ପୁରୀ,୨୬/୦୫: ମହାପ୍ରଭୁଙ୍କ ଭଉଁରି ଉତ୍ସବକୁ ଦୃଷ୍ଟିରେ ରଖି ରଥ ନିର୍ମାଣ ଚାଲିଛି । ପରମ୍ପରା ଅନୁସାରେ ସେଦିନ ଚକ-ଅଖ ଡ଼େରା ହେବ । ଶନିବାର ରଥଖଳାରେ ରଥର ନାହାକା ଚକ ପ୍ରସ୍ତୁତ ହୋଇଛି । ରଥର ଅଖ ତିଆରି ପାଇଁ ଭୋଇ ସେବକମାନେ କାଠ ଯୋଗାଇଛନ୍ତି । ଅନୁକୂଳ ପରେ ଅଖ କାମ ଆରମ୍ଭ ହେବ । ଭଉଁରୀ ପୂର୍ବରୁ ୩ ରଥର ୩ଟି ଅଖ ଓ ୬ଟି ଚକ ପ୍ରସ୍ତୁତ ହେବ । ରଥର ଓରା କାମ ଆରମ୍ଭ ହୋଇଛି । ଓରା ରଥର ଉପରିଭାଗର ଅଂଶ । ଇତି ମଧ୍ୟରେ ଭାରପ୍ରାପ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ ଅରବିନ୍ଦ ପାଢୀ ରଥଖଳାରେ ପହଞ୍ଚି ନିର୍ମାଣକାରୀଙ୍କ ସହ ଆଲୋଚନା କରିଛନ୍ତି ।
ପହିରେ ବିନ୍ଧ କରୁଛନ୍ତି ବିଶ୍ୱକର୍ମା । ଭୋଇସେବକ ବିଲେଇ ବାଡ଼ିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି । ଯନ୍ତାପଟାରେ ପଡ଼ି ସିଙ୍ଗଡ଼ା(ତୁମ୍ବ ସଂଯୁକ୍ତ ଅର) କୁ ପହି ପିନ୍ଧା ଗଲାପରେ ଖୁସିଅର ଲାଗୁଛି । ପରେ କଳସା କରାଯାଇ ପହିକୁ ବାନେ୍ଧଣୀ କରି ଚକ ପ୍ରସ୍ତୁତ ହେଉଛି । ବିଶ୍ୱକର୍ମାମାନେ ଅରମୁଣ୍ଡି କାଟି ଚଉପଟ କରିବା ପରେ ରୂପକାରଙ୍କୁ ଯୋଗାଉଛନ୍ତି । ଗୁଜରେ ସିଂହ ବିରାଳ ଖୋଦେଇ କରୁଛନ୍ତି ରୂପକାର । ରଥର ଗୁଜ, କୁଡ଼ୁକା, ଜଳଯନ୍ତ୍ର ଆଦି କାମ ରୂପକାରଙ୍କର । ଜଳଯନ୍ତ୍ର ରଥରେ ସ୍ଥାପନ ହେଲେ ବିଜେ ହେବେ ପାଶ୍ୱର୍ ଦେବାଦେବୀ । ଯନ୍ତାଗାଡ଼ରେ ପକାଇ ତୁମ୍ବ ସହ ଅରକୁ ସଂଯୁକ୍ତ କରି ସିଙ୍ଗଡ଼ା ପ୍ରସ୍ତୁତ କରୁଛନ୍ତି ଭୋଇ ସେବକ ।
ତୁମ୍ବର ମଝିରେ ଅଖ ପାଇଁ ବିନ୍ଧ କରୁଛି ବିନ୍ଧ ମେସିନ୍ । ପହିର ବିନ୍ଧରେ କୀଳା ଦେଇ ଅର ସହିତ ଟାଇଟ୍ ହେଉଛି । ଏହାପରେ ବିଲେଇ ବାଡ଼ିଆ । ଚକରେ ଲାଗି ହୋଇଥିବା ପହିର ବାହାର ଅଂଶରେ ଖୁସି ଅର ଲାଗୁଛି । ପହି ଓ ଅରକୁ କାମୁଡ଼ି ଧରେ ଖୁସି ଅର । ଗୋଟିଏ ଚକରେ ୪ଗୋଟି ପହି ଓ ୧୬ ଗୋଟି ଅର ଲାଗୁଛି । ଜଣେ ଅଭିଜ୍ଞ ବିଶ୍ୱକର୍ମା ମଝିରେ ତୁମ୍ବ ଉପରେ ବସି ନିର୍ଦ୍ଦେଶ ଦେଉଛନ୍ତି । ହାତରେ ମାପ ବାଡ଼ି ଧରି ଚକର ଚତୁଃପାଶ୍ୱର୍କୁ କେଉଁଠି କେତେ ମାଡ଼ ପଡ଼ିବ ବୁଝାଉଥିଲେ । ଏହାପରେ କଳସା(ପହି ବନ୍ଧୋଣୀ) କାମ ଚାଲିଛି । ଭୋଇ ସେବକମାନେ ତିନି ରଥ ପାଇଁ ଗୋଟିଏ ଲେଖା ନାହାକା ଅଖ କାଠ ପକାଇଛନ୍ତି । ଅଖ କାମ ଅନୁକୂଳ ବିଶ୍ୱକର୍ମାମାନେ ପ୍ରସ୍ତୁତି ଚଳାଇଛନ୍ତି ।
ଚକରେ ଲାଗୁଛି ୨ ବଳା ଓ ୨ ପନ୍ଦାରି
ରଥର ସମସ୍ତ ଭାର ସମ୍ଭାଳେ ଚକ । ଚକର ମଝି ଅଂଶ ତୁମ୍ବ ସମ୍ଭାଳିବ ଭାର । ତୁମ୍ବର ମଜଭୁତି ପାଇଁ ଭିତର ପଟେ ଲାଗୁଛି ପନ୍ଦାରି । ବାହାର ପାଶ୍ୱର୍ରେ ଲାଗୁଛି ବଳା । ବଳାର ଓଜନ ପ୍ରାୟ ୪ କିଲୋଗ୍ରାମ । ପନ୍ଦାରି ପ୍ରାୟ ୨ କିଲୋଗ୍ରାମ ଓଜନ । ଗୋଟିଏ ଚକର ତୁମ୍ବରେ ଦୁଇଟି ଲେଖାଏଁ ପନ୍ଦାରି ଓ ବଳା ଲାଗୁଛି । ଶାସ୍ତ୍ର ଅନୁମୋଦିତ ପାରମ୍ପରିକ ରଥ ନିର୍ମାଣ ଶୈଳୀକୁ ଅନୁସରଣ କରନ୍ତି ବଳା ଓ ପନ୍ଦାରୀ ତିଆରନ୍ତି ନିର୍ମାଣକାରୀ ।