ଆଖି ପିଛୁଳାକେ ବ୍ୟାଙ୍କ ଆକାଉଣ୍ଟ ଖାଲି । ଲୁଟି ନେଉଛନ୍ତି ଡିଜିଟାଲ୍ ଡକାୟତ । ବଦଳିଛି ସମୟ । ବଦଳିଛି ଚୋରି, ଠକେଇର କଳା କୌଶଳ । ଲୋଭର ମାୟାଜାଲରେ ଫସୁଛନ୍ତି ଲୋକ । ଠକେଇର ଶିକାର ହେଉଛନ୍ତି । ଲାଭ ପାଇବା ଆଗରୁ ମୂଳ ପୋଛି ହୋଇଯାଉଛି। ସାଇବର ଠକେଇର ଏ ନୂଆ ବିପଜ୍ଜନକ ଧାରା ମାଡ଼ି ଚାଲିଛି । ସାଇବର ମାମଲା ଯେତିକି ବଢ଼ୁଛି, ଠକେଇ ଟଙ୍କାର ପରିମାଣ ମଧ୍ୟ ସେଇ ହାରରେ ବଢ଼ି ଚାଲିଛି । ଲୋଭ ଓ ଭୟରୁ କିଏ କାଙ୍ଗାଳ ହୋଇଯାଉଛି । ଆଉ କିଏ କିଛି ବୁଝିବା ଆଗରୁ ନେଡ଼ି ଗୁଡ଼ କହୁଣୀକୁ ବହିଯାଉଛି । ଶିକ୍ଷିତ, ଅଶିକ୍ଷିତ ସବୁବର୍ଗର ଲୋକ ସାଇବର ମାୟାଜାଲରେ ଛନ୍ଦି ହୋଇ ପଡ଼ୁଛନ୍ତି । ଦିନକୁ ଦିନ ଅଧିକ ଲୋକଙ୍କୁ ଶୋଷି ଚାଲିଛନ୍ତି ସାଇବର୍ ଅପରାଧୀ । ଡିଜିଟାଲ ଆରେଷ୍ଟ ଓ ଟ୍ରେଡିଂର ଥୋପ ପକାଇ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ପୋଛି ନେଉଛନ୍ତି ଅଦୃଶ୍ୟ ଚୋର । ଏ ଡିଜିଟାଲ ଠକେଇ ଛିଡ଼ା କରାଇଛି ବଡ଼ ଚାଲେଞ୍ଜ ।
ଲୋଭ-ଭୟରୁ ଭିକାରି
ଜ୍ଞାନକୌଶଳ ଯୋଗୁଁ ଅଙ୍ଗୁଠି ଟିପରେ ଏବେ ସାରା ବିଶ୍ୱ । ବ୍ୟାଙ୍କସେବାରୁ ଖାଇବା ଅର୍ଡର, ସବୁ କିଛି ଅନଲାଇନ୍ରେ । ଘରେ ବସି ହାତମୁଠାରେ ଏସବୁ ସୁବିଧା ପାଇବା ହିଁ ସାଇବର ଅପରାଧର ମୂଳଦୁଆ । ଇଣ୍ଟରନେଟ ଓ ମୋବାଇଲ୍ ଫୋନ୍ ଉପରେ ଲୋକ ଯେତିକି ନିର୍ଭର କରୁଛନ୍ତି, ସାଇବର୍ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ମଧ ବଢ଼ି ଚାଲିଛି । ଲୋକଙ୍କ ଲୋଭ ଓ ଶୀଘ୍ର ଅଧିକ ଟଙ୍କା ରୋଜଗାରର ଇଚ୍ଛାକୁ ସୁବର୍ଣ୍ଣ ସୁଯୋଗ ଭାବେ ବିନିଯୋଗ କରୁଛନ୍ତି ସାଇବର ଠକ । ଜାଲ ଫିଙ୍ଗୁଛନ୍ତି, ଲୋକ ପଡ଼ୁଛନ୍ତି । ତା’ପରେ ଠକ ମାଲାମାଲ, ଅଧିକ ଟଙ୍କାର ଆଶା