ନୀଳଗିରି,୨୪/୦୮: ନୀଳଗିରି ବ୍ଲକ ଅଧୀନ ଧୋବଶିଳା ଉଦୟ ନାରାୟଣ ବିଦ୍ୟାପୀଠରେ ପୂର୍ବରୁ କାର୍ଯ୍ୟରତ ହିନ୍ଦୀ ଶିକ୍ଷକ ଚାକିରୀ ହରାଇ ଦୀର୍ଘ ୨୦ ବର୍ଷ ନ୍ୟାୟିକ ସଂଘର୍ଷ ଜାରି ରଖିଥିଲେ । ଶେଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦ ବର୍ଷ ପରେ ଚାକିରି ଫେରିପାଇଛନ୍ତି ହିନ୍ଦୀ ଶିକ୍ଷକ ରମେଶ ଚନ୍ଦ୍ର ପରିଡ଼ା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶୁକ୍ରବାର ସେ କାର୍ଯ୍ୟରେ ଯୋଗଦାନ କରିଥିବା ବେଳେ ତାଙ୍କ ସ୍ଥାନରେ ୨୦ ବର୍ଷ ଚାକିରୀ କରିଥିବ ଶିକ୍ଷୟିତ୍ରୀ ବିନୋଦିନୀ ନାୟକଙ୍କ ଭାଗ୍ୟ କ’ଣ ହେବ ତାହା ଅସ୍ପଷ୍ଟ । ସଂପୃକ୍ତା ଶିକ୍ଷୟିତ୍ରୀ ନିଜ ଚାକିରି ନେଇ ନ୍ୟାୟ ଆଶାରେ ଉପରିସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସାଂସଦଙ୍କ ଉପରେ ଭରଷା କରିଛନ୍ତି ।
ସୂଚନାଯୋଗ୍ୟ ନୀଳଗିରି ବ୍ଲକ ଧୋବଶିଳା ଉଦୟ ନାରାୟଣ ବିଦ୍ୟାପୀଠରେ ୧୯୯୧ ମସିହାରେ ହିନ୍ଦୀ ଶିକ୍ଷକ ଭାବେ ରମେଶ ଚନ୍ଦ୍ର ପରିଡ଼ା କାର୍ଯ୍ୟରେ ଯୋଗ ଦେଇଥିଲେ । ୨୦୦୪ ମସିହାରେ ତତ୍କାଳୀନ ପ୍ରଧାନଶିକ୍ଷକ ତାଙ୍କୁ ଦୀର୍ଘବର୍ଷ ଅନୁପସ୍ଥିତ ରହିବା କାରଣରୁ ତାଙ୍କ ସ୍ଥାନରେ ବିନୋଦିନୀ ନାୟକଙ୍କୁ ନିଯୁକ୍ତି ଦେଇଥିଲେ । ସେହି ଦିନଠାରୁ ଶ୍ରୀମତୀ ନାୟକ ବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ଇତିମଧ୍ୟରେ ସେ ସରକାରୀ ମାନ୍ୟତା ମଧ୍ୟ ପାଇ ସାରିଛନ୍ତି । ହେଲେ ନ୍ୟାୟ ପାଇଁ ପୁରାତନ ଶିକ୍ଷକ ଶ୍ରୀ ପରିଡ଼ା ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ପାଖକୁ ଦୌଡ଼ି ନିରାଶ ହେବା ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରୁ ନିରାଶ ହେବା ପରେଶେଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୁପ୍ରିମକାର୍ଟ ତାଙ୍କ ସପକ୍ଷରେ ରାୟ ଦେଇଥିଲେ । ହେଲେ ଏହି ରାୟ ସତ୍ତେ୍ୱ ସେ ଦୀର୍ଘଦିନ ଧରି ଚାକିରୀରେ ଯୋଗଦାନ କରି ପାରିନଥିଲେ । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପ୍ରଧାନ ଶିକ୍ଷକ ଏହା କାର୍ଯ୍ୟକାରୀ କରୁନଥିବା ବେଳେ ବିଦ୍ୟାଳୟର ପରିଚାଳନା କମିଟି ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକଙ୍କ ସପକ୍ଷରେ ଥିଲେ । ପରେ ଶ୍ରୀ ପରିଡ଼ା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପାଖକୁ ଯାଇ ନ୍ୟାୟ ଭିକ୍ଷା କରିଥିଲେ । ସାଂସଦ କୋର୍ଟ ନିର୍ଦ୍ଦେଶ ପାଳନ କରିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ଶୁକ୍ରବାର ଜିଲ୍ଲା ଶିକ୍ଷାଧିକାରିଣୀ ପ୍ରତିଭା ମଞ୍ଜରୀ ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରିଣୀ, ବ୍ଲକ ଶିକ୍ଷାଧିକାରିଣୀ, ମାଜିଷ୍ଟ୍ରେଟ ବିଦ୍ୟାଳୟକୁ ଯାଇ ପୁରାତନ ହିନ୍ଦୀ ଶିକ୍ଷକ ରମେଶ ପରିଡ଼ାଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ଅପରପକ୍ଷେ ତାଙ୍କ ସ୍ଥାନରେ ଦୀର୍ଘ ୨୦ ବର୍ଷ ଚାକିରୀରେ ଅବସ୍ଥାପିତ ହୋଇ ସରକାରୀ ମାନ୍ୟତା ପାଇଥିବା ଶିକ୍ଷୟିତ୍ରୀ ବିନୋଦିନୀ ନାୟକ ନିଜର ଭବିଷ୍ୟତ ନେଇ ଚିନ୍ତାରେ ପଡ଼ିଛନ୍ତି । ତେବେ ଜିଲ୍ଲା ଶିକ୍ଷାଧିକାରିଣୀ ଉଭୟ ଶିକ୍ଷାଦାନ ଜାରି ରଖିବେ ଓ ଏନେଇ ନିର୍ଦ୍ଦେଶନାମା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।