ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ କଣ ହେବ ତାଉପରେ ସମସ୍ତଙ୍କ ନଜର । ଡିସେମ୍ବର ୩ (ରବିବାର)ରେ ୫ ରାଜ୍ୟର ନିର୍ବାଚନ ଫଳଫଳ ଘୋଷଣା ହେବାକୁ ଥିଲା । ହେଲେ ଏହା ପୂର୍ବରୁ ମିଜୋରାମ ରେଜଲ୍ଟ ସୋମାବର ଆସିବ ବୋଲି ଜଣାପଡ଼ିଛି । ତେବେ ୪ ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ କେଉଁ ଦଳ ଉପରେ ଲୋକେ ଭରସା କରିଛନ୍ତି ତାହା ସ୍ପଷ୍ଟ ହେବାକୁ ଯାଉଛି । ଆସନ୍ତାକାଲି ନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ଦେଶର ପ୍ରମୁଖ ଦଳମାନଙ୍କ ମଧ୍ୟରେ ଛନକା ବଢ଼ିବାରେ ଲାଗିଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଏବଂ ତେଲଙ୍ଗାନାରେ ନିର୍ବାଚନ ଶେଷ ହୋଇଥିବା ବେଳେ ରବିବାର ଦିନ ଭୋଟ ଗଣତି ହେବ । ଆଉ ଏହା ସହ କେଉଁ ଦଳ ଉପରେ ବିଶ୍ବାସ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ।
ତେବେ ଏହି ୪ ରାଜ୍ୟ ମଧ୍ୟରୁ ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ ସରକାର ଅଛି । ସେହିଭଳି ମଧ୍ୟପ୍ରଦେଶରେ ବିଜେପି ଏବଂ ତେଲଙ୍ଗାନରେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ଶାସନରେ ରହିଛି । ସେପଟେ ଡିସେମ୍ବର ୩୦ରେ ୫ ରାଜ୍ୟରେ ନିର୍ବାଚନ ଶେଷ ହେବା ସହ ଭୋଟ ବାହୁଡ଼ା ମତ (ଏକଜିଟ୍ ପୋଲ) ସାମ୍ନାକୁ ଆସିଥିଲା । ଯେଉଁଥିରେ କଂଗ୍ରେସ ଶାସିତ ଛତିଶଗଡ଼ ଏବଂ ରାଜସ୍ଥାନରେ ବିଜେପିର ପଲ୍ଲା ଭାରି ରହିଛି । ଏହା ସହ ବିଆରଏସ ଶାସିତ ତେଲଙ୍ଗାନାରେ କଂଗ୍ରେସ ପ୍ରତି ଜନସମର୍ଥନ ବଢ଼ିଛି । ଏକଜିଟ ପୋଲରେ ଯାହା ହେଉ ନା କାହିଁକି ଆସନ୍ତାକାଲି ଏକଜାଟ ରେଜଲ୍ଟରେ ସବୁ କିଛି ସ୍ପଷ୍ଟ ହୋଇଯିବ । ତେବେ ତେଲଙ୍ଗାନାର ଏକଜିଟ ପୋଲ୍ କଂଗ୍ରେସ ସପକ୍ଷରେ ଯାଇଥିବା ବେଳେ ନିର୍ବାଚନ ଫଳାଫଳ ପରେ ରାଜ୍ୟରେ ମହାନାଟକ ଦେଖିବାକୁ ମିଳିପାରେ । ଏହାରି ଭିତରେ କଂଗ୍ରେସ ନେତାଙ୍କୁ କେସିଆର ସିଧା କଲ କରୁଥିବା ନେଇ ଦାବି କରିଛି ଦଳ ।
ମଧ୍ୟପ୍ରଦେଶ
୨୦୨୦ରେ ନାଟକୀୟ ଢ଼ଙ୍ଗରେ କଂଗ୍ରେସ ପାଖରୁ ଶାସନ ଛଢ଼ାଇ ନେଇଥିଲା ବିଜେପି । ତେବେ ଏଥର ପୁଣି ଥରେ ଶାସନ ହାତେଇବ ବୋଲି ଲକ୍ଷ ରଖିଛି କଂଗ୍ରେସ । ଏକଜିଟ ପୋଲ ଅନୁସାରେ ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଟାଇଟ୍ ଫାଇଟ ହୋଇପାରେ । ହେଲେ କଂଗ୍ରେସ ଠାରୁ ସାମାନ୍ୟ ଆଗରେ ରହିପାରେ ବିଜେପି । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ପୁଣି ଥରେ ଶାସନକୁ ଆସିବ ବୋଲି ଶିବରାଜ ସିଂହ ଚୌହାନ ଦାବି କରିଛନ୍ତି । ସେପଟେ କଂଗ୍ରେସ ନେତା କମଲନାଥ ଏକଜିଟ ପୋଲ ରିପୋର୍ଟକୁ ପ୍ରତ୍ୟାଖାନ କରିବା ସହ ରାଜ୍ୟରେ କଂଗ୍ରେସ ପୁଣି ଥରେ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତ ବାଢ଼ିଛନ୍ତି ।
