ମର୍ସେଇ ୦୯/୦୫: ପ୍ୟାରିସ ଅଲିମ୍ପିକ୍ସର ୭୯ ଦିନ ପୂର୍ବରୁ ମହାଆଡ଼ମ୍ବରରେ ଫ୍ରାନ୍ସରେ ଆସି ପହଞ୍ଚିଛି ଅଲିମ୍ପିକ୍ସ ମଶାଲ । ଗ୍ରୀସରୁ ୧୨ ଦିନର ଯାତ୍ରା କରି ୧୨୮ ବର୍ଷର ପୁରୁଣା ୩ଟି ଜାହାଜ କଡ଼ା ସୁରକ୍ଷା ମଧ୍ୟରେ ଦକ୍ଷିଣ ଫ୍ରାନ୍ସର ମର୍ସେଇ ସହରର ବନ୍ଦରରେ ବୁଧବାର ଲାଗିଥିଲା । ତିନି ଜାହାଜକୁ ସ୍ୱାଗତ କରିଥିଲେ ୧୦୦୦ ହଜାର ଡଙ୍ଗା । ବାୟୁସେନା ପକ୍ଷରୁ ଏୟାର ଶୋ’ ପ୍ରଦର୍ଶନ କରାଯିବା ସହ ୫ଟି ଅଲିମ୍ପିକ୍ସ ରିଙ୍ଗ୍ ଅଙ୍କନ କରାଯାଇଥିଲା । ନାଲି, ନେଳି ଓ ଧଳା ରଙ୍ଗରେ ପୂରା ବନ୍ଦର ରଙ୍ଗୀନ ହୋଇଯାଇଥିଲା । ଦେଢ଼ ଲକ୍ଷରୁ ଊଦ୍ଧ୍ୱର୍ ଦର୍ଶକ ଏହା ପୂର୍ବରୁ ଅଲିମ୍ପିକ୍ସ ମଶାଲ ସ୍ୱାଗତ କାର୍ଯ୍ୟକ୍ରମ ଦେଖିବା ନେଇ ଏକତ୍ରିତ ହୋଇଥିଲେ ।
୨୦୧୨ ଅଲିମ୍ପିକ୍ସରେ ପୁରୁଷ ସନ୍ତରଣ ୫୦ ମିଟର ଫ୍ରିଷ୍ଟାଇଲରେ ସ୍ୱର୍ଣ୍ଣ ବିଜେତା ଫ୍ଲୋରେଣ୍ଟ ମାନାଉଡୋଉ ପ୍ରଥମେ ମଶାଲକୁ ଜାହାଜରୁ ଗ୍ରହଣ କରିବା ପରେ ପାରା ଅଲିମ୍ପିଆନ ନାନଟେନିନ କେଇଟାଙ୍କୁ ପ୍ରଦାନ କରିଥିଲେ । ଫ୍ରାନ୍ସର ପ୍ରସିଦ୍ଧ ରାପର ଜୁଲ ଲିଟ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ୬୦୦୦ରୁ ଊଦ୍ଧ୍ୱର୍ ସୁରକ୍ଷା କର୍ମୀ ଏହି କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ ।
ସଭାପତି ମାକ୍ରନ କହିଥିଲେ, ‘ଅଲିମ୍ପିକ୍ସ ମଶାଲ ସୂଚାଉଛି ଯେ ଆମର କ୍ରୀଡ଼ା ପ୍ରସ୍ତୁତି ପର୍ବ ଶେଷ ହୋଇଛି । ମଶାଲ ଆସି ପହଞ୍ଚିଛି । ଆମେ ବର୍ଗିତ ।’ ଅଲିମ୍ପିକ୍ସ ମଶାଲ ୧୨ ହଜାରରୁ ଊଦ୍ଧ୍ୱର୍ କି.ମି ଯାତ୍ରା କରିବ । ଏହି ଯାତ୍ରାରେ ୧୦ ହଜାରରୁ ଊଦ୍ଧ୍ୱର୍ ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଶେଷରେ ମଶାଲ ଆସି ପ୍ୟାରିସ ନଗରୀରେ ପହଞ୍ଚିବ ଏବଂ କ୍ରୀଡ଼ା ଉଦ୍ଘାଟନ ହେବ ।