ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଭବିଷ୍ୟତ ପ୍ରଯୁକ୍ତିର ରୂପରେଖ

ଭୁବନେଶ୍ୱର: ମାନବ ସଭ୍ୟତାର ଇତିହାସ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିର ଇତିହାସ । ପ୍ରଯୁକ୍ତି ସହିତ କ୍ରମଶଃ ସମ୍ପୃକ୍ତ ହୋଇ ଚାଲିଛି ମଣିଷର ଜୀବନଯାତ୍ରା । ଏହାହିଁ ଅନ୍ୟ ପ୍ରାଣୀଠାରୁ ମଣିଷକୁ କରିଛି ଭିନ୍ନ । ଅଗ୍ନି ଆବିଷ୍କାରଠୁ ଷ୍ଟିମ ଇଞ୍ଜିନ ଯାଏଁ, ଚକା ଆବିଷ୍କାରଠୁ ମୂଦ୍ରଣ ଯନ୍ତ୍ର ଯାଏଁ, ଏବେ ଚହଳ ପକାଇଥିବା କୃତ୍ରିମ-ବୁଦ୍ଧି ଏହି ସବୁକିଛି ବିବର୍ତ୍ତନ ମଣିଷର ସ୍ୱାଭାବିକ ଜୀବନଯାତ୍ରା ସହିତ ଓତପ୍ରୋତ ଭାବେ ଜଡ଼ିତ । ପ୍ରଯୁକ୍ତିର କ୍ରମବିକାଶ ଘଟିଚାଲିଛି ଅତି ଦ୍ରୁତବେଗରେ । ଆମେରିକୀୟ ଇଞ୍ଜିନିୟର ଓ ଉଦ୍ୟୋଗପତି ଗର୍ଡନ ମୁର୍‌ଙ୍କ ମୁର-ସୂତ୍ର ଅନୁସାରେ କମ୍ପ୍ୟୁଟରଗୁଡ଼ିକର ପ୍ରକ୍ରିୟାକରଣ କ୍ଷମତା ପ୍ରତିବର୍ଷ ଦ୍ୱିଗୁଣିତ ହେଉଛି । 

ମାନବ ସମାଜରେ ଓ ତା'ର ଜୀବନଯାତ୍ରାରେ ଏହାର ପ୍ରଭାବ ସୁଦୂର ପ୍ରସାରୀ । ସ୍ମାର୍ଟଫୋନ ବା ମୋବାଇଲଠୁ ଆରମ୍ଭ କରି ତ୍ରିମାତ୍ରିକ ମୁଦ୍ରଣ, କୃତ୍ରିମ-ବୁଦ୍ଧି ସଂବୃଦ୍ଧ ସଂଳାପୀ-ଯନ୍ତ୍ର, କ୍ଲାଉଡ କମ୍ପ୍ୟୁଟିଂ, ରୋବଟିକ୍ସ ପରି ଉଦ୍ଭାବନଗୁଡ଼ିକ ଏବେ ଆମ ଜୀବନ ସହିତ କ୍ରମଶଃ ସଂଶ୍ଳିଷ୍ଟ ହୋଇ ଚାଲିଛି । ଏହା ଆମ ଜୀବନଶୈଳୀକୁ, ଆମ କାର୍ଯ୍ୟଧାରାକୁ ବଦଳାଇ ଚାଲିଛି । ବିଜ୍ଞାନୀ ଓ ପ୍ରଯୁକ୍ତିବିଦ୍‌ଙ୍କ ମତରେ ଏହା ଆରମ୍ଭ ମାତ୍ର । ନିକଟ ଭବିଷ୍ୟତରେ ଏହିସବୁ ଦିଗରେ ଅଧିକରୁ ଅଧିକ ଉଦ୍ଭାବନ ସମ୍ଭବ ହେବ । କ୍ୱାଣ୍ଟମ ପଦାର୍ଥବିଜ୍ଞାନର