ବଣାଇ, ୦୪/୦୯ : ବରସୁଆଁ ଲୌହ ଖଣିରେ CBI ରେଡ୍। ଟେନସା ସ୍ଥିତ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ କରିଛି। ଲୌହ ପଥର ଗୁଣ୍ଡର ମାନ ପରିବର୍ତ୍ତନ କରି ଘରୋଇ ସଂସ୍ଥାକୁ ବିକିଥିବା ଅଭିଯୋଗ ପରେ ରେଡ୍ ହୋଇଛି। CBI ରାଡାରରେ ଅନେକ ଅଧିକାରୀ ଅଛନ୍ତି।
ସୂଚନା ମୁତାବକ, ବିଗତ ଦୁଇ ତିନୋଟି ଆର୍ଥିକ ବର୍ଷରେ ସେଲ୍ ଆର୍.ଏସ୍.ପି ପରିଚାଳିତ ବରସୁଆଁ ଲୌହପଥର ଖଣି ବାରସୁଆଁ ଭେଲି ଟେଲିଙ୍ଗଡ୍ୟାମ୍ରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ମେଟ୍ରିକ୍ ଟନ୍ ଲୌହପଥର ଗୁଣ୍ଡକୁ ଖଣି ବିଭାଗ ନିୟମ ଅନୁଯାୟୀ ବାରସୁଆଁ ଖଣି ପକ୍ଷରୁ ଷ୍ଟାକ୍ ପ୍ରସ୍ତୁତ କରାଯାଇଥାଏ। ପରେ ସ୍ଥାନୀୟ କୋଇଡା ଖଣି ବିଭାଗ ଦ୍ଵାରା ଉକ୍ତ ଷ୍ଟାକ୍ର ମାନ ନିରୂପଣ କରି ସେଲ୍ ପକ୍ଷରୁ ଷ୍ଟାକ୍ ବାବଦ ରାଜସ୍ୱ ପୈଠ କରାଯିବା ପରେ ଉକ୍ତ ଷ୍ଟାକ୍ କୁ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରାଯାଇଥାଏ। ତେବେ ଅନେକ ସମୟରେ ଖଣି ବିଭାଗ ପକ୍ଷରୁ ଅନେକ ଷ୍ଟାକ୍କୁ ଉଚ୍ଚ ମାନର ଦର୍ଶାଇଥିବା ବେଳେ ଆଉ କିଛି ଷ୍ଟାକ୍କୁ ନିମ୍ନ ମାନର ଲୌହ ପଥର ଦର୍ଶାଇ ସେଲ୍ ବରସୁଆଁ ଲୌହ ପଥର ଖଣିର କର୍ତ୍ତୃପକ୍ଷ ବିଭିନ୍ନ କ୍ରେତାଙ୍କୁ ବିକ୍ରୟ କରି ଚାଲିଥିଲେ। ତେବେ ଉକ୍ତ ବିଷୟ ସେଲ୍ ର ଭିଜିଲାନ୍ସ ବିଭାଗ ନଜରରେ ଆସିଥିଲା। ଶହ ଶହ କୋଟି ଟଙ୍କାର ହେରଫେର ହୋଇଥିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ CBIକୁ କେଶ୍ ହସ୍ତାନ୍ତର କରାଯାଇଥିଲା। ଯାହା ଫଳରେ ଏବେ CBI ପକ୍ଷରୁ ଉକ୍ତ ଘଟଣା ସମ୍ପର୍କରେ ବରସୁଆଁ ଲୌହ ଖଣି ଟେନସା ସ୍ଥିତ କାର୍ଯ୍ୟାଳୟରେ ସମସ୍ତ ଖୋଳତାଡ ଜାରି ରହିଥିବା ବେଳେ ଏଥିରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀଙ୍କୁ ଜେରା ପାଇଁ ଆଜି CBI ପକ୍ଷରୁ ଡକାଯାଇଛି।