ନୂଆଦିଲ୍ଲୀ, ୦୭/୦୨ : ଦିଲ୍ଲୀ, ଝାଡ଼ଖଣ୍ଡ, ବିହାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ସକ୍ରିୟ ରହିଛି । ଇଡି ଗିରଫଦାରି ଯୋଗୁ ଝାଡ଼ଖଣ୍ଡରେ ହେମନ୍ତ ସୋରେନ୍ଙ୍କ ମନ୍ତ୍ରୀପଦ ଯାଇଛି । ଏବେ ସେ ୫ ଦିନିଆ ରିମାଣ୍ଡରେ ଥିବାବେଳେ ଇଡିର ପରବର୍ତ୍ତୀ ଟାର୍ଗେଟରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ତାଙ୍କୁ ଇଡି ବାରମ୍ବାର ନୋଟିସ୍ ପଠାଇଚାଲିଛି । ସେହିପରି ବିହାରରେ କ୍ଷମତା ଯିବାକ୍ଷଣି ଲାଲୁ ପ୍ରସାଦ ଯାଦବ ଏବଂ ପୁଅ ତେଜସ୍ୱୀ ପ୍ରତାପଙ୍କୁ ଇଡି ପଚରାଉଚରା କରିଛି । ଏବେ ଇଡି ଏବଂ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ(ସିବିଆଇ) ରାଡାରରେ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାରର ୧୪ ନେତା ରହିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ମନ୍ତ୍ରୀ, ବିଧାୟକ ଏବଂ ସାଂସଦ ଅଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ସେମାନଙ୍କୁ ଗିରଫ କରାଯାଇପାରେ ବୋଲି କୁହାଯାଉଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାନୁଆରୀରେ ଇଡିକୁ ଏକ ସେଣ୍ଟ୍ରାଲ ଫୋର୍ସର ଏକ କମ୍ପାନୀ ଦେଇଛି । ଇଡି ଏହି ଟିମ୍କୁ ନେଇ ଶୀଘ୍ର ପଶ୍ଚିମବଙ୍ଗରେ ଟିଏମ୍ସି ନେତାଙ୍କ ଘର ଏବଂ ଅଫିସ୍ରେ ଚଢ଼ାଉ କରିପାରେ ।
ପୂର୍ବରୁ ଟିଏମ୍ସିର ବରିଷ୍ଠ ନେତା ତଥା ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଜେଲ୍ରେ ଅଛନ୍ତି । ଏଥିସହ ବୀରଭୂମରୁ ଟିଏମ୍ସିର ଜିଲ୍ଲା ଅଧ୍ୟକ୍ଷ ରହିଥିବା ଅନୁବ୍ରତ ମଣ୍ଡଳ, ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ, ବିଧାୟକ ମାଣିକ ଭଟ୍ଟାଚାର୍ୟ୍ୟ, ପୂର୍ବରୁ ଯୁବ ଶାଖା ଅଧ୍ୟକ୍ଷ ରହିଥିବା କୁନ୍ତଲ ଘୋଷ ମଧ୍ୟ ଜେଲରେ ଅଛନ୍ତି । ଯାଞ୍ଚ ମମତାଙ୍କ ପରିବାର ପର୍ୟ୍ୟନ୍ତ ମଧ୍ୟ ପହଞ୍ଚିଛି । ମମତାଙ୍କ ପୁତୁରା ତଥା ଦଳର ମହାସଚିବ ଅଭିଷେକ ବାନାର୍ଜୀ କୋଇଲା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଅଛନ୍ତି । ତଦନ୍ତକାରୀ ସଂସ୍ଥାର ଟାର୍ଗେଟରେ ଥିବା ଟିଏମ୍ସି ନେତାମାନେ ହେଲେ, ଫିରହାଦ ହକିମ, ସୁଜିତ ବୋଷ, ସୁଜୟ ବାନାର୍ଜୀ, ପାର୍ଥ ଭୌମିକ, ଅରୂପ ରଏ, ମଳୟ ଘଟକ, ରବୀନ୍ଦ୍ରନାଥ ଘୋଷ, ନୁସ୍ରତ ଜହାଁ ପ୍ରମୁଖ । ତେଣୁ ଯାଞ୍ଚ ଏଜେନ୍ସି ଚଢ଼ାଉ କଲେ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଛକାପଞ୍ଝା ବଢ଼ିବାର ଆଶଙ୍କା ରହିଛି ।
ପଶ୍ଚିମବଙ୍ଗରେ ବାମଦଳର ଦୀର୍ଘ ୩୪ ବର୍ଷର ରାଜୁତି ଶେଷ କରି ମମତା ବାନାର୍ଜୀଙ୍କ ଟିଏମ୍ସି ୨୦୧୧ରେ ସରକାର ଗଢ଼ିଥିଲା । ପରେ ୨୦୧୬ ଏବଂ ୨୦୨୧ରେ ପୁଣି ନିର୍ବାଚନ ଜିତି ଦଳକୁ ହ୍ୟାଟ୍ରିକ୍ ବିଜୟ ଦେଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ୧୮ ଆସନ ଜିତିଥିଲା । ଏହାପରେ ବିଜେପି ଏହି ରାଜ୍ୟରେ ଲଗାତର ମଜଭୁତ ହେବାକୁ ଉଦ୍ୟମ ଜାରି ରଖିଛି । ବିଜେପି ଏବେ ରାଜ୍ୟରେ ୧୩ ବର୍ଷ ଧରି ହୋଇଥିବା ଦୁର୍ନୀତିକୁ ନେଇ ଟିଏମ୍ସିକୁ ଘେରୁଛି । ଏଥିରେ ରାଶନ ଦୁର୍ନୀତି, ଶିକ୍ଷକ ନିଯୁକ୍ତି ସ୍କାମ୍, କୋଇଲା ଦୁର୍ନୀତି, ଗୋଚାଲାଣ, ମ୍ୟୁନିସିପାଲିଟି ନିଯୁକ୍ତି ଦୁର୍ନୀତି ଆଦି ରହିଛି । ଆଉ କିଛି ଦିନ ପରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ତତ୍ପର ହୋଇପଡ଼ିଛନ୍ତି ବୋଲି ରାଜନୈତିକ ସମୀକ୍ଷକ ପ୍ରଶାନ୍ତ ଭଟ୍ଟାଚାର୍ୟ୍ୟ କହିଛନ୍ତି । ବିଜେପି ପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନରୁ ଅତିକମ୍ରେ ୩୫ ଆସନ ଜିତିବାକୁ ଚାହୁଁଛି । ହେଲେ ଏଠାରେ ଲଢ଼େଇ ସିଧାସଳଖ ମମତା ବାନାର୍ଜୀଙ୍କ ସହ ବୋଲି ସେ ପ୍ରକାଶ କରିଛନ୍ତି ।