ତତ୍ତ୍ୱ ଅବଲମ୍ବନରେ କ୍ୱାଣ୍ଟମ କମ୍ପ୍ୟୁଟର ଓ କ୍ୱାଣ୍ଟମ ଇଣ୍ଟରନେଟ ଉପରେ ଗବେଷଣା ଚାଲିଛି । ଗବେଷଣା ଯେ କେବଳ କମ୍ପ୍ୟୁଟର ଓ ତଥ୍ୟ-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ହେଉଛି ତାହା ନୁହେଁ । ଚିକିତ୍ସାବିଜ୍ଞାନ, ମହାକାଶ, ପରିବେଶ ଅନୁକୂଳ ଶକ୍ତି ଉତ୍ପାଦନ, କୃଷି, ପରିବହନ ସବୁ କ୍ଷେତ୍ରରେ ନୂଆ ନୂଆ ଉଦ୍ଭାବନ ହେଉଛି, ଅଧିକରୁ ଅଧିକ ଗବେଷଣା ଚାଲିଛି ।

ଏହି ଶତାବ୍ଦୀର ଆରମ୍ଭରେ ମୋବାଇଲରେ ୨ଜି ପ୍ରଯୁକ୍ତି ବ୍ୟବହୃତ ହେଉଥିଲା, ଏବେ ତାହା ୫ଜିକୁ ଉନ୍ନୀତ ହୋଇଛି । ମିନି କମ୍ପ୍ୟୁଟରରେ ପରିଣତ ହୋଇଛି ମୋବାଇଲ । ଆମ ମନ ପଢ଼ିଲା ଭଳି ରୋବଟ ନିର୍ମାଣ ଚାଲିଛି । ସ୍ୱେଦ ଓ ବାୟୋନିକ ଚକ୍ଷୁଚାଳିତ ସ୍ମାର୍ଟ ହାତଘଣ୍ଟାର କଳ୍ପନା କରାଯାଉଛି । ସ୍ୱୟଂଚାଳିତ ଗାଡ଼ି ଏବେ ପରୀକ୍ଷଣ ସ୍ତରରେ ଅଛି । ଏହିସବୁ ଗାଡ଼ିରେ କୃତ୍ରିମ-ବୁଦ୍ଧିର ପ୍ରୟୋଗ କରାଯାଉଛି । ରୋବଟିକ ସର୍ଜରୀ ଅନେକ ଚିକିତ୍ସାଳୟରେ ଆରମ୍ଭ ହୋଇସାରିଛି । ଭବିଷ୍ୟତରେ ଏହା ଆହୁରି ଅଧିକ ଦେଖିବାକୁ ମିଳିବ । ଆମ ଦେଶ ଭାରତରେ ୨୦୧୮ ମସିହାରେ ଆହମଦାବାଦର ହୃଦରୋଗ ବିଶେଷଜ୍ଞ ଡକ୍ଟର ତେଜସ ପଟେଲଙ୍କ ନାମ ଖବରର ଶିରୋନାମରେ ଆସିଥିଲା । ୩୨ କିଲୋମିଟର ଦୂରରେ ଥାଇ ସେ ଟେଲି-ରୋବଟିକ ସର୍ଜରୀ କରିଥିଲେ ।

ଏହିପରି କିଛି ପ୍ରଯୁକ୍ତି ଯାହା ଏବେ ପରୀକ୍ଷଣ ଓ ଗବେଷଣା ସ୍ତରରେ ଅଛି, ଅଥବା ଯାହାର ସୀମିତ ବ୍ୟବହାର ହେଉଛି, ବହୁଳମାତ୍ରାରେ ଯାହା ଉପଲବ୍ଧ ହେଉ ନାହିଁ , ତାହାହିଁ ବର୍ତ୍ତମାନ ସମୟର ପରିପ୍ରେକ୍ଷୀରେ ଭବିଷ୍ୟତର ପ୍ରଯୁକ୍ତି । ଏଭଳି କିଛି ପ୍ରଯୁକ୍ତି ବିଷୟରେ ଆଜି ଆମର ଏହି ଚର୍ଚ୍ଚା ।

ସମ୍ପ୍ରତି ଗଣମାଧ୍ୟମ ଓ ସାମାଜିକ ମାଧ୍ୟମରେ "କୃତ୍ରିମ ବୁଦ୍ଧି' (ଇଂରାଜୀରେ ଯାହାକୁ ‘ଆର୍ଟିଫିସିଆଲ ଇଣ୍ଟାଲିଜେନ୍‌ସ ବା ସଂକ୍ଷେପରେ ଏ.ଆଇ. କୁହାଯାଉଛି) ନେଇ ଖୁବ୍‌ ଚର୍ଚ୍ଚା ହେଉଛି । ଏଥିପାଇଁ ଦାୟୀ ମାର୍କିନ ପ୍ରଯୁକ୍ତି ସଂସ୍ଥା "ଓପେନ ଏ.ଆଇ.' ଦ୍ୱାରା ନିର୍ମିତ ହୋଇଥିବା ଚ୍ୟାଟବଟ (ଚ୍ୟାଟ କରୁଥିବା ରୋବଟ), "ଚ୍ୟାଟଜିପିଟି' । ଚ୍ୟାଟର ଓଡ଼ିଆ ସଂଳାପ, ତେଣୁ ଏହାକୁ ଯନ୍ତ୍ରସଂଳାପୀ କୁହାଯାଇପାରେ । ଆଜିଯାଏଁ "ଚ୍ୟାଟଜିପିଟି' ପରି ଆଉ କୌଣସି "କୃତ୍ରିମ ବୁଦ୍ଧି' ଜନମାନସକୁ ଏଭଳି ଆଲୋଡ଼ିତ କରିନଥିଲା । ଏହାର ଆଗମନରେ ଶିକ୍ଷକ, ସାମ୍ବାଦିକ, ସ୍କ୍ରିପ୍‌ଟ-ଲେଖକ, ପ୍ରୋଗ୍ରାମାର, ସହଜରେ କହିଲେ ଯେଉଁମାନଙ୍କର ଜୀବିକା ବିଷୟବସ୍ତୁ ବା କନଟେଣ୍ଟ ପ୍ରସ୍ତୁତି ଉପରେ ନିର୍ଭରଶୀଳ, ସେମାନେ ଆଜି ପ୍ରଭାବିତ । ମାତ୍ର ଏବେ "ଏ.ଆଇ.' କେବଳ ବିଶେଷଜ୍ଞମାନଙ୍କ କାର୍ଯ୍ୟରେ ନୁହେଁ, ସାଧାରଣ ମଣିଷର ଜୀବନରେ ମଧ୍ୟ ପ୍ରଭାବ ବିସ୍ତାର କରିଚାଲିଛି । ମୋବାଇଲର ବହୁ ଆପ୍‌ରେ ଏବେ ଏହାର ବ୍ୟବହାର ହେଉଛି । ଫଟୋ ଭିତରୁ କାହାରି ମୁହଁ ଚିହ୍ନିବା, ମାନଚିତ୍ରରେ ଗନ୍ତବ୍ୟ ସ୍ଥଳର ରାସ୍ତା ଦେଖେଇବା, ଟାଇପ କଲାବେଳେ ଖୋଜୁଥିବା ଶବ୍ଦଟିର ସୂଚନା ଦେବା, ଟାଇପ ପରିବର୍ତ୍ତେ ଶ୍ରୁତିଲିଖନ ନେବା, ଇ-ମେଲ୍‌ର ସମ୍ଭାବ୍ୟ ସଂକ୍ଷିପ୍ତ ଉତ୍ତର ତିଆରି କରିଦେବା- ଏ ସବୁ କିଛି "ଏଆଇ'ର କିମିଆ । ଗୁଗୁଲର ତଥ୍ୟସମୁଦ୍ରକୁ ଆମେ ପ୍ରତିନିୟତ ମନ୍ଥନ କରିଚାଲିଛେ, ଏହା ମଧ୍ୟ "ଏ.