ଦାରିଙ୍ଗବାଡ଼ି,୩୦/୧ : ହାତୀମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ନବନିତା କପାଟପାତ୍ରଙ୍କ ମନମୁଖୀ କାର୍ଯ୍ୟ ନେଇ ନାଏବ ସରପଞ୍ଚଙ୍କ ସମେତ ସମସ୍ତ ୱାର୍ଡ଼ ମେମ୍ବରମାନେ ବିଡିଓଙ୍କଠାରେ ଫେରାଦ ହୋଇଛନ୍ତି । ପଞ୍ଚାୟତରେ ମାସିକ ନିୟମିତ ବୈଠକ ହେଉ ନାହିଁ, ଏସଏଫସି ଓ ସିଏଫସି କାର୍ଯ୍ୟରେ ୱାର୍ଡ଼ ମେମ୍ବରମାନଙ୍କୁ ଅଣଦେଖା, ମନରେଗା କାର୍ଯ୍ୟରେ ୱାର୍ଡ଼ ମେମ୍ବରମାନଙ୍କୁ ସୂଚନା ପ୍ରଦାନ ନ କରିବା, ଭତ୍ତା ସଠିକ୍ ସମୟରେ ନ ଦେବା, ୬୦ରୁ ଊର୍ଦ୍ଧ୍ବ ଲୋକ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ନ ପାଇବା ଭଳି ଅନେକ ଅଭିଯୋଗ ରହିଥିଲା ।
ଏହାକୁ ନେଇ ନାଏବ ସରପଞ୍ଚ ସଲମନ ସୁନା ମାଝୀ, ୱାର୍ଡ଼ ମେମ୍ବର ସୁନ୍ଦରମତି ମଲିକ, କବିତା ମଲିକ, କୁବେର ମୁଠାମାଝୀ, ଶନିଲତା ଦିଗାଲ, ରଞ୍ଜିତା ମଲିକ, ତାବିତ ମଲିକ, ସସ୍ମିତା ମଲିକ ପ୍ରମୁଖ ବିଡିଓଙ୍କୁ ଅଭିଯୋଗ ପ୍ରଦାନ କରିଥିଲେ । ଯଦି ଏହାର ଶୀଘ୍ର ସମାଧାନ ନ ହୁଏ ତାହାଲେ ନାଏବ ସରପଞ୍ଚଙ୍କ ସମେତ ସମସ୍ତ ୱାର୍ଡ଼ମେମ୍ବରମାନେ ସମୁହ ଇସ୍ତଫା ଦେବେ ବୋଲି ବିଡିଓଙ୍କୁ କହିଥିଲେ । ବିଡିଓ ଗଦାଧର ପାତ୍ର ୭ଦିନ ମଧ୍ୟରେ ସମସ୍ତଙ୍କୁ ନେଇ ଏକ ବୈଠକ କରି ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସରପଞ୍ଚ ନବନିତା କପାଟପାତ୍ରଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ ।