ନୂଆଦିଲ୍ଲୀ, ୨୦/୦୩: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡିର ସମନକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ୍ । ବୁଧବାର କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବା ସହ ଇଡିକୁ ନୋଟିସ୍ ଜାରି କରିଛନ୍ତି ।
ତେବେ ହାଇକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳି ନାହିଁ । କେଜ୍ରିୱାଲଙ୍କୁ ଅଦାଲତ କହିଛନ୍ତି, ଆପଣ ଇଡିରେ ହାଜର ହେଲେ ଜାଣି ପାରିବେ ତଦନ୍ତକାରୀ ସଂସ୍ଥା ଆପଣଙ୍କୁ ସାକ୍ଷୀ ନା ଅଭିଯୁକ୍ତ ଭାବେ ଡାକୁଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୨୨ରେ ହେବ ।
ଦିଲ୍ଲୀ ହାଇକୋର୍ଟରେ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଓକିଲ ଅଭିଷେକ ମନୁ ସିଂଘବୀ ଦସ୍ତାବିଜ୍ ଦାଖଲ କରିଥିଲେ । କୋର୍ଟ ପଚାରିଥିଲେ ସମନ ପାଇବା ପରେ କାହିଁକି ହାଜର ହେଉ ନାହାନ୍ତି । ଯାହାକୁ ନେଇ କେଜ୍ରିୱାଲଙ୍କ ଓକିଲ କହିଛନ୍ତି, ମାମଲାରେ ୯ଥର ସମନ ଜାରି କରାଯାଇଛି । ସବୁ ସମନ ଉପରେ ଆମେ ଜବାବ ଦେଇଛୁ । ଭର୍ଚୁଆଲରେ ଉତ୍ତର ରଖିବାକୁ ପ୍ରସ୍ତୁତ ଥିବା ଜଣାଇଛୁ । ହାଜର ହେବା ପାଇଁ ସମସ୍ୟା ନାହିଁ କିନ୍ତୁ ସୁରକ୍ଷା ଦରକାର ।
ଅଦାଲତ, କେଜ୍ରିୱାଲଙ୍କୁ ପଚାରିଛନ୍ତି ଆପଣ କାହିଁକି ଇଡିରେ ହାଜର ହେଉ ନାହାନ୍ତି । ପ୍ରଥମଥର ହାଜର ହେଲେ ଇଡି ଗିରଫ କରିବ ନାହିଁ । ପ୍ରଥମେ ଇଡି କାରଣ ବତାଇବ, ତା ପରେ ଯାଇ ଗିରଫ କରି ପାରିବ । ଆମେ ଏଭଳି ଅନେକ ମାମଲା ଦେଖିଛୁ ବୋଲି କହିଛନ୍ତି କୋର୍ଟ ।
ଦିଲ୍ଲୀ ହାଇକୋର୍ଟରେ ଇଡିକୁ ନେଇ କେଜ୍ରିୱାଲ୍ କରିଥିବା ଆବେଦନର ଶୁଣାଣି ପରେ ପ୍ରତିକ୍ରିୟା ରଖିଛି ବିଜେପି । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା କହିଛନ୍ତି, କୋର୍ଟଙ୍କ ଶୁଣାଣିରୁ ସ୍ପଷ୍ଟ ଯେ, ଇଡିର ସମସ୍ତ ସମନ ବୈଧ ଅଟେ । କେଜ୍ରିୱାଲଙ୍କୁ ବ୍ୟକ୍ତିଗତ ସମନ ଜାରି ହୋଇଛି, ଦଳକୁ ନୁହେଁ । କେଜ୍ରିୱାଲ୍ ହାଜର ହୁଅନ୍ତୁ, କାହିଁକି ପଳାୟନ କରୁଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ୯ଥର ସମନ ଜାରି କରିଛି । ନବମ ସମନ ଜାରି କରି ମାର୍ଚ୍ଚ ୨୧ରେ ପଚରାଉଚରା ପାଇଁ ଡାକିଛି ଇଡି ।