ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ପସନ୍ଦ-ନାପସନ୍ଦ ନୀତି ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୧/୧୧: କଲେଜିୟମ୍‌ର ସୁପାରିସ୍‌ ସତ୍ତେ୍ୱ ବିଚାରପତିଙ୍କ ନିଯୁକ୍ତି, ବଦଳିରେ ବିଳମ୍ବକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ବିଚାରପତି ବଦଳିରେ ପସନ୍ଦ-ନାପସନ୍ଦ ନୀତି ଆପଣାଇବା ଉଚିତ ନୁହେଁ । ଏହା ଭଲ ସଙ୍କେତ ନୁହେଁ ଏବଂ ଦେଶକୁ ଭୁଲ୍‌ ସନ୍ଦେଶ ଦେଉଛି ବୋଲି ସର୍ବୋଚ୍ଚ ଅଦାଲତ ସୋମବାର କହିଛନ୍ତି । 

ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ ଏବଂ ଜଷ୍ଟିସ୍‌ ସୁଧାଂଶୁ ଧୁଳିଆଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି କହିଛନ୍ତି, ବିଚାରପତିଙ୍କ ନିଯୁକ୍ତି ଏବଂ ବଦଳି ସରକାର ନିଜ ପସନ୍ଦ-ନାପସନ୍ଦ ଅନୁସାରେ କରୁଛନ୍ତି । ଏ ନେଇ ପୂର୍ବରୁ ମଧ୍ୟ ସରକାରଙ୍କୁ ଚେତାଯାଇଥିଲା । ଏବେ ବି ଆହ୍ଲାବାଦ୍‌, ଦିଲ୍ଲୀ, ପଞ୍ଜାବ ଏବଂ ଗୁଜରାଟ ହାଇକୋର୍ଟରେ ବିଚାରପତିଙ୍କ ବଦଳି ସୁପାରିସ୍‌ ପାଇଁ ଯାଇଥିବା ଫାଇଲ୍‌କୁ କେନ୍ଦ୍ର ସରକାର ଅଟକାଇ ରଖିଛନ୍ତି । କେବଳ ଗୁଜରାଟ ହାଇକୋର୍ଟରେ ୪ ବିଚାରପତିଙ୍କ ବଦଳି ପଡ଼ିରହିଛି । ସରକାର ଏଥିପାଇଁ ଅଦ୍ୟାବଧି କିଛି କରି ନ ଥିବା ଖଣ୍ଡପୀଠ କହିଛନ୍ତି । ସେହିପରି ଦ୍ୱିତୀୟ ଥର ପାଇଁ ପଠାଯାଇଥିବା ନାମଗୁଡ଼ିକୁ ମଞ୍ଜୁରି ନ ଦିଆଯିବା ଚିନ୍ତାର ବିଷୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କଲେଜିୟମର ସୁପାରିସ୍‌ ଉପରେ ଧ୍ୟାନ ଦେବାକୁ ଖଣ୍ଡପୀଠ ଅଧିକ ସମୟ ଦେବା ସହ କେନ୍ଦ୍ର ସରକାର ଏହାର ସମାଧାନ ବାହାର କରିବାକୁ କହିଛନ୍ତି । ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି ହେବ । 

ପ୍ରକାଶଥାଉ କି, ବେଙ୍ଗାଲୁରୁ ଆଡ୍‌ଭୋକୋଟସ୍‌ ଆସୋସିଏସନ ପକ୍ଷରୁ ବିଚାରପତିଙ୍କ ନିଯୁକ୍ତିକୁ ନେଇ ଏହି ପିଟିସନ ଦାଏର ହୋଇଥିଲା । ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ବିରୋଧରେ ଅଦାଲତ ଅବମାନନା ମାମଲା ଚଲାଇବାକୁ ପିଟିସନରେ ଦାବି କରାଯାଇଥିଲା । ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର୍‌. ଭେଙ୍କଟରମଣି କହିଥିଲେ, ବିଧାନସଭା ନିର୍ବାଚନରେ ବ୍ୟସ୍ତତା ପାଇଁ ଏହି ବିଳମ୍ବ ହୋଇଛି । ସରକାରଙ୍କ ଏପରି କିଛି ବି ଉଦ୍ଦେଶ୍ୟ ନାହିଁ । ସୁପ୍ରିମକୋର୍ଟ କହିଥିଲେ, ହାଇକୋର୍ଟଗୁଡ଼ିକରେ ୧୪ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିସ୍‌ କରାଯାଇଥିଲା । କିନ୍ତୁ କେବଳ ଗୁଆହାଟି ହାଇକୋର୍ଟରେ ନିଯୁକ୍ତି ହୋଇଛି । ସରକାରଙ୍କ ଏପରି ଚୟନାତ୍ମକ ନୀତି ବିଚାରପତିଙ୍କ ବରିଷ୍ଠତା କ୍ରମ ଉପରେ ପ୍ରଭାବ ପକାଇବ । ଗତଥର ସୁପ୍ରିମକୋର୍ଟ ଯେଉଁ ନାଁ ଦୋହରାଇଥିଲେ ସେଥିରୁ ୮ ନାମ ମଞ୍ଜୁର ନ ହୋଇ ପଡ଼ିରହିଛି । ସରକାର ତାହାକୁ କାହିଁକି ପକାଇ ରଖିଛନ୍ତି ତାହା ଆମକୁ ଜଣାଅଛି । କଲେଜିୟମ ୧୧ ବିଚାରପତିଙ୍କ ବଦଳି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଥିଲେ । ସେଥିରୁ ୫ ଜଣଙ୍କ ବଦଳି ହୋଇଛି । କିନ୍ତୁ ଅନ୍ୟ ୬ ଜଣଙ୍କ ପାଇଁ ତାହା ହୋଇନାହିଁ । ସେଥିରୁ ୪ ଜଣ ଗୁଜରାଟର, ଜଣେ ଦିଲ୍ଲୀର ଏବଂ ଜଣେ ଆହ୍ଲାବାଦର । ଏହା ଶୁଭ ସଙ୍କେତ ନୁହେଁ ।  କେନ୍ଦ୍ର ସରକାର ତୁରନ୍ତ ଏହାର ସମାଧାନ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.