ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସଜବାଜ: ରଙ୍ଗବେରଙ୍ଗ ଚିତ୍ର ଓ ଆଲୋକରେ ଚମକିବ ଶ୍ରୀକ୍ଷେତ୍ର, ଖର୍ଚ୍ଚ ହେବ ୧ କୋଟି ୨୦ ଲକ୍ଷ ଟଙ୍କା

ପୁରୀ,୦୯/୧୨: ରଙ୍ଗବେରଙ୍ଗ ଚିତ୍ରରେ ଚମକିବ ଶ୍ରୀକ୍ଷେତ୍ର । ସହରର କାନ୍ଥବାଡ଼ ସବୁଠି ହେବ ଆଖି ଖୋସିଲା ଭଳି ସୌନ୍ଦର୍ଯ୍ୟକରଣ । ରାଜ୍ୟର ବିଭିନ୍ନ  ସ୍ଥାନରୁ ଅଭିଜ୍ଞ ଚିତ୍ରଶିଳ୍ପୀ ଆସି ନିଜ  ରଙ୍ଗତୂଳୀରେ ଶ୍ରୀକ୍ଷେତ୍ରର ‘ଶ୍ରୀ’ ବୃଦ୍ଧି  କରିବେ । ବିଭିନ୍ନ ଆର୍ଟ କଲେଜ୍‌ର ଛାତ୍ରଛାତ୍ରୀ ମଧ୍ୟ ଚିତ୍ର ଆଙ୍କିବାରେ ସହଯୋଗ କରିବେ ।  

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହି  ସବୁ କାର୍ଯ୍ୟ ଶେଷ ହେବ । ଏଥିପାଇଁ ଖର୍ଚ୍ଚ  ହେବ ୧ କୋଟି ୨୦ ଲକ୍ଷ ଟଙ୍କା । ଦେଶ  ବିଦେଶର ଅତିଥିମାନେ ଏହି କାର୍ଯ୍ୟକ୍ରମରେ  ଯୋଗଦେବାକୁ ଆସୁଥିବାରୁ ଶ୍ରୀକ୍ଷେତ୍ରର  ସୁନ୍ଦରତା ବାବଦରେ ଏକ ଉତ୍ତମ ଅନୁଭୂତିର  ଛାପ ଛାଡ଼ିବା ଏହାର ଲକ୍ଷ୍ୟ ରହିଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ  ବିଭିନ୍ନ ବିଭାଗ ବିଭିନ୍ନ ପ୍ରସ୍ତୁତି କରୁଥିବା  ବେଳେ ପୁରୀ ପୌରପାଳିକା ସହର ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ନେଇଛି ।  ସହରରେ ଥିବା ବିଭିନ୍ନ କାନ୍ଥବାଡ଼କୁ ସୁନ୍ଦର  କରିବା ପାଇଁ ପୌରପାଳିକା ତରଫରୁ  କାନ୍ଥଚିତ୍ର କରାଯିବ। ସହର ୨ ଲକ୍ଷ ବର୍ଗ  ଫୁଟ୍‌ ଅଞ୍ଚଳରେ ଏହି ଚିତ୍ରମାନ କରାଯିବ ।  

ଏଥିପାଇଁ ୩୨ଟି ପ୍ରମୁଖ ସ୍ଥାନ ଚିହ୍ନଟ  କରାଯାଇଛି । ସାଧାରଣତଃ ସହରର  ପ୍ରମୁଖ ପ୍ରବେଶପଥର ସୌନ୍ଦର୍ଯ୍ୟକରଣ  ପାଇଁ ବିଶେଷ ଧ୍ୟାନ ଦିଆଯିବ । ବସ୍‌ ଷ୍ଟାଣ୍ଡ,  ରେଳଷ୍ଟେସନ, ସିଟି ରୋଡ୍‌, ଭିଆଇପି  ରୋଡ୍‌ ଭଳି କେତେକ ସ୍ଥାନ ଚିହ୍ନଟ  ହୋଇଛି । ସମୁଦ୍ରକୂଳ ରାସ୍ତାରେ ମଧ୍ୟ କାନ୍ଥଚିତ୍ର ହେବ । ବିଧବାଶ୍ରମ ରାସ୍ତା ଏବଂ  ଅନ୍ୟାନ୍ୟ କେତେକ ଗଳିକନ୍ଦିରେ ମଧ୍ୟ  କାନ୍ଥ ଚିତ୍ର ଆଙ୍କିବାକୁ ଯୋଜନା ପ୍ରସ୍ତୁତ  ହୋଇଛି । ତେବେ ସୌନ୍ଦର୍ଯ୍ୟକରଣ  ପାଇଁ ଅଧିକ ଜନଗହଳି ପୂର୍ଣ୍ଣ ସ୍ଥାନକୁ  ପ୍ରାଥମିକତା ଦିଆଯିବ ବୋଲି ପୁରୀ  ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ  ସରୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । 

