ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନରେ ମିଜୋରାମ ମଡେଲ: ନା ପୋଷ୍ଟର୍‌ ଯୁଦ୍ଧ, ନା ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ ୦୪/୦୪: ପଞ୍ଚାୟତ ନିର୍ବାଚନ ହେଉ ବା ବିଧାନସଭା କିମ୍ବା ସାଧାରଣ ନିର୍ବାଚନ, ଖର୍ଚ୍ଚର ପରିମାଣରେ ଅପ୍ରତ୍ୟାଶିତ ବୃଦ୍ଧି ହୋଇଛି । ନିର୍ବାଚନ କମିଶନ ଏ ଥର ଲୋକସଭା ନିର୍ବାଚନ ପାଇଁ ପ୍ରତି ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି । କିନ୍ତୁ ବାସ୍ତବରେ ଏହି ଖର୍ଚ୍ଚ ସୀମାରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ନାହାନ୍ତି କହିଲେ ଚଳେ । ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପ୍ରକୃତ ଖର୍ଚ୍ଚ ଏହି ସୀମାଠୁ ବହୁତ ଅଧିକ । ଅର୍ଥାଭାବ ଯୋଗୁ ସାଧାରଣ ବ୍ୟକ୍ତି ନିର୍ବାଚନ ଲଢ଼ିପାରୁ ନାହିଁ । ଏହି ସ୍ଥିତିରେ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ସ୍ୱଚ୍ଛ କରିବାକୁ ଏବଂ ସାଧାରଣ ଭୋଟରଙ୍କ ଭାଗିଦାରୀ ବଢ଼ାଇବାକୁ ବିଭିନ୍ନ ପ୍ରସ୍ତାବ ଦିଆଯାଉଛି । କିନ୍ତୁ ସେଗୁଡ଼ିକ ବାସ୍ତବତାର ରୂପ ନେଇପାରୁ ନାହିଁ । ତେବେ ଏଭଳି ଏକ ରାଜ୍ୟ ଅଛି, ଯାହା ନିର୍ବାଚନରେ ସୁଧାର ନୀତି ଲାଗୁ କରି ଅନ୍ୟ ରାଜ୍ୟ ପାଇଁ ରୋଲ ମଡେଲ୍‌ ହୋଇଛି । 

ଉତ୍ତର- ପୂର୍ବ ରାଜ୍ୟ ମିଜୋରାମ ନିର୍ବାଚନକୁ ନେଇ ଏଭଳି ସ୍ୱଚ୍ଛ ଓ ମଜବୁତ ବ୍ୟବସ୍ଥା ନିର୍ମାଣ କରିଛି, ଯାହାକୁ ଉଲ୍ଲଂଘନ କରିବାର ସାହସ କୌଣସି ରାଜନୈତିକ ଦଳ କିମ୍ବା କୌଣସି ପ୍ରାର୍ଥୀ କରିପାରନ୍ତି ନାହିଁ । ମିଜୋରାମର ରାଜନୈତିକ ଦଳ ନିର୍ବାଚନ ପ୍ରଚାର ନିମନ୍ତେ ନିର୍ବାଚନ କମିଶନର ନିୟମ ପରିବର୍ତ୍ତେ ‘ମିଜୋ ପିପୁଲ ଫୋରମ୍‌’ ଦ୍ୱାରା ପ୍ରସ୍ତୁତ ନିୟମ ପାଳନ କରନ୍ତି । ମିଜୋରାମର ନିର୍ବାଚନ ପ୍ରଚାରରେ ଦେଶର ଅନ୍ୟ ସ୍ଥାନ ଭଳି ପୋଷ୍ଟର୍‌ ଯୁଦ୍ଧ ହୁଏ ନାହିଁ କିମ୍ବା ଟଙ୍କା ଖର୍ଚ୍ଚ ହୁଏ ନାହିଁ । ଲାଉଡ୍‌ସ୍ପିକର ବ୍ୟବହାର ଆଦୌ ନାହିଁ । ଏଠାରେ ମିଜୋ ପିପୁଲ ଫୋରମ୍‌ ନିର୍ବାଚନ ପ୍ରଚାର ଉପରେ ନଜର ରଖେ । ପ୍ରାର୍ଥୀଙ୍କୁ ନିଜ ପକ୍ଷ ରଖିବା ପାଇଁ ୨୦-୨୦ ମିନିଟ୍‌ର ସମୟ ଦିଆଯାଏ । ଏଥିରେ ଭୋଟର ମଧ୍ୟ ଉପସ୍ଥିତ ଥାନ୍ତି ଏବଂ ବିଭିନ୍ନ ବିଷୟ ଉପରେ ପ୍ରାର୍ଥୀଙ୍କ ସହ ପ୍ରଶ୍ନୋତ୍ତର କରିଥାନ୍ତି । 

୨୦୦୬ ମସିହାର ମିଜୋ ବିଧାନସଭା ନିର୍ବାଚନରେ ଖୁବ୍‌ ଗଡ଼ବଡ଼ ହୋଇଥିଲା । ଏଥିରେ ମର୍ମାହତ ମିଜୋ ୟଙ୍ଗ୍‌ ଆସୋସିଏସନ୍‌ ନିର୍ବାଚନକୁ ସ୍ୱଚ୍ଛ କରିବାର ଦାୟିତ୍ୱ ହାତକୁ ନେଲା । ଏହାର ପ୍ରୟାସରେ ସ୍ଥାନୀୟ ୭ ସ୍ୱୟଂସେବକ ସଂଗଠନ ମିଶି ମିଜୋ ପିପୁଲ୍‌ ଫୋରମ୍‌ ନାମକ ମିଳିତ ମଞ୍ଚ ନିର୍ମାଣ କଲେ ଏବଂ ରାଜ୍ୟରେ ଦୁର୍ନୀତିମୁକ୍ତ ନିର୍ବାଚନ ଲାଗି ପ୍ରସ୍ତୁତି କଲେ । ମିଜୋରାମର ପ୍ରାୟ ୮୫ ପ୍ରତିଶତ ଲୋକ ଖ୍ରୀଷ୍ଟିଆନ୍‌ । ଏହି ଫୋରମ୍‌କୁ ମଧ୍ୟ ଖ୍ରୀଷ୍ଟିଆନ୍‌ ସଂଗଠନଗୁଡ଼ିକର ସମର୍ଥନ ରହିଛି । ମିଜୋ ପିପୁଲ ଫୋରମ୍‌ ଏତେ ପ୍ରଭାବଶାଳୀ ଯେ ଏହାର ନିୟମକୁ ଯଦି କୌଣସି ପ୍ରାର୍ଥୀ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ଭୋଟରଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼େ । ୨୦୦୬ ମସିହା ପରଠୁ ଏଠାରେ ବଡ଼ ରାଲି ହେଉନାହିଁ । କୋଳାହଳର ପ୍ରଶ୍ନ ଉଠୁନାହିଁ । ଭୋଟରଙ୍କୁ କିଣିବା କିମ୍ବା ଲାଞ୍ଚ ଦେବା ବିଷୟରେ କେହି ଚିନ୍ତା ମଧ୍ୟ କରନ୍ତି ନାହିଁ । ପ୍ରାୟ ଦେଢ଼ ଦଶନ୍ଧି ଧରି ମିଜୋରାମ ମଧ୍ୟ ଅଶାନ୍ତ ଥିଲା । କିନ୍ତୁ ପୁଣି ନିଜ ଦମ୍‌ରେ ଏହା ନିର୍ବାଚନ ସୁଧାର ନୀତି ଲାଗୁ କରି ସଫଳ ହେଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.