ମାଲକାନଗିରି /କାଲିମେଳା, ୩୦/୮ : ମାଲକାନଗିରି ଜିଲ୍ଲା ସ୍ଥିତ କାଲିମେଳା ଥାନା ବଡ଼ିଗେଟା ଅଞ୍ଚଳରେ ବିଏସଏଫ ଯବାନଙ୍କ କୁମ୍ବି ଅରେସନ ସମୟରେ ମାଓବାଦୀଙ୍କ ଡମ୍ପ ଠାବ ହୋଇଛି । ସେଥିରୁ ବିପୁଳ ପରିମାଣର ବିସ୍ଫୋରକ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନମାନେ।
ଆଜି କାଲିମେଳା ଥାନା ବୋଡିଗେଟ୍ଟା କମ୍ପାନୀ ଅପରେଟିଂ ବେସ୍ ୧୪୨ ବାଟାଲିୟନ ବିଏସଏଫ କ୍ୟାମ୍ପ ଯବାନଙ୍କ ଦ୍ୱାରା ସ୍ୱତନ୍ତ୍ର ଅପରେସନ୍ କରାଯାଇଥିଲା । ବେଜଙ୍ଗିୱାଡା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏହି ଅପରେସନ୍ ହୋଇଥିଲା। ଲକ୍ଷ୍ୟ ସ୍ଥଳରେ ପହଂଚିବା ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପରେ, ଅପରେସନ୍ ଟିମ୍ ତେଲାରାଇ ଗାଁର ବେଜାଙ୍ଗିୱାଡା ରିଜର୍ଭ ଜଙ୍ଗଲରେ ଥିବା ଗୁମ୍ଫା ଭିତରେ ଲୁଚି ରହିଥିବା ଏକ ମାଓବାଦୀ ଡମ୍ପର ଠାବ କରିଥିଲେ।
ସେହି ଡମ୍ପ ମଧ୍ୟରେ ମାଓବାଦୀ ଲୁଚାଇ ରଖିଥିବା ୩କେଜି ଓଜନ ଲେଖା ୨ଟି ଟିଫିନ ବୋମା, ୬୨ଟି ଜେଲାଟିନ୍ ଷ୍ଟିକ୍ସ , ୧୨ଭୋଲ୍ଟର ବ୍ୟାଟେରୀ ୨ଟି, ୩୯ ଟି ମାଓବାଦୀ କ୍ୟାପ, ମାଓବାଦୀ ବ୍ୟାନର, ପୋଷ୍ଟର, ମାଓବାଦୀ ପାମ୍ପଲେଟ୍, ବିଦ୍ୟୁତ ତାର, ଇଲେକ୍ଟ୍ରିକ୍ ପ୍ଲଗ୍, ବିଭିନ୍ନ ପ୍ରକାର ମାଓବାଦୀ ସାମଗ୍ରୀ ଜବତ ହୋଇଛି ।
ବେଜଙ୍ଗିୱାଡା ରିଜର୍ଭ ଜଙ୍ଗଲ କ୍ଷେତ୍ର ଦୀର୍ଘ ଦିନ ଧରି ମାଓବାଦୀ କ୍ୟାଡର ଏବଂ ସେମାନଙ୍କ ସହୃଦୟ ବ୍ୟକ୍ତିଙ୍କ ପାଇଁ ଏକ ଗଡ଼ ହୋଇ ଆସୁଛି । ଯେଉଁମାନେ ଏହି ଅଞ୍ଚଳକୁ ରକ୍ଷଣାବେକ୍ଷଣ ତଥା କାର୍ଯ୍ୟର ଆଧାର ଭାବରେ ବ୍ୟବହାର କରିଛନ୍ତି । ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ସୁରକ୍ଷା ବାହିନୀ ଏବଂ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ କରିବା ପାଇଁ ବିସ୍ଫୋରକ ତିଆରି ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ପୃଥକ ସ୍ଥାନରେ ଲୁଚାଇ ରଖିଥାନ୍ତି, ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀର ସକ୍ରିୟ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସୁରକ୍ଷା ଭାବନାକୁ ବହୁଗୁଣିତ କରିଛି । ଏହି ବୋମା ଏବଂ ଅନ୍ୟାନ୍ୟ ସାମଗ୍ରୀର ପୁନରୁଦ୍ଧାର ଏହି ଅଞ୍ଚଳରେ ମାଓବାଦୀ ଯୋଜନାକୁ ପଣ୍ଡ କରିଛି ।