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଉ  ହାତଗଣତି ଦିନ ରହିଛି । ଏଣୁ ଯୁଦ୍ଧକାଳୀନ  ଭିତ୍ତିରେ ଏହି କାର୍ଯ୍ୟ ହେବ । କାମ ତ୍ୱରିତ  ଭାବେ ସାରିବାକୁ ଏକାଧିକ ସଂସ୍ଥାକୁ ଦାୟିତ୍ୱ  ପ୍ରଦାନ କରାଯିବ । ସଂସ୍ଥାଗୁଡ଼ିକୁ ବର୍ଗ  ଫୁଟ ହିସାବରେ ଟଙ୍କା ପ୍ରଦାନ କରାଯିବ ।  ଏଥିନିମନ୍ତେ ପୌରପାଳିକା ଟେଣ୍ଡର ଆହ୍ୱାନ  କରିଛି । ୧୯ ତାରିଖରେ ଟେଣ୍ଡର ଚୂଡ଼ାନ୍ତ  ହେବା ପରେ ୨୦ ତାରିଖରୁ କାମ ଆରମ୍ଭ  ହେବ । ଜାନୁଆରୀ ୧୨ ତାରିଖ ପୂର୍ବରୁ  ସମସ୍ତ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।  

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ  କାର୍ଯ୍ୟକ୍ରମରେ ଅଧିକ ଜନସମାଗମ  ହେବାର ଥିବାରୁ ପୌରପାଳିକା ସ୍ୱଚ୍ଛତା  ଦିଗରେ ମଧ୍ୟ ସ୍ୱତନ୍ତ୍ର ଆକ୍ସନପ୍ଲାନ ପ୍ରସ୍ତୁତ  କରିବ । ଏଥିନିମନ୍ତେ ଜିଲ୍ଲାପାଳ ସମର୍ଥ  ବର୍ମାଙ୍କ ଅଧ୍ୟକ୍ଷତାରେ ଶନିବାର ବୈଠକ ଅନୁଷ୍ଠିତ ହେବ । ଏହା ଛଡ଼ା ପରିକ୍ରମା  ପ୍ରକଳ୍ପ ଉତ୍ସବ ସମୟରେ କିଛିଦିନ ପାଇଁ  ବଡ଼ଦାଣ୍ଡ ଗାଈଗୋରୁ ମୁକ୍ତ ରହିବ ।  ଦାଣ୍ଡରୁ ଗାଈଗୋରୁ ହଟାଇବା ପାଇଁ ମଧ୍ୟ  ପୌରପାଳିକା ପ୍ରସ୍ତୁତି କରିଛି । ପ୍ରକଳ୍ପ ଲୋକାର୍ପଣ ସମୟରେ ରଙ୍ଗୀନ ଆଲୋକରେ  ସହରକୁ ସଜାଇବା ପାଇଁ ମଧ୍ୟ ଲକ୍ଷ୍ୟ  ରଖାଯାଇଛି । ବଡ଼ଦାଣ୍ଡ ଓ ଲୋକାର୍ପଣ ସ୍ଥାନର  ଆଲୋକୀକରଣ ଓ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ  ରାଜ୍ୟ ସରକାର ବହନ କରିବେ । ସହରର  ବଳକା ପ୍ରମୁଖ ସ୍ଥାନଗୁଡ଼ିକୁ ପୌରପାଳିକା  ତରଫରୁ ରଙ୍ଗୀନ ଲିଚୁ ମାଳରେ ସଜାଯିବ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.