ନୂଆଦିଲ୍ଳୀ,୩୧।୮:ନିକଟରେ ନକ୍ଷତ୍ରବିଜ୍ଞାନୀମାନେ ଆବିଷ୍କାର କରିଛନ୍ତି ୬ଟି ନୂତନ ଗ୍ରହ । ଆମେରିକାର ମହାକାଶ ଏଜେନ୍ସି ନାସାର ଜେମ୍ସ ଓ୍ବେବ୍ ସ୍ପେସ୍ ଟେଲିସ୍କୋପ୍ ଏହାକୁ ସନ୍ଧାନ କରିଛି। ବ୍ରହ୍ମାଣ୍ଡରେ ଥିବା ଏହି ୬ଟି ବିଶାଳକାୟ ଗ୍ରହକୁ ‘ଦୁଷ୍ଟ ଗ୍ରହ’ ବୋଲି ମଧ୍ୟ କୁହାଯାଉଛି। ମହାକାଶରେ ଭ୍ରମଣ କରୁଥିବା ଏହି ୬ ଦୁଷ୍ଟ ଗ୍ରହ, କୌଣସି ତାରା ସହ ବାନ୍ଧି ହୋଇ ନାହାନ୍ତି। ଏହା ସମ୍ପୂର୍ଣ୍ଣ ଭାବରେ ସ୍ବତନ୍ତ୍ର।
ହବଲ ସ୍ପେସ୍ ଟେଲିସ୍କୋପ୍ ପୂର୍ବରୁ ନେବୁଲାର ଛବି ଉତ୍ତୋଳନ କରିଛି । କିନ୍ତୁ ଧୂଳି ଯୋଗୁ ସେଥିରେ ନକ୍ଷତ୍ର ଉତ୍ପତ୍ତିର ଚିତ୍ର ସ୍ପଷ୍ଟ ଦୃଶ୍ୟମାନ ହୋଇନଥିଲା । କିନ୍ତୁ ଜେମ୍ସ ୱେବ୍ ଇନ୍ଫ୍ରାରେଡ୍ ଲାଇଟ୍ ଜରିଆରେ ବ୍ରହ୍ମାଣ୍ଡର ସ୍ପଷ୍ଟ ଅବଲୋକନ କରିବାରେ ସକ୍ଷମ ହୋଇଛି । ଧୂଳି ଓ ଗ୍ୟାସ୍ର ବାଦଲକୁ ଭେଦ କରି ଏହା ନକ୍ଷତ୍ର ଉତ୍ପତ୍ତିର ଦୃଶ୍ୟକୁ କ୍ୟାମେରାରେ କଏଦ କରିଛି । ଜେମ୍ସ ୱେବ୍ ଟେଲିସ୍କୋପ୍ ନକ୍ଷତ୍ର ସୃଷ୍ଟିକାରୀ ନେବୁଲାରେ ଏହି ଗ୍ରହକୁ ଦେଖିଛି।
ଏନ୍ଜିସି ୧୩୩୩ ନାମକ ନେବୁଲାରେ ୬ଟି ଦୁଷ୍ଟ ଗ୍ରହର ସନ୍ଧାନ ମିଳିଛି। ପୃଥିବୀଠାରୁ ପ୍ରାୟ ୯୬୦ ଆଲୋକବର୍ଷ ଦୂରରେ ପର୍ସିୟସ୍ ମଲିକ୍ୟୁଲାସର କ୍ଲାଉଡରେ ଏହି ଗ୍ରହ ଭ୍ରମଣ କରୁଛି। ଏହି ‘ଦୁଷ୍ଟ ଗ୍ରହ’ ବୃହସ୍ପତିଠାରୁ ୫ରୁ ୧୦ ଗୁଣା ବଡ। ନାସାର କହିବା ଅନୁସାରେ, ୧୩୩୩ ଏକ ତାରା ନିର୍ମାଣ କ୍ଷେତ୍ର। ଜେମ୍ସ ଓ୍ବେବ ଟେଲିସ୍କୋପ୍ ଧୂଳିକଣାର ସରଞ୍ଚନା ନିକଟରେ ନବଜାତ ତାରା, ଧୂସର ରଙ୍ଗର କ୍ଷୁଦ୍ର ନକ୍ଷତ୍ର ଓ ଗ୍ରହ ଭଳି ଓଜନର ବସ୍ତୁ ଦେଖିବାକୁ ପାଇଛି। ବୈଜ୍ଞାନିକମାନେ କହିଛନ୍ତି, ଏହି ‘ଦୁଷ୍ଟ ଗ୍ରହ’ ଏହି କଥାର ପ୍ରମାଣ ଯେ, ବିଶାଳକାୟ ଗ୍ରହ ମଧ୍ୟ ତାରା ଭଳି ହୋଇପାରେ।
ଜନ୍ସ ହପ୍କିନ୍ସର ୟୁନିଭର୍ସିଟିର ନକ୍ଷତ୍ର ବିଜ୍ଞାନୀ ଆଡାମ୍ ଲାଙ୍ଗେଭେଲ୍ଡ କହିଛନ୍ତି । ସାଧାରଣତଃ ଗ୍ୟାସ୍ ଓ ଧୂଳିର ବାଦଲରୁ ନକ୍ଷତ୍ରର ଉତ୍ପତ୍ତି ହୋଇଥାଏ । ତା’ପରେ ଏଥିରୁ ବଳକା ରହିଯାଇଥିବା ଉପାଦାନ ଗ୍ରହ ଉତ୍ପତ୍ତିକୁ ତ୍ୱରାନ୍ୱିତ କରେ । କିନ୍ତୁ ତାରକୀୟ ପିଣ୍ଡଗୁଡ଼ିକ ମଧ୍ୟ ଗ୍ରହ ଭଳି ସୃଷ୍ଟି ହୋଇପାରନ୍ତି ବୋଲି ଲାଙ୍ଗେଭେଲ୍ଡ କହିଛନ୍ତି । ନକ୍ଷତ୍ରବିଜ୍ଞାନୀମାନେ ବିଶ୍ବାସ କରନ୍ତି , ବେଳେବେଳେ ବିଶାଳ ଗ୍ରହ ମଧ୍ୟ ଗ୍ୟାସର ପତନରୁ ସିଧାସଳଖ ସୃଷ୍ଟି ହୋଇପାରେ। ତେବେ ମହାକାଶରେ ଏଭଳି ସ୍ବତନ୍ତ୍ର ଗ୍ରହ ସନ୍ଧାନ କରିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୨୦୨୩ ରେ ଜେମ୍ସ ଓ୍ବେବ୍ ଓରିୟନ ନେବୁଲାରେ ୪୨ ଯୋଡା ଗ୍ୟାସ୍ ଦାନବ ଗ୍ରହ ଦେଖିଥିଲା, ଯାହାକୁ ‘ଜମ୍ବୋସ୍’ ରୂପରେ ମଧ୍ୟ ଜଣାଯାଏ।