ରଖିଥିବା ଲୋକଟି କାଙ୍ଗାଳ । ଲୋକଙ୍କ ମନରେ ଭୟ ତିଆରି କରି ଟଙ୍କା ଆଦାୟ କର । ଏ ଫର୍ମୁଲାକୁ ଏବେ ଡିଜିଟାଲ୍ ଡକାୟତମାନେ ବଡ଼ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଫୋନ କରି ତୁମ ପାର୍ଶଲରେ ଡ୍ରଗସ୍ ଅଛି, ଟଙ୍କା ପଠାଅ । ନଚେତ ସାରା ଜୀବନ ଜେଲରେ ଚକି ପେସିବ । ସିବିଆଇ ଧରିବ । ତୁମ ପୁଅ ଜଣେ ଝିଅକୁ ବଳାତ୍କାର କରି ଧରା ପଡ଼ିଛି । ଅମୁକ ନମ୍ବରରେ ଏତିକି ଟଙ୍କା ପଠାଅ । ନଚେତ୍ ଭିଡିଓ ଭାଇରାଲ ହୋଇଯିବ । ଅସଲରେ ଘଟଣାର କିଛି ଭିତ୍ତି ହିଁ ନଥାଏ । ମାନ ସମ୍ମାନ, ଭୟ, ଆତଙ୍କ ଓ ଭବିଷ୍ୟତ ପାଇଁ ହଡ଼ବଡ଼ ହୋଇ କିଛି ଲୋକ ତୁରନ୍ତ ଟଙ୍କା ପଠାଇ ଦିଅନ୍ତି । ଚାହିଁଲେ ବି ଲଜ୍ଜାରେ କାହାକୁ ଏ କଥା କହନ୍ତିନି । ମାତ୍ର ସତ କ’ଣ ଜାଣିଲା ବେଳକୁ ହାତରୁ ଖସି ଯାଇଥାଏ କଷ୍ଟ ଅର୍ଜିତ ଟଙ୍କା । ଏ ଡିଜିଟାଲ ଆରେଷ୍ଟକୁ ଏବେ ଅପରାଧୀମାନେ ବହୁଳ ଭାବେ ବ୍ୟବହାର କରି ଚାଲିଛନ୍ତି । ଅଦୃଶ୍ୟ ଠକଙ୍କ ପଶାପାଲିରେ ବିଚରା ଲୋକ ଶିକାର ।
ଏମିତି ଆରମ୍ଭ ହୁଏ ଠକେଇ
‘ଜଳ ବହୁଳେ ସୃଷ୍ଟି ନାଶ’ ଭଳି ପ୍ରଯୁକ୍ତି ବିଦ୍ୟା ଉପରେ ଅତ୍ୟଧିକ ନିର୍ଭରଶୀଳତା ହିଁ ଏବେ ମଣିଷ ପାଇଁ କାଳ ପାଲଟିଛି । ମାତ୍ର କେଇ ମୁହୂର୍ତ୍ତରେ ସାଇବର ଠକର ମାୟାଜାଲରେ ଛନ୍ଦି ହୋଇପଡ଼ୁଛି ମଣିଷ । ଭିନ୍ନ ଭିନ୍ନ ସଫ୍ଟୱେର ଓ ଆପ୍ର ବ୍ୟବହାର କରି କଳାକନା ବୁଲେଇ ଦେଉଛି ଠକ । ସାଇବର ଠକ ଲୋଭନୀୟ ଅନଲାଇନ ଚାକିରିର ଆଗ ବିଜ୍ଞାପନ ଦିଅନ୍ତି । ଏହାକୁ ପଢ଼ି ସେଥିରେ ଥବା ଲିଙ୍କ କ୍ଳିକ୍ କରିବା ମାତ୍ରେ ‘ଟେଲିଗ୍ରାମ’ର ଏକ ଗ୍ରୁପରେ ସେ ଯୋଡ଼ି ହୋଇଯାଉଛି । ସାଇବର ଠକ ରୋଜଗାରର ଲୋଭ ଦେଖାଏ । କିଛି ସଦସ୍ୟ ରୀତିମତ ଚାଟିଂରେ ମାତିଥିବେ । ଅନ୍ଲାଇନ୍ ଟ୍ରେଡ୍ରେ ଟଙ୍କା ନିବେଶ କରି କମ୍ ଦିନରେ ଦି’ଗୁଣା ଆୟ କରୁଥିବା ଦର୍ଶାଇବେ । ଗ୍ରୁପ୍ରେ ଅନ୍ୟ ସଦସ୍ୟଙ୍କୁ ଲୋଭ ଦେଖାଇ ଅନ୍ଲାଇନ୍ ଟ୍ରେଡିଂରେ ଟଙ୍କା ନିବେଶ ପାଇଁ ଏଭଳି ଜାଲ ବିଛାଇଥାନ୍ତି । ଅପରାଧୀମାନେ ବନାଇଥିବା ନିଜସ୍ୱ ବେଆଇନ୍ ଅନ୍ଲାଇନ୍ ଟ୍ରେଡିଂ ଆପ୍ରେ ଟଙ୍କା ନିବେଶ ପାଇଁ ପ୍ରବର୍ତ୍ତାଇବେ । ଲୋଭରେ ଆପଣ ତାଙ୍କ ଜାଲରେ ଫସିଲା ମାତ୍ରେ ଆରମ୍ଭ ହୋଇଯାଏ ଅସଲ ଖେଳ । ପ୍ରଥମେ କିଛି ମାତ୍ରାରେ ବହୁଗୁଣା ଟଙ୍କା ଫେରସ୍ତ କରିବେ । ‘ମାରିନେଲେ ମହାପାତ୍ରେ, ଚାହିଁଥାରେ ଜଳକା’ ଭଳି ପରେ ଲକ୍ଷ ଲକ୍ଷ ଟଙ୍କା ଠକିନେବେ । ନା ତା ପରେ ଆକାଉଣ୍ଟ ଥିବ, ନା ଆପ୍ ।
ଡିଜିଟାଲ ଠକଙ୍କ ଅସ୍ତ୍ର ସାଜିଛି ବେଆଇନ୍ ଆପ୍ ଓ ୱେବ୍ସାଇଟ୍ । ଲୋଭନୀୟ ଅଫର ଓ ସ୍କାମ୍ର ପୁଳା ପୁଳା ବିଜ୍ଞାପନ ଓ ସନ୍ଦିଗ୍ଧ ଲିଙ୍କ୍ ଏବେ ସ୍ମାର୍ଟଫୋନ୍ରେ ଘୂରି ବୁଲୁଛି । ଯଦି କେହି ଟଙ୍କା ଲୋଭରେ ଲିଙ୍କ୍ କିମ୍ବା ଆପ୍ରେ କ୍ଲିକ୍ କଲା, ସେ ପାଲଟିଗଲା ଭିକାରୀ । ଅଳ୍ପ ଟଙ୍କାରେ ଅଧିକ ଲାଭ, ରିହାତି ବିଦେଶ ଭ୍ରମଣ, ଫୋନ ପେ’ରେ କ୍ୟାସବ୍ୟାକ୍, ଭଏସ କ୍ଲୋନିଂ, ଅଚଳ ଆକାଉଣ୍ଟ ଓ ପଲିସିର ନବୀକରଣ, ଘର ଛାତରେ ଟାୱାର ସ୍ଥାପନ ଆଦି ଲୋଭନୀୟ ମେସେଜ୍ ପଠାଇ ଲିଙ୍କ୍ ଜରିଆରେ ଲୁଟି ନେଉଛନ୍ତି ସାଇବର ଲୁଟେରା । ସନ୍ଦିଗ୍ଧ ହ୍ୱାଟସ୍ଆପ୍ ନମ୍ବରରୁ ଅଧିକାଂଶ ବିଦେଶୀ ଟେଲିକମ୍ ସର୍ଭିସ୍ ପ୍ରୋଭାଇଡର । ସାଇବର ପୁଲିସ ନା ନମ୍ବରକୁ ଟ୍ରାକ୍ କରିପାରେ ନା ବ୍ଲକ୍ ।
ସଚେତନ ଓ ସତର୍କ ରହନ୍ତୁ