ଆଇ.'ର ପ୍ରୟୋଗ । "ଏ.ଆଇ.'ର ପ୍ରୟୋଗ କ୍ଷେତ୍ର ଅବଶ୍ୟ ଏହାଠାରୁ ଅନେକ ବ୍ୟାପକ । ଚିକିତ୍ସା ବିଦ୍ୟାରେ ରୋଗ ନିରୁପଣ ଠାରୁ ଆରମ୍ଭ କରି, ଔଷଧ ତିଆରି କୌଶଳ, ରୋବଟର ଗତି ନିୟନ୍ତ୍ରଣ ଠାରୁ ସ୍ୱୟଂଚାଳିତ ଗାଡ଼ି, ଏପରିକି ଶେୟାର ବଜାର ମୂଲ୍ୟର ହ୍ରାସ-ବୃଦ୍ଧିର ପୂର୍ବାନୁମାନ, ଜ୍ୟୋତିର୍ପଦାର୍ଥବିଜ୍ଞାନର ବିପୁଳ ତଥ୍ୟ ବିଶ୍ଳେଷଣ- ଏହିସବୁ ପାଇଁ ଏବେ ଏହି ପ୍ରଯୁକ୍ତି ଅପରିହାର୍ଯ୍ୟ ହୋଇଛି । ଏବେ ଆମ ଦେଶ ଭାରତରେ ବମ୍ବେ ଆଇଆଇଟି ସହଯୋଗରେ ରିଲାଏନ୍‌ସ ଜିଓ ଭାରତୀୟ ଚ୍ୟାଟଜିପିଟି ନିର୍ମାଣ କରିବାକୁ ଯାଉଛି, ଯାହା ସହିତ ଭାରତୀୟ ଭାଷାରେ ଭାରତ ସମ୍ପର୍କିତ ଜ୍ଞାନଚର୍ଚ୍ଚା କରିହେବ । 

ବିଶ୍ୱ ସ୍ତରରେ ଏହି ପ୍ରଯୁକ୍ତିର ଭବିଷ୍ୟତ ଲକ୍ଷ୍ୟ ହେଲା "ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍‌ସ' ବା "କୃତ୍ରିମ ସାଧାରଣ ବୁଦ୍ଧି' ନିର୍ମାଣ । ବୈଜ୍ଞାନିକମାନଙ୍କର ପୂର୍ବାନୁମାନ- ଏହା ହେବ ଏପରି ଏକ ଯନ୍ତ୍ର, ଯାହା ସବୁ ପ୍ରକାର କାର୍ଯ୍ୟରେ ମାନବୀୟ ଜ୍ଞାନର ପରିସୀମାକୁ ଅତିକ୍ରମ କରି ପାରିବ । ଏହା ଯେପରି ତିଆରି କରିବ ସମ୍ବେଦନଶୀଳ ରୋବଟ, ଯାହା ଆମେ ଚଳଚ୍ଚିତ୍ର ଓ ଟିଭି ସିରିଜରେ ଦେଖିବାରେ ଅଭ୍ୟସ୍ତ । ତେବେ ତାହା କେବଳ ସମ୍ଭାବନା । ବର୍ତ୍ତମାନ କୃତ୍ରିମ-ବୁଦ୍ଧି ନିଜ କାର୍ଯ୍ୟ ପରିଧି ବିସ୍ତୃତ କରିଚାଲିବ ଓ ମାନବ ସଭ୍ୟତାକୁ ଦେବ ନୂଆ ଚମକ ।

