇଲାଣ୍ଡ । ପର୍ଯ୍ୟଟକମାନେ ଏହି ଆଇଲାଣ୍ଡର ସୁନ୍ଦରତାରେ ମୁଗ୍ଧ ହୋଇଯାନ୍ତି । ଏହି ଆଇଲାଣ୍ଡର ନାଁ ‘ସିକ୍ରେଟ୍ ଆଇଲାଣ୍ଡ’ । ଏହା ଇଂଲଣ୍ଡରେ ଅବସ୍ଥିତ । ବର୍ତ୍ତମାନ ଏହି ଆଇଲାଣ୍ଡଟି ମିଲିଟାରୀଙ୍କ କବଜାରେ ରହିଛି । ଏହି ଆଇଲାଣ୍ଡ ମଧ୍ୟରେ କେବଳ ଗୋଟିଏ ଦୋକାନ ଓ ଗୋଟିଏ ଚର୍ଚ୍ଚ ରହିଛି । ଏଠାରେ କୌଣସି ପବ୍, ହୋଟେଲ କିମ୍ୱା ବୁଲିବା ଲାଗି କୌଣସି ସ୍ୱତନ୍ତ୍ର ଜାଗା ନାହିଁ । ତଥାପି ବହୁ ସଂଖ୍ୟକ ଲୋକେ ଏଠାକୁ ଯିବାକୁ ମନ ବଳାଇଥାନ୍ତି ।
ଆସେକ୍ସ ତଟର ଅପରପାର୍ଶ୍ୱରେ ଥିବା ଫାଉଲନେସ୍ ଦ୍ୱୀପରେ କେବଳ ୧୫୦ ଜଣ ଲୋକ ରୁହନ୍ତି । ଏଠାରେ ପ୍ରାୟ ୮୦ଟି ଘର ଅଛି, ଯାହା ୨ଟି ଗ୍ରାମରେ ବିଭକ୍ତ ହୋଇଛି । ବାହାର ଲୋକଙ୍କୁ ଏହି ଗାଁ ଭିତରକୁ ପ୍ରବେଶ କରିବା ଲାଗି ଅନେକ ନିୟମ ରହିଛି । ଏଠାକୁ ଆସିବାକୁ ହେଲେ ପର୍ଯ୍ୟଟକମାନଙ୍କୁ ପଞ୍ଜିକରଣ କରିବାକୁ ପଡ଼େ । ଏଥିସହ ଆଇଲାଣ୍ଡର ହେରିଟେଜ୍ ସେଣ୍ଟରର ୱେବ୍ସାଇଟ୍ରେ ପୂର୍ବରୁ ଆବେଦନ କରିବାକୁ ପଡ଼େ । ଦ୍ୱୀପଟି ଖାଲି ପଡ଼ିଥିବାରୁ ପୂର୍ବରୁ ଏହା ଚୋର, ଡକାୟତଙ୍କ ଆଡ୍ଡାସ୍ଥଳୀ ଥିଲା ।
ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏହି ଫାଉଲନେସ୍ ବା ସିକ୍ରେଟ୍ ଦ୍ୱୀପକୁ ବ୍ରିଟେନ୍ର ଯୁଦ୍ଧ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ଏହି ଦ୍ୱୀପଟି ମିଲିଟ୍ରୀ ଅଫ୍ ଡିଫେନ୍ସ ଅଧୀନରେ ରହିଛି ଏବଂ ମିସାଇଲ୍ ପରୀକ୍ଷଣ ପାଇଁ ବ୍ୟବହାର କରାଯାଉଛି । ଏହି ଦ୍ୱୀପରେ ମିଲିଟ୍ରୀ ଅଫିସରମାନଙ୍କ ଦ୍ୱାରା ଗୋପନୀୟ ଭାବେ କାର୍ଯ୍ୟ କରାଯାଉଥିବା ମଧ୍ୟ ସ୍ଥାନୀୟ ଗ୍ରାମବାସୀ କୁହନ୍ତି । ତେବେ ଛୁଟି କାଟିବା ଲାଗି ପର୍ଯ୍ୟଟକମାନେ ଏଠାକୁ କେବଳ ପ୍ରତି ମାସର ପ୍ରଥମ ରବିବାର ହିଁ ଆସିପାରିବେ ।