ରାଜସ୍ଥାନ
ଏକଜିଟ ପୋଲ ଅନୁସାରେ ରାଜସ୍ଥାନରେ ପରମ୍ପରା ବଜାୟ ରହିପାରେ । ଅର୍ଥାତ ଏଥର ବିଜେପି ସରକାର ଗଢ଼ିପାରେ । ରାଜ୍ୟରେ ଗେହଲଟ ବନାମ ପାଇଲଟ୍ ପ୍ରସଙ୍ଗ ଚର୍ଚ୍ଚାରେ ଥିବା ବେଳେ ବିଜେପିକୁ ଫାଇଦା ମିଳିପାରେ ବୋଲି କୁହାଯାଉଛି । ହେଲେ ଏକଜିଟ ପୋଲ୍ରେ ବିଜେପି ଏବଂ କଂଗ୍ରେସ ମଧ୍ୟ କ୍ଲୋଜ୍ ଫାଇଟ ହେବ ବୋଲି ଜଣାପଡ଼ିଛି । ଆଉ ଏହା ପରେ ଉଭୟ ବିଜେପି ଏବଂ କଂଗ୍ରେସ ଛୋଟ ଛୋଟ ଦଳ, ସ୍ବାଧୀନ ପ୍ରାର୍ଥୀଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ପ୍ରଚେଷ୍ଟା ଚଳାଇଛନ୍ତି । ବହୁଜନ ସମାଜ ପାର୍ଟି (ବିଏସପି) , ଭାରତ ଆଦିବାସୀ ପାର୍ଟି (ବିଏପି), ଭାରତୀୟ ଟ୍ରାଇବାଲ ପାର୍ଟି (ବିଟିପି), ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି), ସିପିଆଇ (ଏମ) ଭଳି ଦଳ ନିର୍ବାଚନ ଲଢ଼ିଛନ୍ତି ।
ଛତିଶଗଡ଼
ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଫାଇଟ ହେବାକୁ ଥିବା ବେଳେ ଛତିଗଗଡ଼ରେ ସହଜରେ ଶାସନ ଫେରିପାଇବ ବୋଲି ଚିନ୍ତା କରୁଛି କଂଗ୍ରେସ । କାରଣ ପ୍ରାୟତଃ କଂଗ୍ରେସ ସପକ୍ଷରେ ଏକଜିଟ ପୋଲ ଯାଇଛି । ଇଣ୍ଡିଆ ଟୁଡେ-ଏକ୍ସିସ୍ ମାଇ ଇଣ୍ଡିଆ ଅନୁସାରେ ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ କଂଗ୍ରେସ ଖାତାକୁ ୪୦-୫୦ ସିଟ୍ ଯାଇପାରେ । ସେହିଭଳି ୩୬-୪୬ ଆସନରେ ବିଜୟୀ ହୋଇପାରେ ବିଜେପି । ଏବିପି ସି-ଭୋଟର ଅନୁସାରେ, କଂଗ୍ରେସକୁ ୪୧-୫୩ ସିଟ୍ ମିଳିବାକୁ ଥିବା ବେଳେ ବିଜେପି ଖାତାକୁ ୩୬-୪୮ ଆସନ ଯାଇପାରେ । ରିପବ୍ଲିକ୍ ଟିଭି ଏକଜିଟ ପୋଲ କହୁଛି ଯେ, କଂଗ୍ରେସକୁ ୪୪-୫୨ ଆସନ ମିଳିବାକୁ ଥିବା ବେଳେ ବିଜେପି ୩୪-୪୨ ସିଟ୍ରେ ସନ୍ତୁଷ୍ଟ ରହିପାରେ । ଟିଭି-ସିଏନଏକ୍ସ ଏକଜିଟ ପୋଲର କଂଗ୍ରେସକୁ ବହୁମତ ମିଳୁଥିବା ଦେଖିବାକୁ ମିଳିଛି । କଂଗ୍ରେସ ୪୬-୫୬ ଆସନରେ ବିଜୟୀ ହେଉଥିବା ବେଳେ ବିଜେପି ୩୦-୪୦ ଆସନରେ ବିଜୟୀ ହୋଇପାରେ ।
ତେଲଙ୍ଗାନା
ତେଲଙ୍ଗାନରେ ଏଥର କଂଗ୍ରେସ ସରକାର ବୋଲି ସମସ୍ତ ଏକଜିଟ ପୋଲ ଇସାରା କରିଛି । ଏମିତି ହେଲେ ହ୍ୟାଟ୍ରିକ୍ ବିଜୟ ପାଇଁ ଲକ୍ଷ ରଖିଥିବା କେସିଆରଙ୍କୁ ଝଟକା ଲାଗିବ । ସେପଟେ ଏକଜିଟ ପୋଲ ଆସିବା ପରେ କଂଗ୍ରେସ ଦାବି କରିଛି ଯେ, ତାର ନେତାଙ୍କୁ କେସିଆର ଫୋନ୍ କରୁଛନ୍ତି । ହେଲେ ସରକାର ଗଢ଼ିବାକୁ କଂଗ୍ରେସର ସାହଯ୍ୟ ଦରକାର ନାହିଁ ବୋଲି କହିଛନ୍ତି କେସିଆର । ୧୧୯ ବିଧାନସଭା ଆସନ ବିଶିଷ୍ଟ ତେଲଙ୍ଗାନାରେ କଂଗ୍ରେସ ହିଁ ବହୁ ଆଗରେ ରହୁଥିବା ଏକଜିଟ ପୋଲରୁ ଜଣାପଡ଼ିଛି । କିନ୍ତୁ ଆସନ୍ତାକାଲି ରେଜଲ୍ଟ ଆସିବ ପରେ ତେଲଙ୍ଗାନାରେ କଂଗ୍ରେସ ନା ବିଆରଏସ କିଏ ସରକାର ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ ।