କଟକ,୦୫/୦୯: କଣ୍ଟାବାଞ୍ଜି ନିର୍ବାଚନ ମାମଲାରେ ବିଧାୟକ ଲକ୍ଷ୍ମଣ ବାଗ୍ଙ୍କୁ ହାଇକୋର୍ଟ ବୁଧବାର ସାନି ନୋଟିସ୍ ଜାରି କରିଛନ୍ତି । ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ ବିଧାୟକଙ୍କୁ ଏହି ନୋଟିସ୍ ପଠାଇବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ ଶ୍ରୀ ବାଗ୍ ନିର୍ବାଚନୀ ସତ୍ୟପାଠରେ ମିଥ୍ୟା ତଥ୍ୟ ଦର୍ଶାଇଥିବା ଅଭିଯୋଗ କରି ଉକ୍ତ ନିର୍ବାଚନମଣ୍ଡଳୀର ମତଦାତା ଗିରିରାଜ ସିଂ ମାଝି ହି ମାମଲା ରୁଜୁ କରିଛନ୍ତି। ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ବୁଧବାର ମାମଲାର ଶୁଣାଣି କରି ନୋଟିସ୍ ଜାରି କରିଛନ୍ତି । ମାମଲା ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ।
ଗତ ସାଧାରଣ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିର ପ୍ରାର୍ଥୀ ହେବାରୁ ଏହି ବିଧାନସଭା ଆସନ ବେଶ୍ ଚର୍ଚ୍ଚାରେ ରହିଥିଲା । ଏହାର ଫଳାଫଳ ମଧ୍ୟ ଚକିତ କଲା ଭଳି ହୋଇଥିଲା । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ୍ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଧାୟକ ଶ୍ରୀ ବାଗ୍ ଯେଉଁ ନିର୍ବାଚନୀ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ବହୁ ମିଥ୍ୟା ତଥ୍ୟ ରହିଥିବାରୁ ତାଙ୍କ ଜିତାପଟକୁ ଅସିଦ୍ଧ ଘୋଷଣା କରିବା ଲାଗି ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରୱାଲ ଏବଂ ସୂର୍ଯ୍ୟାଂଶୀ ଶ୍ରୀବାସ୍ତବ ମାମଲା ପରିଚାଳନା କରୁଛନ୍ତି ।