ଆମର ଛୋଟିଆ ଭୁଲ୍ ହିଁ ଆମକୁ ଠକାମୀର ଶିକାର କରିଦିଏ । ଅଦୃଶ୍ୟ ଚୋରଙ୍କ କବଳରୁ ସୁରକ୍ଷିତ ରହିବାକୁ ଆମକୁ ସତର୍କ ରହିବାକୁ ହିଁ ହେବ । ଏସବୁ ସ୍କାମ୍କୁ ଅଧିକ ଲୋକାଦୃତ କରାଇବା ପାଇଁ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଓ ସେଲିବ୍ରିଟିଙ୍କୁ ବ୍ୟବହାର କରାଯାଉଛି । ସେମାନେ ନିଜ ନିଜ ୟୁଟ୍ୟୁବ୍ ଚ୍ୟାନେଲ, ଟୁଇଟର୍, ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡଲ୍ରେ ସ୍କାମ୍ର ଭରପୂର ପ୍ରଶଂସା କରୁଛନ୍ତି । ସେଲିବ୍ରିଟିଙ୍କ ଭ୍ରମାତ୍ମକ ବିଜ୍ଞାପନ ଯୋଗୁ ଅଧିକାଂଶ ଲୋକ ସ୍କାମ୍ଷ୍ଟର୍ଙ୍କୁ ବିଶ୍ୱାସ କରି ଜାଲରେ ଫସୁଛନ୍ତି । ତେଣୁ ଆମେ ଯଥା ସମ୍ଭବ ସତର୍କ ଓ ସଚେତନ ରହିବାକୁ ହେବ। ଅନଲାଇନ୍ ସର୍ଚ୍ଚ ମାଧ୍ୟମରେ କେବେ ବି ବ୍ୟାଙ୍କର ୱେବ୍ସାଇଟ ବ୍ୟବହାର କରନ୍ତୁ ନାହିଁ । ଫୋନର ଲଗ୍ଇନ୍ ବିବରଣୀ ସେଭ୍ ରଖନ୍ତୁନି। ସାଇବର୍ କାଫେ ଏବଂ ମାଗଣା ୱାଇଫାଇ ପରି ଅସୁରକ୍ଷିତ ନେଟ୍ୱର୍କରେ ଆଦୌ ଡିଜିଟାଲ ନେଣଦେଣ କରନ୍ତୁନି । ବ୍ୟାଙ୍କ, ବୀମା, ସରକାରୀ ଅଫିସ, କଲ୍ ସେଣ୍ଟରର ଏଜେଣ୍ଟ ଭାବେ ପରିଚୟ ଦେଉଥିବା ବ୍ୟକ୍ତିଙ୍କ ଲୋଭନୀୟ ଅଫରରେ ପଡ଼ି ୟୁଜର ନେମ୍, ପାସୱାର୍ଡ, କାର୍ଡ ପିନ୍, ଓଟିପି, ଜନ୍ମ ତାରିଖ, ଆଧାର ସଂଖ୍ୟା ଦିଅନ୍ତୁ ନାହିଁ । ଏଟିଏମ୍ କାର୍ଡ ପାସ୍ୱାର୍ଡ, ମୋବାଇଲ୍କୁ ଆସୁଥିବା ଇ-ୱାଲେଟ୍ କିମ୍ବା ଇ-ବ୍ୟାଙ୍କିଙ୍ଗ୍ର ଓଟିପି ନମ୍ବର କାହାରିକୁ ପଠାନ୍ତୁ ନାହିଁ । ଅଜଣା ବାର୍କୋଡ୍କୁ କେବେ ବି ସ୍କାନ୍ କରନ୍ତୁନି । ଏହା ବିପଦକୁ ଡାକି ଆଣିବ ।
କୌଣସି ନାମୀଦାମୀ ସଂସ୍ଥାର ଆପ୍କୁ ଅଫିସିଆଲ୍ ୱେବ୍ସାଇଟ୍ରେ ଯାଞ୍ଚ କରନ୍ତୁ । କେହି ‘କଷ୍ଟମର୍ କେୟାର୍’ ଏଜେଣ୍ଟ ଭାବେ ଆପଣଙ୍କୁ ଫୋନ୍ କଲ୍ କଲେ ପ୍ରଥମେ ଉକ୍ତ ନମ୍ବରକୁ ପରଖନ୍ତୁ । ସବୁବେଳେ କଷ୍ଟମର୍ କେୟାର୍ ନମ୍ବର ଗୁଡ଼ିକ ୧୬ଟି ସଂଖ୍ୟା ବିଶିଷ୍ଟ ହୋଇଥାଏ । ଅଥବା ବ୍ୟାଙ୍କ କର୍ମଚାରୀ ସବୁବେଳେ ‘ଲ୍ୟାଣ୍ଡଫୋନ୍’ରୁ ହିଁ ଗ୍ରାହକଙ୍କୁ ଫୋନ୍ କରନ୍ତି । ଯଦି ମୋବାଇଲ୍ ନମ୍ବର ଭଳି ୧୦ ନମ୍ବର ବିଶିଷ୍ଟ ନମ୍ବରରୁ ଫୋନ୍ କଲ୍ ଆସିଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କଥା ହୁଅନ୍ତୁନି । ସ୍ମାର୍ଟଫୋନ୍ରେ ‘ସ୍ପାମ୍ ଫିଲ୍ଟର୍’ ଆକ୍ସିଭେଟ୍ କରନ୍ତୁ । ଏହାଦ୍ୱାରା ଠକେଇ କିମ୍ବା ସେହିପରି ମେସେଜ୍ଗୁଡ଼ିକ ଆପେଆପେ ‘ସ୍ପାମ୍ ଫୋଲ୍ଡର’କୁ ଚାଲିଯିବ । ଯଦି କିଛି ସନ୍ଦେହ ଲାଗୁଛି, ତୁରନ୍ତ ୧୯୩୦କୁ ଫୋନ୍ କରନ୍ତୁ । ଲୋକାଲ ଥାନା ପୁଲିସ କିମ୍ବା ୧୧୨କୁ ଫୋନ୍ କରି ଜଣାନ୍ତୁ । ସାଇବର କ୍ରାଇମ୍ ୱେବ୍ସାଇଟ୍ରେ ଅଭିଯୋଗ କରନ୍ତୁ । ପିଲାମାନଙ୍କୁ ଅନାବଶ୍ୟକ ଇଣ୍ଟରନେଟ ବ୍ୟବହାର କରିବାରୁ ବାରଣ କରନ୍ତୁ । ମନେ ରଖନ୍ତୁ ସାଇବର୍ ଅପରାଧୀଙ୍କ ସହ ଲଢ଼ିବା ସମସ୍ତଙ୍କ ପକ୍ଷେ ସହଜ ନୁହେଁ । ଠକେଇର ଶିକାର ହେବା ପୂର୍ବରୁ ସଚେତନ ଓ ସତର୍କ ରହିବା ଜରୁରି । ଆପଣ ସାମାନ୍ୟ ସତର୍କ ନ ରହିଲେ ବଡ଼ ବିପଦର ସମ୍ମୁଖୀନ ହେବେ ।
ଠକଙ୍କ ଆଁରେ ଓଡ଼ିଶା । ଆଇନ ଅଛି, କାଟୁ କରୁନି । ଆମ ରାଜ୍ୟରେ ମଧ୍ୟ ଅଦୃଶ୍ୟ ଠକଙ୍କ ନେଟୱର୍କର ଚେର ବେଶ ଲମ୍ବା । ବର୍ଷକ ମଧ୍ୟରେ ଏ ଠକମାନେ ଲୁଟିଛନ୍ତି ପ୍ରାୟ ୧୧୧ କୋଟି ଟଙ୍କା । ରାଜ୍ୟରେ ସାଇବର ଅପରାଧକୁ ନିୟନ୍ତ୍ରଣ କରିବାକୁ ଅଛି ୧୮ ଥାନା । ମାତ୍ର ବର୍ଷକୁ ବର୍ଷ ମାମଲା ସଂଖ୍ୟା ବଢ଼ି ଚାଲିଛି । ଗତ କିଛି ବର୍ଷ ହେବ ନୂଆ କଂପ୍ୟୁଟର ସଫ୍ଟୱେର ପ୍ରସ୍ତୁତ କରିବାରେ ଆସିଛି ନୂଆ କ୍ରାନ୍ତି । ଏବେ କୃତ୍ରିମ ବୁଦ୍ଧିମତା ବା ଏଆଇର ବ୍ୟବହାର ବଢ଼ି ଚାଲିଛି । ଆଗାମୀ ଦିନରେ ଏଆଇ ମଧ୍ୟ ସାଇବର ଲୁଟେରାଙ୍କ ପାଇଁ ପାଲଟିବ ଅମୋଘ ଅସ୍ତ୍ର । ସାବଧାନ ଓ ସଚେତନ ନହେଲେ ଅଦୃଶ୍ୟ ଠକ ଲଗାଇଦେବେ ଚୂନ ।