୧୯୬୦ ଦଶକର ଜନପ୍ରିୟ ଟିଭି ସିରିଜ "ଷ୍ଟାର ଟ୍ରେକ'ର କଥା ଏହି ଅବସରରେ ଉଲ୍ଲେଖ କରାଯାଇପାରେ, ଯାହା ଚତୁର୍ବିଂଶ ଶତକର ପ୍ରେକ୍ଷିତରେ ଥିଲା ଏକ ବିଜ୍ଞାନ କାହାଣୀ । ଏଥିରେ ଜଣେ ଚରିତ୍ର ଥିଲା "ଡେଟା', ମହାକାଶଯାନ "ଏଣ୍ଟାରପ୍ରାଇଜ'ର ଜଣେ ଆଣ୍ଡ୍ରଏଡ କ୍ରୁ ସଦସ୍ୟ । ମଣିଷ ହେବାର ତୀବ୍ର ଇଚ୍ଛା ଥିଲା ତା'ର । ସେଥିପାଇଁ ତିଆରି ହେଲା "ଇମୋଶନ ଚିପ୍‌', ଯାହା ସାହାଯ୍ୟରେ "ଡେଟା' ଅନୁଭବ କରିବ ମାନବିକ ଆବେଗ । ଏହି ଆବେଗ ହିଁ ମଣିଷର ନିଜସ୍ୱ । କିନ୍ତୁ ବାସ୍ତବରେ କୃତ୍ରିମ-ବୁଦ୍ଧି ଥିବା ରୋବଟ ପାଇଁ କ'ଣ ଏହି "ଇମୋଶନ ଚିପ୍‌' ତିଆରି କରିବା କିମ୍ବା ସେଥିରେ ପ୍ରବିଷ୍ଟ କରାଇବା ଏତେ ସହଜ?

"ଇଣ୍ଟରନେଟ ଅଫ୍‌ ଥିଂସ୍‌' ସଂକ୍ଷେପରେ "ଆଇଓଟି' ନାମରେ ପରିଚିତ । ଏହାକୁ ଓଡ଼ିଆରେ "ବସ୍ତୁ ସଂଶ୍ଳିଷ୍ଟ ଇଣ୍ଟରନେଟ' ନାମ ଦିଆଯାଇପାରେ । ଆମେ ଯେଉଁ ଇଣ୍ଟରନେଟ ବ୍ୟବହାର କରୁଛେ ତାହା ହେଲା "ଇଣ୍ଟରନେଟ୍‌ ଅଫ୍‌ ପିପୁଲ' ବା "ମଣିଷର ଇଣ୍ଟରନେଟ' । କାରଣ ସ୍ମାର୍ଟ ଫାନ, ଲ୍ୟାପଟପ ଏସବୁ ଆମେ ମଣିଷମାନେ ବ୍ୟବହାର କରୁ । ଆଉ "ଆଇଓଟି' ପ୍ରଯୁକ୍ତିର ଦୁନିଆରେ ବସ୍ତୁ ସହିତ ବସ୍ତୁ ଯୋଗାଯୋଗ କରିବ, କଥା କହିବ । ଏହିପରି ଅନେକ ଆଇଓଟି ଡିଭାଇସ ଏବେ ଉପଲବ୍ଧ । ଏଗୁଡ଼ିକ ହେଲା ସ୍ମାର୍ଟ ୱାଚ, ସ୍ମାର୍ଟ ବଲ୍‌ବ, ସ୍ମାର୍ଟ ହୋମ ଡିଭାଇସ ଇତ୍ୟାଦି । ଏଯାଏଁ ପ୍ରାୟ ୨୦ ବିଲିୟନ ବସ୍ତୁର ଏପରି ନେଟୱାର୍କ କରାଯାଇଛି । ଭବିଷ୍ୟତରେ ଏହାର ସଂଖ୍ୟା ଆହୁରି ବୃଦ୍ଧିପାଇବ । ଏହା ବାସ୍ତବ ଜଗତ ସହିତ ଆଭାସୀ ଜଗତକୁ ସଂଯୁକ୍ତ କରେ । ସେନ୍‌ସର ଦ୍ୱାରା ବସ୍ତୁଗୁଡ଼ିକୁ ୱାଇଫାଇ, ବ୍ଲୁଟୁଥ ଭଳି ଲୋକାଲ ଇଣ୍ଟରଫେଶ ଦ୍ୱାରା ଇଣ୍ଟରନେଟ ସହିତ ସଂଯୁକ୍ତ କରାଯାଏ । ଏହି ଆଇଓଟି ସହଯୋଗରେ ଏବେ ସ୍ମାର୍ଟ ହୋମ୍‌ର ପରିକଳ୍ପନା କରାଯାଉଛି । ଏହା ସମ୍ପୂର୍ଣ୍ଣଭାବେ ସମ୍ଭବ ହେଲେ ଦୂରରେ ଥିଲେ ବି ନିଜ ଘର ଓ ଘରର ସବୁ ଉପକରଣ ଉପରେ ନିଜର ନିୟନ୍ତ୍ରଣ ରହିବ । ମେଶିନ ଲର୍ନିଂକୁ ସମନ୍ୱିତ କରି ଏ ଦିଗରେ ଏବେ ଅନେକ ଗବେଷଣା ହେଉଛି ।

ତ୍ରିମାତ୍ରିକ ମୁଦ୍ରଣ ବା ୩ଊ ଚକ୍ସସଦ୍ଭଗ୍ଧସଦ୍ଭଶ ତ୍ରିମାତ୍ରିକ ବସ୍ତୁ ନିର୍ମାଣର ଏକ କୌଶଳ । ଏଥିରେ ନିର୍ମାଣ ଉପାଦାନକୁ ସ୍ତରରେ ସଂଯୁକ୍ତ କରାଯାଏ । ଏହା ପ୍ରିଣ୍ଟରରେ କାଗଜ ଉପରେ କାଳିର ସଂଯୋଜନ ଅନୁରୂପ, ସେଥିପାଇଁ ଏହାକୁ ପ୍ରିଣ୍ଟିଂ କୁହାଯାଏ । ଆନୁଭୂମିକ ପ୍ରସ୍ଥଚ୍ଛେଦର ପ୍ରତ୍ୟେକ ବିନ୍ଦୁରେ ଯେଉଁଠି କଠିଣ ଉପାଦାନର ପ୍ରୟୋଜନ, ସେଠାରେ ତରଳ ବା ଗୁଣ୍ଡ ପଦାର୍ଥ ଦେଇ ତାହାକୁ ଯୁକ୍ତ କରାଯାଏ । ସମ୍ପୂର୍ଣ୍ଣ ବସ୍ତୁଟି ନିର୍ମାଣ ହେବାଯାଏଁ ଏହି ସ୍ତରୀକରଣ ପ୍ରକ୍ରିୟାକୁ ଅଭିଲମ୍ବ ଦିଗରେ ସହସ୍ର ଥର ଅବିରତ ଭାବେ କରାଯାଇଥାଏ । ଏହି ପ୍ରଯୁକ୍ତିର ମୂଳରେ ଅଛି ‘‘computer added design (CAD)’ ସଫ୍ଟୱେୟାର । ନିର୍ଦ୍ଦିଷ୍ଟ ୩ଡି ପ୍ରିଣ୍ଟରର ପ୍ରୟୋଗ କ୍ଷମତା ଅନୁଯାୟୀ ଏଥିରେ ପ୍ଲାଷ୍ଟିକ, ଧାତୁ, ସେରାମିକ ତଥା ଖାଦ୍ୟଦ୍ରବ୍ୟ ଓ ସଜୀବ କୋଷ ପରି ଜୈବ ଉପାଦାନ ବ୍ୟବହୃତ ହୁଏ । ଗବେଷକମାନେ ଏହି "ତ୍ରିମାତ୍ରିକ ପ୍ରିଣ୍ଟିଂ'କୁ ନେଇ ପରୀକ୍ଷଣ ଜାରି ରଖିଛନ୍ତି । କଂକ୍ରିଟ ବ୍ଲକଠାରୁ ଆରମ୍ଭ କରି ବିଭିନ୍ନ ସ୍ୱୟଂଚାଳିତ ଯାନର ଯନ୍ତ୍ରାଂଶ, ମେଡିକାଲ ଇମପ୍ଲାଣ୍ଟ, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଭଳି ବିଭିନ୍ନ ସାମଗ୍ରୀ ଏହାଦ୍ୱାରା ପ୍ରସ୍ତୁତ କରାଯାଉଛି । ଆଉ ଗତବର୍ଷ ୨୦୨୩ରେ ବେଙ୍ଗାଲୁରୁରେ ପ୍ରଥମ ସରକାରୀ କୋଠା ଏକ ଡାକଘର ଏହି ପ୍ରଯୁକ୍ତିରେ ନିର୍ମିତ ହୋଇଛି । ଲେଜର ଆଲୋକ ପ୍ରୟାଗରେ ଏହି ପ୍ରଯୁକ୍ତି ବ୍ୟବହାର କରି ବିଭିନ୍ନ ଖାଦ୍ୟପଦାର୍ଥ ପ୍ରସ୍ତୁତିକୁ ନେଇ ଗବେଷଣା ଚାଲିଛି । ହୁଏତ ନିକଟ ଭବିଷ୍ୟତରେ ଆମ ରୋଷେଇ ଘରେ "ମାଇକ୍ରୋ ଓଭେନ' ପରି "୩ଡି ପ୍ରିଣ୍ଟିଂ ମେଶିନ' ଶୋଭା ପାଇବ, ଯାହା ନୂତନ ଭାବରେ ଖାଦ୍ୟ ପ୍ରସ୍ତୁତ କରିବାରେ ସମର୍ଥ ହେବ ।

ପ୍ରଦୂଷଣ ଓ ଜୀବାଶ୍ମ ଇନ୍ଧନର ଚାହିଦା କମାଇବା ପାଇଁ ଏବେ ସମଗ୍ର ବିଶ୍ୱରେ ବୈଦ୍ୟୁତିକ ଗାଡ଼ି ବା E-vehicle ର ନିର୍ମାଣ କରାଯାଉଛି । ଏଥିରେ ଚାର୍ଜେବଲ ବ୍ୟାଟେରୀ ଲାଗୁଛି । ୨୦୫୦ ସୁଦ୍ଧା ଅଧିକାଂଶ ଦେଶ ଏହିଭଳି ବୈଦ୍ୟୁତିକ ଗାଡ଼ି ଚଳାଇବା ଉପରେ ଗୁରୁତ୍ୱ ଦେବେ । ଏବେ ହାଇବ୍ରୀଡ ଓ ବୈଦ୍ୟୁତିକ ଯାନ ନିର୍ମାଣ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଭବିଷ୍ୟତର ପ୍ରଯୁକ୍ତି ଭାବେ ସ୍ୱୟଂଚାଳିତ ଗାଡ଼ି ନିର୍ମାଣ ନେଇ ଗବେଷଣା ଚାଲିଛି । ଦୁର୍ଘଟଣା ଏଡ଼ାଇବା ପାଇଁ ରାସ୍ତାରେ ଯାନଗୁଡ଼ିକ ନିଜ ଭିତରେ ଯୋଗାଯୋଗ କରି ନିଜର ପଥ ପରିବର୍ତ୍ତନ କରିପାରିବେ ଅଥବା ଟ୍ରାଫିକ ଜାମ୍‌କୁ ନିୟନ୍ତ୍ରଣ କରିପାରିବେ । ଅସଂଖ୍ୟ ସେନ୍‌ସର ଓ ୱାରଲେସ ସିଗନାଲ୍‌କୁ ବ୍ୟବହାର କରି ହୁଏତ ଏହା କରିହେବ । ଏବେ ଏହା ପରୀକ୍ଷଣ ସ୍ତରରେ ଅଛି । ଭବିଷ୍ୟତ ହିଁ କହିବ ଏହାର ସମ୍ଭାବନାର କଥା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.